ଆଜି ନାମାଙ୍କନ ଭରିବେ ପ୍ରଦୀପ ପୁରୋହିତ,ବିଜେଡି ଘୋଷଣା କରିପାରେ ପ୍ରାର୍ଥୀ
ପଦ୍ମପୁର: ପଦ୍ମପୁର ଉପନିର୍ବାଚନ ପାଇଁ ଆଜି ନାମାଙ୍କନ ଭରିବେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସଭାପତି ସମୀର ମହାନ୍ତି ଏବଂ ଦଳର ଅନ୍ୟ ବରିଷ୍ଠ ନେତାଙ୍କ ସହ ଯାଇ ପ୍ରାର୍ଥିପତ୍ର ଦାଖଲ କରିବେ ପ୍ରଦୀପ ପୁରୋହିତ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପଦ୍ମପୁର ପହଞ୍ଚି ଦଳର ନେତାମାନଙ୍କ ସହ ବିଚାର ବିମର୍ଶ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି। ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର , ରାଜ୍ୟସଭାପତି, ଦଳର ପଶ୍ଚିମ ଓଡିଶାର ସବୁ ସାଂସଦ ଓ ବିଧାୟକ ମାନଙ୍କ ବୈଠକରେ ସ୍ଥିର ହେବ ଅସଲ ରଣନୀତି।
ସେପଟେ କଂଗ୍ରେସ ପ୍ରାର୍ଥୀ ସତ୍ୟ ଭୂଷଣ ସାହୁ ବିଗତ ଦିନରେ ତିନି ଥର ଏହି ବିଧାନସଭା ନିର୍ବାଚନରେ ବିଜୟୀ ହୋଇଥିଲେ। ପଦ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ସେ ୧୯୮୦, ୧୯୮୫ ଓ ୨୦୦୪ରେ ନିର୍ବାଚନ ଜିତି ବିଧାୟକ ହୋଇଥିଲେ। ଚଳିତ ଥର କଂଗ୍ରେସ ପାଇଁ ସେ ହିଁ ଏକମାତ୍ର ବିକଳ୍ପ ଥିଲେ। ତେଣୁ କଂଗ୍ରେସ ସତ୍ୟ ଭୂଷଣଙ୍କୁ ଟିକେଟ ଦେଇଛି। ୨୦୧୯ ସାଧାରଣ ନିର୍ବାଚନରେ ସ୍ବର୍ଗତ ବିଜୟ ରଂଜନ ସିଂହ ବରିହା ବିଜୟୀ ହୋଇଥିଲା ବେଳେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ୨ୟ ଓ ସତ୍ୟ ଭୂଷଣ ସାହୁ ୩ୟ ସ୍ଥାନରେ ଥିଲେ।
ଏଠାରେ ସୂଚନାଯୋଗ୍ୟ ଯେ ୧୭ ତାରିଖ ପର୍ଯ୍ୟନ୍ତ ଦିନ ୧୧ରୁ ୩ ଟା ରେ ମନୋନୟ ଦାଖଲ ପ୍ରକ୍ରିୟା ଜାରି ରହିବ। ୧୮ ତାରିଖରେ ମନୋନୟନ ପତ୍ର ଯାଞ୍ଚ କରାଯିବ ଏବଂ ୨୧ ତାରିଖ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ସମୟ ରହିଛି ବୋଲି ରିଟର୍ଣ୍ଣିଂ ଅଫିସର କହିଛନ୍ତି। ସେହିପରି ଆସନ୍ତା ୫ ତାରିଖରେ ସକାଳ ୭ ଟାରୁ ଅପରାହ୍ନ ୪ ଘଣ୍ଟା ପର୍ଯ୍ୟନ୍ତ ଭୋଟଦାନ କରାଯିବ।
ଉପନିର୍ବାଚନ ପ୍ରଚାର ପାଇଁ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କ ସହ ବିଜେପିର କାର୍ଯ୍ୟକର୍ତ୍ତା ଏବେ ପ୍ରସ୍ତୁତ ହୋଇଛନ୍ତି । ତେବେ ବିଜେଡି ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନାହିଁ ।
ପ୍ରଦୀପ ପୁରୋହିତ ୨୦୧୪ରେ ଏଠାରୁ ବିଜୟୀ ହୋଇଥିଲେ। ପଦ୍ମପୁର ବିଧାୟକ ବିଜୟ ରଂଜନ ସିଂହ ବରିହାଙ୍କର ଗତ ମାସ ୩ ତାରିଖରେ ପରଲୋକ ହେବା ପରେ ଏଠାରେ ଉପନିର୍ବାଚନ ହେଉଛି ।