ମୋକିମଙ୍କୁ ହାଇକୋର୍ଟରୁ ମିଳିଲା ଆଶ୍ବସ୍ତି, ବିଧାୟକ ପଦ ବଜାୟ ରହିଲା

କଟକ: ଓଆରଏଚଡିସି ମାମଲାରେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ହାଇକୋର୍ଟରୁ ଆଶ୍ବସ୍ତି ମିଳିଛି । ଭିଜିଲାନସ କୋର୍ଟଙ୍କ ଦଣ୍ଡାଦେଶ ଉପରେ ହାଇକୋର୍ଟ ରହିତାଦେଶ ଦେଇଛନ୍ତି । ହାଇକୋର୍ଟଙ୍କ ରହିତାଦେଶ ପରେ ମୋକିମଙ୍କ ବିଧାୟକ ପଦ ବଜାୟ ରହିଛି । ଆସନ୍ତା ଫେବ୍ରୁଆରୀ 22ରେ ପରବର୍ତ୍ତି ଶୁଣାଣି ହେବାକୁ କୋର୍ଟ ତାରିଖ ଧାର୍ଯ୍ୟ କରିଛନ୍ତି ।

କଟକ ବାରବାଟୀ ବିଧାୟକ ତଥା ମେଟ୍ରୋ ବିଲ୍ଡର୍ସର ପରିଚାଳନା ନିର୍ଦ୍ଦେଶକ ମହମ୍ମଦ ମୋକିମ୍‌ଙ୍କୁ ୩ ବର୍ଷ ଜେଲ୍‌ ଦଣ୍ଡାଦେଶ କରିଥିଲେ ଭିଜିଲାନସ କୋର୍ଟ । ତଥ୍ୟ ପ୍ରମାଣ ଦେଖିବା ପରେ ହାଇକୋର୍ଟ ଏହି ମାମଲା ରେ ତଳ କୋର୍ଟର ରାୟ ଉପରେ ରହିତାଦେଶ ଜାରି କରିଛନ୍ତି । ଭିଜିଲାନ୍ସ କୋର୍ଟର ଦଣ୍ଡକୁ ଖାରଜ ପାଇଁ ଅନୁରୋଧ କରି ‌ବିଧାୟକ ମୋକିମ୍ ମାମଲା ରୁଜୁ କରିଛନ୍ତି। ତେବେ ହାଇକୋର୍ଟ ଏହି ମାମଲାକୁ ଏବେ ଆଉ ଥରେ ଶୁଣାଣି କରିବାକୁ ତାରିଖ ସ୍ଥିର କରିଥିବାରୁ ସମସ୍ତେ ଏହି ମାମଲାରେ ନିଜ ନିଜର ପକ୍ଷ ରଖିପାରିବେ ।

ଉଲ୍ଲେଖଯୋଗ୍ୟ, ଓଡ଼ିଶା ଗ୍ରାମ୍ୟ ଗୃହ ନିର୍ମାଣ ଓ ଉନ୍ନୟନ ନିଗମ(ଓଆରଏଚଡିସି) ମାମଲାର ଶୁଣାଣି କରି ଭିଜିଲାନ୍ସ କୋର୍ଟ ବିଧାୟକଙ୍କୁ ୩ବର୍ଷ ଜେଲ୍‌ ଓ ୫୦ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଥିଲେ। ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ସତ୍ୟନାରାୟଣ ଷଡ଼ଙ୍ଗୀ ଏହି ରାୟ ଦେଇଥିଲେ। ଅପରପକ୍ଷେ ଏହି ମାମଲାର ରାୟ ପ୍ରକାଶ ପାଉ ପାଉ ବିଧାୟକ ମୋକିମ୍‌ଙ୍କୁ ଭିଜିଲାନ୍ସ କୋର୍ଟରୁ ଜାମିନ୍‌ ମଧ୍ୟ ସେହିଦିନ ମିଳି ଯାଇଥିଲା।

ସୂଚନାଯୋଗ୍ୟ, ୨୯ ସେପ୍ଟେମ୍ବରରେ ବିଧାୟକ ମୋକିମଙ୍କୁ ୩ ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଇଥିଲେ ଭିଜିଲାନ୍ସ କୋର୍ଟ । ଆଉ ଏନେଇ କୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ କରି ଅକ୍ଟୋବର ୨ରେ ବିଧାୟକ ମୋକିମ୍ ତଳ କୋର୍ଟଙ୍କ ଦଣ୍ଡାଦେଶ ବିରୋଧରେ ହାଇକୋର୍ଟ ଯାଇଥିଲେ ।

ସୂଚନା ଅନୁସାରେ ମେଟ୍ରୋ ବିଲଡର ଓଆରଏଚ୍‌ଡିସି ରୁ ତିନି ଥର ଲୋନ ନେଇ ପରିଶୋଧ କରିଥିଲା । ପ୍ରଥମେ ୩୫ ଲକ୍ଷ ଟଙ୍କା ଲୋନ ନେଇ  ୧୯୯୬ ମସିହାରେ ପରିଶୋଧ କରିଥିଲା ଲୋନ । ପରେ  ୫୦ ଲକ୍ଷ ଟଙ୍କାର ଲୋନ ଆଣି ୧୯୯୮ରେ ପରିଶୋଧ କରିଥିଲା । ଏହାପରେ ଏକ କୋଟି ଟଙ୍କାର ଲୋନ ଆଣି ୨୦୦୦ ମସିହାରେ ଲୋନ ପରିଶୋଧ କରିଥିଲା । ତିନି ଥର ଲୋନ ଆଣି ସୁଧମୂଳ ପରିଶୋଧ କରିଥିଲା ମେଟ୍ରୋ ବିଲଡର ।  ପରେ  ଦେଢ଼ କୋଟି ଟଙ୍କା ଲୋନ ଆଣିଥିଲା କଂପାନି ।  ଦେଢ଼ କୋଟି ଆଣିବା ପରେ ଏକ କୋଟି ୩୭ ଲକ୍ଷ ଟଙ୍କା ସୁଝିବା ପରେ ଓଆରଏଚ୍‌ଡିସିରେ ଦୁର୍ନୀତି ଅଭିଯୋଗ ହୋଇଥିଲା ଏବଂ ଭିଜିଲାନସ ମାମଲାକୁ ଗ୍ରହଣ କରିଥିଲା । ବିଧାୟକ ମହମ୍ମଦ ମୋକିମଙ୍କ କହିବା କଥା ତାଙ୍କ କଂପାନି ଲୋନ ଆଣିଥିଲା ଏବଂ ତିନିଟି ଲୋନ ମଧ୍ୟ ପରିଶୋଧ କରିଥିଲା । ଚତୁର୍ଥ ଲୋନ ଆଣି ମଧ୍ୟ ପରିଶୋଧ କରୁଥିଲା । କିନ୍ତୁ ଭିଜିଲାନସ ମାମଲା କରିବାରୁ ଆଉ କିଛି ଲୋନ ପେଣ୍ଡିଙ୍ଗ ରହିଲା । ଏଥିରେ କଂପାନିର କି ଦୋଷ ରହିଲା ବୋଲି ବିଭିନ୍ନ ଗଣମାଧ୍ୟମରେ  କହିଥିଲେ ବିଧାୟକ । ୨୦୦୯ର ଏହି ଋଣ ମାମଲା ରେ ତାଙ୍କ କଂପାନି କିଛି ବେଆଇନ କାମ କରିନାହିଁ ବୋଲି ମତ ରଖିଥିଲେ ବିଧାୟମ ମୋକିମ ।