ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ୪୦ ଏକର ଜମି ବିକିଛି ପ୍ରଶାସନ

କରୋନା କାଳ ଅର୍ଥାତ୍ ଗତ ୨ବର୍ଷ ମଧ୍ୟରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଓଡ଼ିଶା ଭିତରେ ଥିବା ୪୦ ଏକର ୭୯୯ ଡିସିମିଲ ଜମି ବିକ୍ରି ହୋଇଛି । ମହାପ୍ରଭୁଙ୍କର ମୋଟ ୬୦୪୨୬ ଏକର ୯୪୩ ଡିସିମିଲ ଭୂ-ସମ୍ପତ୍ତି ଥିବାବେଳେ ସେଥିରୁ ମାତ୍ର ୩୮ହଜାର ୦୬୨ଏକର ଜମିର ସଂଶୋଧିତ ସ୍ୱତ୍ତ୍ୱଲିପି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ରହିଛି ବୋଲି ରାଜ୍ୟ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା କହିଛନ୍ତି ।ଆଜି ବିଧାନସଭାରେ ବିଧାୟିକା କୁସୁମ ଟେଟେଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଆଇନ ମନ୍ତ୍ରୀ ଶ୍ରୀ ସାରକା କହିଛନ୍ତି ଯେ, ଗତ ୨୦୨୦-୨୧ ଓ ୨୦୨୧-୨୨ ଆର୍ଥିକ ବର୍ଷ ମଧ୍ୟରେ ରାଜ୍ୟ ଭିତରେ ଥିବା ମହାପ୍ରଭୁଙ୍କ ଭୂସମ୍ପତ୍ତିରୁ ମୋଟ ୪୦ଏକର ୭୯୯ ଡିସିମିଲ ଜମି ବିକ୍ରୟ କରାଯାଇଛି । ତେବେ କେଉଁ କାରଣ ପାଇଁ ମହାପ୍ରଭୁଙ୍କ ଏହି ଭୂସମ୍ପତ୍ତିକୁ ପ୍ରଶାସନ ବିକ୍ରି କରିଛି ସେ ନେଇ ମନ୍ତ୍ରୀ କୌଣସି ତଥ୍ୟ ଦେଇନାହାନ୍ତି । ସେହିପରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାଁରେ ଥିବା ଭୂସମ୍ପତ୍ତିର ବିଭିନ୍ନ ଉତ୍ସରୁ ଗତ ୨୦୨୧-୨୨ ଆର୍ଥିକ ବର୍ଷରେ ୫୫କୋଟି ୮୦ଲକ୍ଷ ୮୪ହଜାର ୮୫୯ଟଙ୍କା ଆୟ ହୋଇଛି । ତେବେ ରାଜ୍ୟର ମୋଟ ୨୪ଟି ଜିଲ୍ଲାରେ ଶ୍ରୀଜଗନ୍ନାଥ ମହାପ୍ରଭୁ ବିଜେ, ପୁରୀଙ୍କ ନାଁରେ ସାବିକ ବନ୍ଦୋବସ୍ତ ରେକର୍ଡକୁ ଭିତ୍ତିକରି ୬୦.୪୨୭ଏକର ଭୂସମ୍ପତ୍ତି ଥିବା ତଥ୍ୟ ସଂଗ୍ରହ କରାଯାଇଛି । କିନ୍ତୁ ଏଥିରୁ ଏବେବି ୨୨ହଜାର ୩୬୫ଏକର ଭୂସମ୍ପତ୍ତିର ସଂଶୋଧିତ ସ୍ୱତ୍ତ୍ୱଲିପି ଶ୍ରୀମନ୍ଦିର ପ୍ରଶାସନ ପାଖରେ ନାହିଁ । ଦେଶର ଅନ୍ୟ ୬ଟି ରାଜ୍ୟରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ୩୯୫ ଏକର ୨୫୨ ଡିସିମିଲ ପରିମିତ ଜମି ଥିବା ତଥ୍ୟ ସଂଗ୍ରହ କରାଯାଇଛି । ଏହାଛଡ଼ା ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ଉପଲବ୍ଧ ହେଉଥିବା ମହାପ୍ରସାଦର ଦର ନିୟନ୍ତ୍ରଣ ବିଷୟରେ ଅନୁଧ୍ୟାନ କରାଯାଉଛି ବୋଲି ମନ୍ତ୍ରୀ ଶ୍ରୀ ସାରକା କହିଛନ୍ତି ।