ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ରାଜ୍ୟ ସରକାରଙ୍କୁ ଖୋଲା ଚ୍ୟାଲେଞ୍ଜ
ଶନିବାର ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇ ରାଜ୍ୟ ସରକାରଙ୍କ ଉପରେ ପ୍ରବଳ ବର୍ଷି ଥିବା ବେଳେ ରବିବାର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରାଜ୍ୟ ସରକାରଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ବରଗଡ଼ରୁ ନୂଆପଡ଼ାକୁ ନୂଆ ରେଳ ଲାଇନ୍ ନେଇ ରାଜ୍ୟ ସରକାରଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ଶ୍ରୀ ବୈଷ୍ଣବ।
ପାଇକମାଳରେ ଏକ ନିର୍ବାଚନୀ ସଭାରେ ରେଳ ମନ୍ତ୍ରୀ କହିଥିଲେ, କାଲି ଜାଗା ଦେଲେ ପହରଦିନ କାମ ଆରମ୍ଭ ହେବ। ଜାଗା ଓଡ଼ିଶା ସରକାରଙ୍କର। ଜାଗା ନ ଦେଲେ ରେଲ ଲାଇନ୍ କିପରି ହେବ? ମନ୍ତ୍ରୀ ଟୁକୁନି ସାହୁ ନୂଆ ରେଳ ଲାଇନ ନେଇ ଚିଠି ଲେଖିଥିଲେ। ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ମଧ୍ୟ ତାକୁ ଦୋହରାଇଛନ୍ତି। କାହିଁକି ମାନ୍ୟବର ମନ୍ତ୍ରୀ ଓ ପୂର୍ବତନ ସାଂସଦ ମିଛ କହୁଛନ୍ତି?
ରେଳ ମନ୍ତ୍ରୀ ଶ୍ରୀ ବୈଷ୍ଣବ ଆହୁରି କହିଛନ୍ତି, ରାଜ୍ୟ ସରକାର ଜାଗା ଦେଲେ ଓଡ଼ିଶାର ବିକାଶ ହୋଇପାରିବ। ପୂର୍ବରୁ ରାଜ୍ୟକୁ ରେଳ ପ୍ରକଳ୍ପ ବାବଦକୁ ୮ ଶହ କୋଟି ଆସୁଥିଲା। ମୋଦି ସରକାରରେ ଏହା ୧୦ ହଜାର କୋଟିରେ ପହଞ୍ଚିଛି।
ସେ କହିଛନ୍ତି, ପ୍ରତି ଗାଁରେ ମୋବାଇଲ ଟାୱାର ନିର୍ମାଣ ପାଇଁ ୫ ହଜାର ୬ ଶହ କୋଟି ମଞ୍ଜୁର ହୋଇଛି। ରାଜ୍ୟ ସରକାରଙ୍କ ନୀତି ନିୟତ ଠିକ୍ ରହିଲେ ଏଠାରେ ରୋଜଗାରର ମାଧ୍ୟମ ସୃଷ୍ଟି ହୋଇପାରିବ। ଏକଜୁଟ ହୋଇ କାମ କଲେ କେହି ଦାଦନ ଖଟିବାକୁ ଯିବେ ନାହିଁ।