ଧାମନଗର ଉପନିର୍ବାଚନ ପାଇଁ ଆଜି ସରୁଛି ପ୍ରଚାର, ତ୍ରିମୁଖୀ ଲଢ଼େଇ

ଧାମନଗର: ଧାମନଗର ନିର୍ବାଚନରେ କିଏ ମାରିବ ବାଜି । ଆଜି ପ୍ରଚାର ସୁରୁଥିବା ବେଳେ ୩ ତାରିଖରେ ଭୋଟ୍‌ ହେବାକୁ ନେଇ ରାଜନୀତି ସରଗରମ ହେବାରେ ଲାଗିଛି । ବିଜେଡି, ବିଜେପି ଓ ସ୍ବାଧୀନ ପ୍ରାର୍ଥୀଙ୍କ ମଧ୍ୟରେ ଏଥର ଲଢ଼େଇ ହେବ । ନିର୍ବାଚନର ଦୁଇ ଦିନ ପରେ ୬ରେ ଗଣତି ହେବ ଭୋଟ । ଆଜି ସନ୍ଧ୍ୟାରେ ପ୍ରଚାର ସରୁଥିବାରୁ ସବୁ ପ୍ରାର୍ଥୀମାନେ ଝାଳବୁହାଇ ଘରକୁ ଘର ପ୍ରଚାରରେ ମାତିଛନ୍ତି । ପ୍ରଚାରକୁ ଆଉ ମାତ୍ର କେତେ ଘଣ୍ଟା ବାକି ରହିଛି । ଧାମନଗର ବ୍ଲକର ୪୪ ପଞ୍ଚାୟତ, ତିହିଡି ବ୍ଲକର ୧୩ ପଞ୍ଚାୟତ ଓ ଧାମନଗର ଏନଏସିର ୧୩ଟି ୱାର୍ଡର ଭୋଟର ମାନେ ଏବେ ପ୍ରସ୍ତୁତ । କାହାକୁ ସେମାନେ ଭୋଟ ଦେବେ କିଏ ଜିତିବ ତାହାକୁ ନେଇ ଏବେ ସବୁଠି ଚର୍ଚା ।

ତିହିଡ଼ି ବ୍ଲକର ୧୩ଟି ପଞ୍ଚାୟତରେ ସ୍ୱାଧୀନ ପ୍ରାର୍ଥୀଙ୍କ ପାଇଁ ବିଜେଡ଼ି ଭୋଟ୍‌ ବିଭାଜନ ହେବାର ସମ୍ଭାବନା ରହିଛି । ତେଣୁ ଧାମନଗର ବ୍ଲକର ଡୋବଲ୍‌ ଅଞ୍ଚଳ କୁହାଯାଉଥିବା ୧୧ଟି ପଞ୍ଚାୟତ ଉପରେ ଏବେ ବିଜେଡିର ନଜର । ଏହି ୨୪ଟି ପଞ୍ଚାୟତର ଭୋଟ୍‌ ଉପରେ ବିଜେଡ଼ି ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଭର କରୁଛି ।

ପ୍ରଥମ ଥର ଉପନିର୍ବାଚନରେ ଖୋଲଖୋଲି ବିଦ୍ରୋହର ସମ୍ମୁଖୀନ ହୋଇଛି ବିଜେଡି । ବିଜେଡ଼ିର ମାଳମାଳ ମନ୍ତ୍ରୀ, ବିଧାୟକ ଗତ ଦୁଇ ସପ୍ତାହ ହେଲା ଧାମନଗରରେ ରାତି ଅନିଦ୍ରା ହୋଇ ପ୍ରଚାର କରୁଥିବା ବେଳେ ସ୍ବାଧୀନପ୍ରାର୍ଥୀଙ୍କ ଭୋଟ ଭୟ ତାଙ୍କୁ ଘାରିଛି ।

୨୦୧୯ ନିର୍ବାଚନରେ ବିଜେପି ପ୍ରାର୍ଥୀ ବିଷ୍ଣୁ ସେଠୀ ୮୦ ହଜାର ୧୧୧ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଦାସ ୭୫ ହଜାର ୪୫୯ ଖଣ୍ଡ ଭୋଟ ପାଇଥିଲେ । କଂଗ୍ରେସ ୭ ହଜାର ୨୫୮ ଖଣ୍ଡ ଭୋଟରେ ସୀମିତ ରହିଥିଲା । ବିଜେପିର ବିଜୟ ବ୍ୟବଧାନ ଥିଲା ମାତ୍ର ୪୬୫୨ ଖଣ୍ଡ ଭୋଟ୍‌ । ତିହିଡ଼ି ବ୍ଲକ ବାସିନ୍ଦା ହେଲେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ ଓ ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ । ତିହିଡି ବ୍ଲକର ବାରୋ, ବିଲଣା, ବୋଡକ, ତଳଗୋପବିନ୍ଧା, କୁବେରା, ଶ୍ୟାମସୁନ୍ଦରପୁର, ଗୁଆମାଳ, ଦୋଳସାହି, ନୟାନନ୍ଦ, ପାଳିଆବିନ୍ଧା, ଅଚକ ଓ ତାଳପଦା ପଞ୍ଚାୟତରେ ରାଜୁ ବାବୁଙ୍କ ଦବଦବା ରହିଛି । ଯାହାକୁ ନେଇ ବିଜେଡି ଚିନ୍ତାରେ । ପୂର୍ବଥର ଭଳି ଏଥର ମଧ୍ୟ କଂଗ୍ରେସ ଲଢ଼େଇରେ ନାହିଁ । ତେବେ କଂଗ୍ରେସ ପ୍ରାର୍ଥୀ ହରେକୃଷ୍ଣ ସେଠୀ ମଧ୍ୟ ପ୍ରଚାର ଜୋରସୋରରେ କରୁଛନ୍ତି । ଆଉ ଦିନକ ପରେ ଭୋଟ ଥିବାରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି