କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେଙ୍କ ଅବୈଧ ନିର୍ମାଣକୁ ଭାଙ୍ଗିବାକୁ ମୁମ୍ବାଇ ମ୍ୟୁନିସପାଲ କର୍ପୋରେସନକୁ ନିର୍ଦ୍ଦେଶ

ମୁମ୍ବାଇ: କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେଙ୍କ ବେଆଇନ ଘର ଭାଙ୍ଗିବାକୁ ବମ୍ବେ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି । ଜୁହୁ ଅଞ୍ଚଳରେ ମନ୍ତ୍ରୀଙ୍କ ବଙ୍ଗଳାରେ ଅବୈଧ ନିର୍ମାଣ ରହିଛି । ଅବୈଧ ନିର୍ମାଣକୁ ଭାଙ୍ଗିବାକୁ ହାଇକୋର୍ଟ ମୁମ୍ବାଇ ମ୍ୟୁନିସପାଲ କର୍ପୋରେସନକୁ ନିର୍ଦ୍ଦେଶ ଦେଇଛନ୍ତି । ଦୁଇ ସପ୍ତାହ ମଧ୍ୟରେ ବଙ୍ଗଳାର ବେଆଇନ ଅଂଶ ଭାଙ୍ଗିବାକୁ ଏବଂ ଏକ ସପ୍ତାହ ପରେ କୋର୍ଟରେ ରିପୋର୍ଟ ଦାଖଲ କରିବାକୁ ବିଏମସିକୁ ନିର୍ଦ୍ଦେଶ ଦିଆଯାଇଛି ।

ରାଣେ ପରିବାରର କମ୍ପାନୀ ଦ୍ବାରା ଦାଖଲ ହୋଇଥିବା ଦ୍ୱିତୀୟ ଆବେଦନକୁ ବିଚାର କରିବା ଏବଂ ଅନୁମତି ଦେବା ଅନୁମତିକୁ ପ୍ରତ୍ୟାଖ୍ୟାନ କରିଛନ୍ତି କୋର୍ଟ । କାରଣ ଏହା ବହୁ ସଂଖ୍ୟାରେ ବେଆଇନ୍ ନିର୍ମାଣକୁ ଉତ୍ସାହିତ କରିବ । ଏଥସହ ଖଣ୍ଡପୀଠ ମଧ୍ୟ ରାଣେଙ୍କୁ ୧୦ ଲକ୍ଷ ଟଙ୍କା ଜୋରିମାନା ଲଗାଇଛନ୍ତି । ତେବେ ରାଣେଙ୍କ ଓକିଲ ଶାର୍ଦ୍ଦୁଲ ସିଂ ଦାବି କରିଛନ୍ତି ଯେ କୋର୍ଟ ତାଙ୍କର ଆଦେଶକୁ ୬ ସପ୍ତାହ ପର୍ଯ୍ୟନ୍ତ ରଖନ୍ତୁ ଯାହା ଦ୍ବାରା ସେ ସୁପ୍ରିମକୋର୍ଟରେ ଆବେଦନ କରିପାରିବେ । ତେବେ କୋର୍ଟ ଏହି ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି ।