ପଞ୍ଚୁକରେ ଦର୍ଶନ ବ୍ୟବସ୍ଥା,୫ ଦିନରେ ୫ ବେଶରେ ଦର୍ଶନ ଦେବେ ଶ୍ରୀଜିଉ

ପୁରୀ: ଦୁଇଦିନ ପରେ ପଞ୍ଚୁକ। ଏଥିପାଇଁ ପୁରୀରେ ମାସେ ଧରି କାର୍ତ୍ତିକ ବ୍ରତ ପାଳନ କରୁଥିବା ହବିଷ୍ୟାଳୀ ପଞ୍ଚୁକକୁ ଅପେକ୍ଷା କରିଛନ୍ତି । ମହାପ୍ରଭୁଙ୍କ ଦର୍ଶନ କରି ହବିଷ୍ୟାନ୍ନ ସେବନ କରୁଛନ୍ତି। ଦୈନିକ ଚଉରା ମୂଳେ ରାଈଦାମୋଦର ପୂଜା କରୁଛନ୍ତି । ତେବେ ପଞ୍ଚୁକ ୫ ଦିନ କାର୍ତ୍ତିକ ମାସର ସବୁଠୁ ପୁଣ୍ୟ ଦିନ ହୋଇଥିବାରୁ ଏଥିପାଇଁ ଉତ୍ସାହ ଲାଗି ରହିଛି । ଏହି ଦିନମାନଙ୍କରେ ମହାପ୍ରଭୁଙ୍କ ୫ ଦିନ ୫ ବେଶରେ ଭକ୍ତଙ୍କୁ ଦର୍ଶନ ଦେବାର ପ୍ରଥା ରହିଛି । ନଭେମ୍ବର ୪ ତାରିଖ ବଡ଼ ଏକାଦଶୀରୁ ପଞ୍ଚୁକ ଆରମ୍ଭ ହେବ। ଶ୍ରୀମନ୍ଦିରର ଚୂଡ଼ାନ୍ତ ନୀତିକାନ୍ତି ଅନୁଯାୟୀ, ପଞ୍ଚୁକର ପ୍ରଥମ ଦିନ ଅର୍ଥାତ୍‌ ନଭେମ୍ବର ୪ରେ ଠିଆକିଆ ବେଶ ଅନୁଷ୍ଠିତ ହେବ। ସେହିଭଳି ନଭେମ୍ବର ୫ରେ ବାଙ୍କଚୁଡ଼ ବେଶ, ନଭେମ୍ବର ୬ରେ ତ୍ରିବିକ୍ରମ ବେଶ, ନଭେମ୍ବର ୭ରେ ଲକ୍ଷ୍ମୀନୃସିଂହ ବେଶ ଓ ନଭେମ୍ବର ୮ରେ ରାଜାଧିରାଜ ବେଶ ବା ସୁନାବେଶ ଅନୁଷ୍ଠିତ ହେବ। ଏହି ୫ ଦିନ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ଜମିବ। କୋଭିଡ୍‌ଜନିତ କଟକଣା ଯୋଗୁ ଭକ୍ତମାନେ ତିନି ବର୍ଷ ଧରି ଏହି ଦୁର୍ଲ୍ଲଭ ଦର୍ଶନରୁ ବଞ୍ଚିତ ରହିଥିବାରୁ ଏଥର ଗହଳି ହେବାର ସଂଭାବନା ରହିଛି । ଚଳିତବର୍ଷ ପଞ୍ଚୁକରେ ଲକ୍ଷାଧିକ ଭକ୍ତଙ୍କ ପୁରୀ ଆସିବାକୁ ଥିବାରୁ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି । ଦର୍ଶନକୁ ଶୃଙ୍ଖଳିତ କରିବା ପାଇଁ ଚାରି ଥାକିଆ ଧାଡ଼ି ଦର୍ଶନ ବ୍ୟବସ୍ଥା କରାଯାଇଛି। ଏଥିପାଇଁ ମରିଚିକୋଟ ଛକରୁ ସିଂହଦ୍ବାର ପର୍ଯ୍ୟନ୍ତ ଚାରିଟି ଧାଡ଼ିରେ ବାରିକେଡିଂ ବ୍ୟବସ୍ଥା କରାଯାଇଛି।