ଓଡ଼ିଶାରେ କ୍ରୁଟ୍‌ ଦ୍ବାରା ପରିଚାଳିତ ‘ମୋ ବସ୍‌ ଓ ମୋ ଇ-ରାଇଡ୍‌’ ସେବାକୁ ସଫଳ ସମାଧାନ ବର୍ଗରେ ମିଳିଲା ପୁରସ୍କାର

କେନ୍ଦ୍ର ଆବାସ ଓ ସହରାଞ୍ଚଳ ବ୍ୟାପାର ଏବଂ ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଶ୍ରୀ ହରଦୀପ ସିଂ ପୁରୀ ନୂଆଦିଲ୍ଲୀ ଠାରେ ସ୍ମାର୍ଟ ସଲ୍ୟୁସନ୍ସ ଚାଲେଞ୍ଜ ଏବଂ ସମାବେଶୀ ସହର ପୁରସ୍କାର ୨୦୨୨ ପ୍ରଦାନ କରିଛନ୍ତି । ରାଜଧାନୀ ଭୁବନେଶ୍ବର ଓ କଟକ ଦ୍ବୈତ ନଗରୀ ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସାର୍ବଜନୀନ ପରିବହନ ସେବା ପ୍ରଦାନ କରୁଥିବା ମୋ ବସ୍‌ ଓ ମୋ ଇ-ରାଇଡକୁ ମଧ୍ୟ ଏହି ଅବସରରେ ପୁରସ୍କୃତ କରାଯାଇଛି । ସ୍ମାର୍ଟ ସିଟୀରେ କାର୍ଯ୍ୟକାରୀ ହେଉଥିବା ସଫଳ ସମାଧାନ ବା ସଲ୍ୟୁସନ୍ସ ବର୍ଗରେ ଓଡ଼ିଶାର କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ଦ୍ବାରା ପ୍ରଦାନ କରାଯାଉଥିବା ‘ମୁଭିଂ ୱିଦ୍‌ ପ୍ରାଇଡ୍‌’ ବା ସମ୍ମାନର ସହ ଯାତ୍ରା ସେବା (ମୋ ବସ ଓ ମୋ ଇ-ରାଇଡ୍‌)କୁ ପୁରସ୍କାର ମିଳିଛି ।

ଦିବ୍ୟାଙ୍ଗ, ମହିଳା ଓ ବାଳିକା ଏବଂ ବୟସ୍କମାନେ ସମ୍ମୁଖିନ ହେଉଥିବା ସମସ୍ୟା ଦୂର କରିବା ସହିତ ସେମାନଙ୍କୁ ସହରସ୍ତରୀୟ ଅଭିଗମ୍ୟତା ଓ ସମାବେଶିତା ପ୍ରଦାନ କରିବା ଲାଗି ଜାତୀୟ ସହରାଞ୍ଚଳ ବ୍ୟାପାର ସଂସ୍ଥାନ (ଏନଆଇୟୁଏ) ଏବଂ ଭାରତରେ ମିଳିତ ଜାତିସଂଘ ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯାଉଛି । ଏହି ଅବସରରେ ଭାରତରେ ମିଳିତ ଜାତିସଂଘର ଆବାସିକ ସଂଯୋଜକ ଶ୍ରୀ ଶୋମ୍ବି ଶାର୍ପ, ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ଅଧୀନ ସ୍ମାର୍ଟ ସିଟି ମିଶନର ଯୁଗ୍ମ ସଚିବ ତଥା ମିଶନ ନିର୍ଦ୍ଦେଶକ ଶ୍ରୀ କୁନାଲ କୁମାରଙ୍କ ସମେତ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଏହି ଅବସରରେ ଉପସ୍ଥିତ ଥିଲେ ।