ବନ୍ୟା ସ୍ଥିତି ସମୀକ୍ଷା: ସତର୍କ ରହିବାକୁ ପରାମର୍ଶ
ରାଜ୍ୟରେ ଲଗାଣ ବର୍ଷା ପରେ ବନ୍ୟା ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ହୀରାକୁଦର ଜଳସ୍ତର ବୃଦ୍ଧି ପାଉଥିବାରୁ ମହାନଦୀରେ ବନ୍ୟା ଆସିବାକୁ ନେଇ ଆଲୋଚନା ହୋଇଛି ।
କ୍ରମାଗତ ଭାବେ ବର୍ଷା ଲାଗି ରହିଥିବାରୁ ମହାନଦୀ ଅବବାହିକା ଅଞ୍ଚଳର ୧୦ଟି ଜିଲ୍ଲାରେ ବନ୍ୟା ହେବାର ସମ୍ଭାବନା ଦେଖାଦେଇଛି । ତେଣୁ ଏହି ୧୦ଟି ଜିଲ୍ଲାର ଜିଲ୍ଲାପାଳ ମାନେ ସତର୍କ ରହିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ । ବନ୍ୟା ପରିସ୍ଥିତିକୁ ରୋକିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଏନଡିଆରଏଫ୍, ଓଡିଆରଏଫ୍ ଓ ଅଗ୍ନିଶମବିଭାଗ ଗୁଡିକୁ ବିଭିନ୍ନ ବିପଦସଙ୍କୁଳ ସ୍ଥାନଗୁଡିକରେ ସଜାଗ ରଖି ଆବଶ୍ୟକସ୍ଥଳେ ଲୋକଙ୍କ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ । ହସ୍ପିଟାଲ, ଜଳଯୋଗାଣ ଓ ବିଦ୍ୟୁତ ଯୋଗାଣ ବ୍ୟବସ୍ଥା ପରି ଜୀବନ ରକ୍ଷାକାରୀ ସଂସ୍ଥା ଗୁଡିକ ନିରବଚ୍ଛିନ୍ନ ଭାବରେ ସେବା ଯୋଗାଇ ଦେବା ମଧ୍ୟ କହିଛନ୍ତି ମୁଖ୍ୟମନ୍ତ୍ରୀ । ସ୍ବାସ୍ଥ୍ୟ ବିଭାଗ ପ୍ରଭାବିତ ଅଞ୍ଚଳରେ ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦେବାପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି ।
ବୈଠକରେ ସ୍ବତନ୍ତ୍ର ରିଲିଫ କମିଶନର ଶ୍ରୀ ପି.କେ ଜେନା ପରିସ୍ଥିତି, ପ୍ରସ୍ତୁତି ଓ ପଦକ୍ଷେପ ସଂପର୍କରେ ଉପସ୍ଥାପନା ରଖି କହିଲେ ଯେ ମହାନଦୀର ଉପର ଓ ତଳମୁଣ୍ଡରେ ବର୍ଷା ହୋଇ ୧୦ଟି ଜିଲ୍ଲାରେ ବନ୍ୟା ପରିସ୍ଥିତିର ସମ୍ଭାବନା ଦେଖାଦେଇଛି। ଗତକାଲି ହୀରାକୁଦର ୮ଟି ଗେଟ୍ ବନ୍ଦ କରାଯାଇଛି ଏବଂ ବର୍ତ୍ତମାନ ୨୬ଟି ଗେଟ୍ ଖୋଲା ରହିଛି । କୌଣସି ଅବଶ୍ୟକ ନ ହେଲେ, ଆଗାମୀ ୩ ଦିନ ପର୍ଯ୍ୟନ୍ତ ଏହି ବ୍ୟବସ୍ଥା ଜାରି ରହିବ। ଏହାଦ୍ବାରା ହୀରାକୁଦର ତଳ ମୁଣ୍ଡରେ ବନ୍ୟା ପରିସ୍ଥିତିର ପ୍ରଭାବ ସାମାନ୍ୟ କମିଛି । ୭ଟି ଜିଲ୍ଲାରେ ୯ଟି ଓଡ୍ରାଫ, ୬ଟି ଜିଲ୍ଲାରେ ୯ଟି ଏନଡିଆରଏଫ୍ ଟିମ୍, ୪୪ଟି ଅଗ୍ନିଶମ ସେବା ୟୁନିଟ୍କୁ ସଜାଗ ରଖାଯାଇଛି । ଆଜି ମହାନଦୀର ମୁଣ୍ଡଳୀ ଠାରେ ୧୧.୭୫ ଲକ୍ଷ କ୍ୟୁସେକ ଜଳ ପ୍ରଭାବିତ ହେବ ବୋଲି ସେ ସୂଚନା ଦେଇଥିଲେ ।
ସେେପଟେ ରାଜ୍ୟରେ ସମ୍ଭାବ୍ୟ ବନ୍ୟାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ । ଆଗାମୀ ୩ ଘଣ୍ଟା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ । ୩ ଘଣ୍ଟାରେ ବନ୍ୟା ପିକ୍ ଛୁଇଁବ । ମୁଣ୍ଡୁଳିରେ ବର୍ତ୍ତମାନ ୧୧.୬ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଉଛି । ବନ୍ୟା ଉପରେ ପ୍ରଶାସନ ନଜର ରଖିଛନ୍ତି । ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ମହାନଦୀରେ ବନ୍ୟାଜଳ ପ୍ରବାହିତ ହେଉଛି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।