ବିଜେପିର ନୂଆ ପ୍ରଭାରୀ ପହଁଚିଲେ ରାଜ୍ୟ କାର୍ଯ୍ୟାଳୟରେ

ଭୁବନେଶ୍ବର: ବିଜେପି ରାଜ୍ୟ ପ୍ରଭାରୀ ସୁନିଲ ବଂଶଲ ଆସି ଭୁବନେଶ୍ବରରେ ପହଁଚିଛନ୍ତି । ବିଜେପିର ନବନିଯୁକ୍ତ ରାଜ୍ୟ ପ୍ରଭାରୀ ସୁନୀଲ ବଂଶଲ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ଆଜି ମଧ୍ୟାହ୍ନରେ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ରାଜ୍ୟ ବିଜେପି ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି। ବିମାନବନ୍ଦରରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ଭୁବନେଶ୍ୱର ଲୋକସଭା ସଦସ୍ୟ ଅପରାଜିତା ଷଡ଼ଙ୍ଗୀ, ଲେଖାଶ୍ରୀ ସାମନ୍ତସିଂହାରଙ୍କ ସମେତ ବହୁ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। ବିମାନବନ୍ଦରରୁ ସିଧାସଳଖ ବିଜେପି ରାଜ୍ୟ କାଯ୍ୟାଳୟକୁ ଯାଇଛନ୍ତି ସୁନୀଲ୍ ବଂଶଲ। ନୂଆ ରାଜ୍ୟ ପ୍ରଭାରୀଙ୍କ ଏହା ପ୍ରଥମ ଓଡ଼ିଶା ଗସ୍ତ ହୋଇଥିବାରୁ ତାଙ୍କୁ ବିମାନବନ୍ଦରରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା ।

ଏଥିରେ ଦଳର ସମସ୍ତ ପ୍ରମୁଖ ନେତା ସାମିଲ ହୋଇଥିଲେ । ତାଙ୍କର ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଜିତିବାରେ ବଡ଼ ଭୂମିକା ଥିଲା । ସେଠାରେ ଯେଉଁ ରଣନୀତି ପ୍ରସ୍ତୁତ ହୋଇଥିଲା ଓଡ଼ିଶାରେ ମଧ୍ୟ ସେହିଭଳି ରଣନୀତି ପ୍ରସ୍ତୁତ ନେଇ ଆଲୋଚନା ହେବ ବୋଲି ଚର୍ଚା ହେଉଛି । ବିଧାନସଭା କ୍ଷେତ୍ରରେ ଦଳର ସ୍ଥିତି ନେଇ ସମୀକ୍ଷା କରାଯିବାର ସଂଭାବନା ରହିଛି । ଏହା ସହ ବୁଥ୍ ସ୍ତରରେ ସଙ୍ଗଠନକୁ କିପରି ମଜବୁତ୍ କରାଯିବ ସେ ନେଇ ରାଜ୍ୟ ପ୍ରଭାରୀ ପରାମର୍ଶ ଦେବେ ବୋଲି କୁହାଯାଉଛି ।