ଦେଶ ପାଳୁଛି ୭୬ତମ ସ୍ବାଧିନତା ଦିବସ । ଆଜାଦି କା ଅମୃତ ମହୋତ୍ସବରେ ଦେଶବାସୀ ସମସ୍ତେ ସାମିଲ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲକିଲ୍ଲାରେ ତ୍ରୀରଙ୍ଗା ପତାକା ଉତ୍ତୋଳନ କରି ଦେଶବାସୀଙ୍କୁ ଉଦ୍ବୋଧନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି “ସ୍ୱାଧୀନତାର ୭୫ବର୍ଷ ପୂରଣ ହେତୁ ଦେଶବାସୀଙ୍କୁ ଅନେକ ଅନେକ ଅଭିନନ୍ଦନ, ଅନେକ ଅନେକ ଶୁଭେଚ୍ଛା। ସାରା ବିଶ୍ୱରେ ଥିବା ଦେଶପ୍ରେମୀମାନେ, ଯେଉଁମାନେ କି ସ୍ୱାଧୀନତାର ଅମୃତ ମହୋତ୍ସବ ପାଳୁଛନ୍ତି, ସେମାନଙ୍କୁ ମଧ୍ୟ ଅନେକ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଆଜି ମହାନ ବ୍ୟକ୍ତିମାନଙ୍କୁ ସ୍ମରଣ କରିବାର ଦିନ। ପ୍ରଧାନମନ୍ତ୍ରୀ ସ୍ବାଧୀନତା ସଂଗ୍ରାମୀ ଓ ଦେଶ ନିର୍ମାତା ରାଜେନ୍ଦ୍ର ପ୍ରସାଦ, ଜବାହରଲାଲ୍ ନେହେରୁ, ସର୍ଦାର୍ ପଟେଲ, ଏସ୍.ପି. ମୁଖାର୍ଜୀ, ଲାଲ୍ ବାହାଦୁର ଶାସ୍ତ୍ରୀ, ଦୀନଦୟାଲ୍ ଉପାଧ୍ୟୟ, ଜେ.ପି. ନାରାୟଣ, ରାମମନୋହର ଲୋହିଆ, ବିନୋବା ଭାବେ, ନାନାଜୀ ଦେଶମୁଖ ଏବଂ ସୁବ୍ରମଣିୟମ୍ ଭାରତୀ ପ୍ରମୁଖଙ୍କୁ ସ୍ମରଣ କରିଥିଲେ।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଆମର ୭୫ ବର୍ଷର ଯାତ୍ରା ଉତ୍ଥାନରେ ପରିପୂର୍ଣ୍ଣ ହୋଇଛି। ଏହା ମଧ୍ୟରେ ବି ଆମ ଦେଶବାସୀ ସଫଳତା ହାସଲ କରିଛନ୍ତି। ଏହାରି ଭିତରେ ଯେତେବେଳେ ସ୍ୱାଧୀନତା ସଂଗ୍ରାମ ଶେଷ ପର୍ଯ୍ୟାୟରେ ଥିଲା, ସେତେବେଳେ ମଧ୍ୟ ଦେଶକୁ ହତାଶ କରିବା ପାଇଁ ବିଭିନ୍ନ ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ସେ ସବୁ କିନ୍ତୁ ଦେଶପ୍ରେମ ଆଗରେ ଫିକା ପଡିଯାଇଥିଲା । କାରଣ ଏହା ହିନ୍ଦୁସ୍ଥାନର ମାଟି, ଏହା ହେଉଛି ଭାରତମାତାର ମାଟି ଥିଲା । ସ୍ବାଧୀନତା ସଂଗ୍ରାମରେ ସର୍ବସ୍ବ ବଳୀଦାନ ଦେଇଥିବା ସଂଗ୍ରାମୀମାନଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରି ଥିଲେ ପ୍ରଧାନମନ୍ତ୍ରୀ ମୋଦି । ମଙ୍ଗଲ ପାଣ୍ଡେ, ତାତ୍ୟା ଟୋପେ, ଭଗତ ସିଂହ, ସୁଖଦେବ, ରାଜଗୁରୁ, ଚନ୍ଦ୍ରଶେଖର ଆଜାଦ୍, ଆଶଫକ୍ୟୁଲ୍ଲା ଖାଁ, ରାମପ୍ରସାଦ ବିସ୍ମିଲ୍ ଏବଂ ବ୍ରିଟିସ୍ ଶାସନର ମୂଳଦୁଆ ଦୋହଲାଇ ଦେଇଥିବା ଆମର ଅସଂଖ୍ୟ ବିପ୍ଳବୀମାନଙ୍କ ପ୍ରତି ଏ ଜାତି କୃତଜ୍ଞ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ମୋଦି ।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଭାରତରେ ଏମିତି କୌଣସି କୋଣ ନାହିଁ, ଯେଉଁଠି ଦେଶବାସୀ ଶହ ଶହ ବର୍ଷ ଧରି ଦାସତ୍ୱ ବିରୁଦ୍ଧରେ ଲଢ଼େଇ କରିନାହାଁନ୍ତି । ଦେଶପାଇଁ ଦେଶର ସବୁସ୍ଥାନରେ କେହି ନା କେହି ବଳିଦାନ ଦେଇଛନ୍ତି । ଆଜି ଆମ ସମସ୍ତ ଦେଶବାସୀଙ୍କ ପାଇଁ ଏକ ସୁଯୋଗ, ପ୍ରତ୍ୟେକ ମହାନ ବ୍ୟକ୍ତି, ପ୍ରତ୍ୟେକ ସଂଗ୍ରାମୀ ଏବଂ ବଳିଦାନକାରୀଙ୍କୁ ମନେପକାଇ ପ୍ରଣାମ କରିବା।
ଏହା ସହ ପ୍ରଧାନମନ୍ତ୍ରୀ ଦୁର୍ନୀତି ଓ ପରିବାରବାଦ ଉପରେ ବର୍ଷିଥିଲେ । କହିଥିଲେ ଉଇ ଖାଇଲା ଭଳି ଦୁର୍ନୀତି ମୋ ଦେଶକୁ ଖାଇ ଯାଉଛି। ଯୋଗ୍ୟତା ଭିତ୍ତିରେ ଦେଶକୁ ଆଗେଇ ନେବା ନିମନ୍ତେ ଆମେ ଚେଷ୍ଟା କରିବା ଉଚିତ ।
ଅତୀତର ସରକାରରେ ଯେଉଁମାନେ ଭାରତକୁ ଲୁଟ୍ କରିଛନ୍ତି ଏବେ ସେମାନେ ଫଳ ଭୋଗୁଛନ୍ତି ବୋଲି ମଧ୍ୟ କହିଥିଲେ ପ୍ରଧାନମନ୍ତ୍ରୀ । ଦୁର୍ନୀତି ବିରୋଧରେ ମୋଦି ଦେଶବାସୀଙ୍କଠାରୁ ସହଯୋଗ ଚାହୁଁଥିବା କହିଛନ୍ତି ପ୍ରଧାନମନ୍ତ୍ରୀ। ଦୁର୍ନୀତି ଏବଂ ଦୁର୍ନୀତିଖୋରମାନଙ୍କ ବିରୋଧରେ ଆମକୁ ସଂଗ୍ରାମ କରିବାକୁ ପଡ଼ିବ ବୋଲି ସେ ଆହ୍ବାନ ଦେଇଛନ୍ତି ।