ମନ୍ତ୍ରୀଙ୍କ ବାସଭବନ ଆଗରେ ଶିକ୍ଷକ

ଭୁବନେଶ୍ବର: ଗତ କିଛି ଦିନ ଧରି ଶିକ୍ଷକମାନେ ଆନ୍ଦୋଳନ ଚଳାଇ ଆସୁଥିବା ବେଳେ ମାଧ୍ୟମିକ ଶିକ୍ଷକ ସଂଘ କର୍ମକର୍ତ୍ତାମାନେ ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଂଜନ ଦାଶ ଓ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଭୁବନେଶ୍ୱର ବାସଭବନ ଘେରିଛନ୍ତି।। ନିଜ ଦାବିରେ ଅଟଳ ରହିଛନ୍ତି ଶିକ୍ଷକ । ପ୍ଲାକାର୍ଡ ଧରି ଶିକ୍ଷକମାନେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ସେମାନେ କହିଛନ୍ତି, ସେମାନଙ୍କ ଦାବି ପୂରଣ ନେଇ ଲିଖିତ ପ୍ରତିଶ୍ରୁତି ମିଳିନାହିଁ, ସେପର୍ଯ୍ୟନ୍ତ ଏହି ଘେରାଉ ଜାରି ରହିବ। ଶିକ୍ଷକମାନଙ୍କୁ ସରକାର ବାରମ୍ବାର ଭୂତାଇ ଦେଉଥିବା ଶିକ୍ଷକମାନେ ଅଭିଯୋଗ କରିଛନ୍ତି ।

ମାଧ୍ୟମିକ ଶିକ୍ଷକ ସଂଘର ସଦସ୍ୟମାନଙ୍କ କହିବା ଅନୁଯାୟୀ, ସେମାନଙ୍କୁ ନୂତନ ପେନସନ ଯୋଜନାରେ ସାମିଲ କରାଯାଉ । ଏଥିସହ ୨୦୦୪ରୁ ୨୦୧୩ ମଧ୍ୟରେ ନିଯୁକ୍ତ ହୋଇଥିବା ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ୬ ବର୍ଷ ଚୁକ୍ତି ଅବଧିକୁ ମୂଳ ଚାକିରି ସହ ଯୋଡ଼ାଯାଉ। ୬ଟି ନ୍ୟାସନାଲ ଇନକ୍ରିମେଂଟ ଦିଆଯାଉ ବୋଲି ବି ସେମାନେ ଦାବି କରିଛନ୍ତି। ତେବେ ସେମାନଙ୍କ ଦାବି ପୂରଣ ନେଇ ସରକାରଙ୍କ ପକ୍ଷରୁ ସେପରି କିଛି ପ୍ରତିଶ୍ରୁତି ଦିଆଯାଇନାହିଁ ।