ଶ୍ରୀମନ୍ଦିରର ଡ୍ରୋନ୍ ଭିଡିଓ ଭାଇରାଲ ଘଟଣା
ଡ୍ରୋନ୍ ଉଡ଼ାଇ ଶ୍ରୀମନ୍ଦିରର ଓ ଏହାର ଆଖପାଖ ଅଞ୍ଚଳର କୋଣ ଅନୁକୋଣର ଭିଡିଓ ଉତ୍ତୋଳନ କରିବା ଓ ତାକୁ ସୋଶାଲ ମିଡିଆରେ ପୋଷ୍ଟ କରିବା ଘଟଣାରେ କ୍ଷମା ମାଗିଛନ୍ତି ବଙ୍ଗୀୟ ଯୁବକ ଅନିମେଶ ଚକ୍ରବର୍ତ୍ତୀ। ସେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସହିତ ପୂରା ଓଡ଼ିଶାବାସୀଙ୍କୁ କ୍ଷମା ମାଗିଛନ୍ତି।ଅନିମେଶ ଏକ ଭିଡିଓ ଜାରି କରି କହିଛନ୍ତି, ମୁଁ ଡ୍ରୋନ ଉଡ଼ାଇ ଶ୍ରୀମନ୍ଦିରର ଭିଡିଓ ଶୁଟ୍ କଲା ବେଳେ ତାହା ନୋ ଫ୍ଲାଇଂ ଜୋନ୍ ବୋଲି ଆଦୌ ଜାଣିନଥିଲି। ଡ୍ରୋନରେ ସେଭଳି କିଛି ଓ୍ୱାର୍ଣ୍ଣିଂ ଦେଖାଇ ନଥିଲା। ତେଣୁ ଅଜାଣତରେ ଏଭଳି ଭୁଲ ହୋଇଥିବା କହିଛନ୍ତି ଅନିମେଶ।
ପୁଲିସଠାରୁ ଅନୁମତି ନେଇ ଡ୍ରୋନ୍ରେ ଶ୍ରୀମନ୍ଦିରର ଭିଡିଓ ଉତ୍ତୋଳନ କରିଥିବା ପୂର୍ବରୁ ଅନିମେଶ କହିଥିଲେ। ତେବେ ଏହା ମିଛ ବୋଲି ଜାରି କରିଥିବା ଭିଡିଓରେ ଅନିମେଶ କହିଛନ୍ତି। ସେ ପୁଲିସ୍ର ଅନୁମତି ନେଇ ନଥିଲେ।ଅନିମେଶ ଶ୍ରୀମନ୍ଦିରର ଏହି ଭିଡିଓ ୨ରୁ ୩ ମାସ ତଳେ ଶୁଟ୍ କରିଥିଲେ। ଗଣମାଧ୍ୟମରେ ଖବର ପ୍ରସାରଣ ପରେ ସମସ୍ତ ଭିଡିଓ ସୋଶିଆଲ୍ ମିଡିଆ ପ୍ଲାଟଫର୍ମରୁ ସେ ହଟାଇ ଦେଇଥିବା ଅନିମେଶ କହିଛନ୍ତି।
ଅନ୍ୟପକ୍ଷରେ ଅନିମେଶ ଡ୍ରୋନ୍ରେ ଶ୍ରୀମନ୍ଦିରର ଭିଡିଓ ଉତ୍ତୋଳନ କରିବା ଘଟଣାରେ ସିଂହଦ୍ୱାର ଥାନା ଏତଲା ଦିଆଯାଇଛି। ଭଏସ୍ ଅଫ କମନ୍ ମ୍ୟାନ୍ ସଂଗଠନ ପକ୍ଷରୁ ଏହି ଏତଲା ଦିଆଯାଇଛି। ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ସଂଗ୍ରଠନ ଦାବି କରିଛି। ଶ୍ରୀମନ୍ଦିର ଭିଡିଓ ସୋଶିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ପରେ ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠଛି ବୋଲି ସଂଗଠନ ପକ୍ଷରୁ କୁହାଯାଇଛି।
ସୂଚନା ଅନୁସାରେ, ବଙ୍ଗୀୟ ୟୁ-ଟ୍ୟୁବର ଅନିମେଶ ୨ରୁ୩ ମାସ ତଳେ ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡାଇଥିଲେ। ସେଥିରୁ ଯେଉଁ ଫୁଟେଜ ମିଳିଥିଲା ତାକୁ ୟୁନିଫାଏଡ ଅନିମେଶ ନାମକ ସୋଶିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରାଯାଇଥିଲା। ଏହି ଭିଡିଓଟି ୫ ମିନିଟ ୪୨ ସେକେଣ୍ଡର ଥିଲା। ସେଥିରେ ଶ୍ରୀମନ୍ଦିରର ସଂପୂର୍ଣ୍ଣ ମ୍ୟାପିଂ କରାଯାଇଥିଲା। ଶ୍ରୀମନ୍ଦିର ନୀଳଚକ୍ରରୁ ସିଂହାଦ୍ୱାର ଯାଏଁ ଅବସ୍ଥିତିକୁ କ୍ୟାମେରାରେ କଏଦ କରାଯାଇଥିଲା।