ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲରେ ଅନ୍ ୱାଇଣ୍ଡ୍‌-୨୦୨୨


ଭୁବନେଶ୍ବର : ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲରେ ଅନ୍ ୱାଇଣ୍ଡ-୨୦୨୨ ତ୍ରୟୋଦଶତମ ସଂସ୍କରଣ ଅନୁଷ୍ଠିତ ହୋଇଯାଇଛି । ଅନ୍ ୱାଇଣ୍ଡ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଯାହାଦ୍ୱାରା ଛାତ୍ରଛାତ୍ରୀମାନେ ସେମାନଙ୍କର ନିୟମିତ ପାଠ୍ୟ କାର୍ଯ୍ୟକ୍ରମ ମଧ୍ୟରେ ଅବସର ପାଇଁ କିଛି ସମୟ ପାଇଥାନ୍ତି । ଯେଉଁଥିରେ ଛାତ୍ରଛାତ୍ରୀଙ୍କ ପ୍ରତିଭାର ବିକାଶ ହେବା ସହ ଭବିଷ୍ୟତ ଜୀବନ ଗଠନ ପାଇଁ ପ୍ରେରଣା ମିଳିଥାଏ ଏବଂ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନର କୈାଶଳ ଶିଖିବାର ସୁଯୋଗ ମିଳିଥାଏ । ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ସହିତ ପ୍ରାୟ ୩୦ ହଜାର ଲୋକଙ୍କ ସମାଗମ ହୋଇଥିଲା ।

YouTube player


ଏହି ଉତ୍ସବକୁ ମୁଖ୍ୟ ଅତିଥି ଭାବେ ଷ୍ଟାଟଅପ୍ ଓଡ଼ିଶାର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଡଃ ଓମ୍‌କାର ରାଏ ଉଦ୍‌ଘାଟନ କରିଥିଲେ । ଅତିଥିମାନଙ୍କ ମଧ୍ୟରେ ସାଇ ଇଣ୍ଟରନ୍ୟାସନାଲ୍‌ର ଭାଇସ୍ ଚେୟାରପର୍ସନ ଡଃ ଶିଳ୍ପୀ ସାହୁ ଉପସ୍ଥିତ ଥିଲେ ।


ମୁଖ୍ୟ ଅତିଥି ଶ୍ରୀ ରାଏ ସାଧାରଣ ଶିକ୍ଷା ଏବଂ ମୂଲ୍ୟ ଆଧାରିତ ଶିକ୍ଷା ଉପରେ ଥିବା ପାର୍ଥକ୍ୟକୁ ବୁଝାଇବା ସହିତ ପିଲାମାନଙ୍କୁ ବଡ଼ବଡ଼ କାର୍ଯ୍ୟକ୍ରମ ଆୟୋଜନ କରିବା ଦ୍ୱାରା ସେମାନଙ୍କ ମଧ୍ୟରେ ପ୍ରତିଯୋଗୀତାମୂଳକ ମନୋଭାବ ସୃଷ୍ଟିହେବ ଯାହା ସେମାନଙ୍କୁ ଭବିଷ୍ୟତରେ ନୂତନ ଶୈଳୀରେ କାର୍ଯ୍ୟକ୍ରମ ପାଇଁ ପ୍ରେରଣା ଯୋଗାଇବା ସହ ଉଦୀୟମାନ ଉଦ୍ୟୋଗପତି ହେବାରେ ସହାୟକ ହେବ ।


ଡଃ ଶିଳ୍ପୀ ସାହୁ କହିଥିଲେ ଯେ, ଉକ୍ତ କାର୍ଯ୍ୟକ୍ରମ ଦ୍ୱାରା ଛାତ୍ରଛାତ୍ରୀମାନେ ବୃହତ କାର୍ଯ୍ୟକ୍ରମ ଆୟୋଜନ ଏବଂ ଏହାକୁ ସୂଚାରୁ ରୂପେ ସମ୍ପାଦନ କରିବାର କୌଶଳ ଶିକ୍ଷା ଗ୍ରହଣ କରୁଛନ୍ତି । ଅନୱାଇଣ୍ଡରୁ ମିଳୁଥିବା ଅର୍ଥର କିଛି ଅଂଶକୁ ସମାଜ ମଙ୍ଗଳ ଏବଂ ଗରିବ ପିଲାମାନଙ୍କ ସହାୟତା ଯଥା ଆଖପାଖ ଗ୍ରାମାଞ୍ଚଳରେ ଡଃ ବିଜୟ କୁମାର ସାହୁ ୧୦୦ ଲାଇବ୍ରେରୀ ପ୍ରୋଜେକ୍ଟରେ ବିନିଯୋଗ କରାଯିବ । ପ୍ରତିଭା ଆଶ୍ରମର ଛାତ୍ରଛାତ୍ରୀମାନଙ୍କୁ ଏହି ଉତ୍ସବରେ ସାମିଲ୍ କରାଯାଇ ସେମାନଙ୍କର କଳା ପ୍ରତିଭାକୁ ପ୍ରଦର୍ଶିତ କରିବାର ସୁଯୋଗ ଦିଆଯାଇଥିଲା ।
ଏହି ଉତ୍ସବରେ ୧୩୦ଟି ଷ୍ଟଲ୍ ପ୍ରଦର୍ଶିତ ହୋଇଥିଲା । ଯାହା ମଧ୍ୟରେ ମିଶନ୍ ଶକ୍ତି, ଫୁଡ଼୍‌, ଫାଷ୍ଟଫୁଡ଼୍‌, ଗେମ୍‌, ଆଡ଼ଭେଞ୍ଚର୍‌, ହରର୍‌, ବୋଟିଂ, ବଙ୍ଗି ଜମ୍ପିଙ୍ଗ୍ ସହ ଛୋଟପିଲାମାନଙ୍କ ପାଇଁ ବିଭିନ୍ନ ପ୍ରକାରର ଖେଳ ଅନ୍ତର୍ଭୁକ୍ତ ଥିଲା ।
ମିଶନ୍ ଶକ୍ତି ବିଭାଗ ତରଫରୁ ଏକ ଷ୍ଟଲ ଖୋଲାଯାଇ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ସାମଗ୍ରୀ ପ୍ରଦର୍ଶୀତ ହୋଇଥିଲା ।
ପରିଶେଷରେ ଏ ବର୍ଷର ହୋଲିଷ୍ଟିକ୍ ପ୍ୟାରେଣ୍ଟିଙ୍ଗ ଆୱାର୍ଡ଼ କଶିଶ ଅଗ୍ରୱାଲ୍‌, ଖୁସି ଅଗ୍ରୱାଲ୍ ଏବଂ ଶୁଭ୍ରଶିଖା ପ୍ରଧାନଙ୍କ ଅଭିଭାବକଙ୍କୁ ପ୍ରଦାନ କରାଯାଇଥିଲା । ଏହା ସହିତ ସଂଧ୍ୟାରେ ସୁନାମଧନ୍ୟ ବଲିଉଡ଼୍ ଗାୟକ ଋତୁରାଜ ମହାନ୍ତିଙ୍କ ଦ୍ୱାରା ରଙ୍ଗାରଙ୍ଗ୍ ସଂଗୀତ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସ୍କୁଲର ସିନିୟର ପ୍ରିନ୍ସପାଲ୍ ନୀଳକଣ୍ଠ ପାଣିଗ୍ରାହୀ ଉପସ୍ଥିତ ଥିଲେ ।