ଚାଷ କ୍ଷୟକ୍ଷତି ରିପୋର୍ଟ ଦାଖଲ କରିବାକୁ କୃଷି ମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ବର: ସ୍ୱତନ୍ତ୍ର ରିଲିଫ୍‌ କମିଶନରଙ୍କ ଦ୍ୱାରା ଜାରି ମାର୍ଗଦର୍ଶିକା ଅନୁସାରେ ବନ୍ୟା ପ୍ରଭାବିତ ଅଞ୍ଚଳରେ ଫସଲ କ୍ଷୟକ୍ଷତିର ତୁରନ୍ତ ଆକଳନ କରିବାକୁ କୃଷିମନ୍ତ୍ରୀ ନିର୍ଦେଶ ଦେଇଛନ୍ତି । ଚଳିତ ମାସ ୨୭ ତାରିଖ ସୁଦ୍ଧା କ୍ଷୟକ୍ଷତି ରିପୋର୍ଟ ଦାଖଲ କରିବା ପାଇଁ କ୍ଷେତ୍ରାଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏହି ନିର୍ଦ୍ଦେଶ ଦେଇଛନ୍ତି। ଯେଉଁଠାରେ ବନ୍ୟାଜଳ ଛାଡ଼ି ନଥିବ ଏବଂ କ୍ଷୟକ୍ଷତିର ଆକଳନ ସମ୍ଭବ ହେଉନଥିବ, ସେ କ୍ଷେତ୍ରରେ ଚଳିତ ମାସ ୩୦ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ କ୍ଷତିଗ୍ରସ୍ତ ଉଠାଜଳସେଚନ ପଏଣ୍ଟ୍‌ଗୁଡ଼ିକର ରିପୋର୍ଟ ମଧ୍ୟ ଦାଖଲ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ନିର୍ଦ୍ଦେଶ ଦେଇଛନ୍ତି । ବନ୍ୟା ପ୍ରଭାବିତ ଅଞ୍ଚଳରେ ସଅଳ କିସମର ଧାନ ବିହନର ଆବଶ୍ୟକତା ଏବଂ ଅଣଧାନ ଫସଲ, ପନିପରିବା ବିହନର ଆବଶ୍ୟକତା ଆକଳନ କରି ସମ୍ପୃକ୍ତ ନିର୍ଦ୍ଦେଶାଳୟଗୁଡ଼ିକୁ ଜଣାଇବା ପାଇଁ କୁହାଯାଇଛି ।