ଜଗଦୀପ ଧନଖଡ଼ ଉପରାଷ୍ଟ୍ରପତି

ଏନ୍‌ଡିଏ ପ୍ରାର୍ଥୀ ଜଗଦୀପ ଧନଖଡ଼ ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। ବିରୋଧୀ ଦଳମାନଙ୍କର ମିଳିତ ପ୍ରାର୍ଥୀ ମାର୍ଗାରେଟ ଆଲ୍‌ଭାଙ୍କୁ ୩୪୬ ଭୋଟ୍‌ରେ ପରାଜିତ କରିଛନ୍ତି।

ନବନିର୍ବାଚିତ ଉପରାଷ୍ଟ୍ରପତି ଧନଖଡ଼ଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି। ରାଷ୍ଟ୍ରପତି ଟ୍ବିଟ୍‌ କରି କହିଛନ୍ତି, ସାର୍ବଜନୀନ ଜୀବନରେ ଧନଖଡ଼ଙ୍କ ବିଶାଳ ଅଭିଜ୍ଞତାରୁ ଦେଶ ଉପକୃତ ହେବ। ଧନଖଡ଼ଙ୍କୁ ପ୍ରଧାନମନ୍ତ୍ରୀ ଭେଟି ଅଭିନନ୍ଦନ ଜଣାଇଛନ୍ତି। ଧନଖଡ଼ଙ୍କ ପ୍ରତିଦ୍ବନ୍ଦ୍ବୀ ମାର୍ଗାରେଟ ଆଲ୍‌ଭା ନିର୍ବାଚନ ଫଳ ଘୋଷଣା ପରେ ଟ୍ବିଟ୍‌ କରି ଧନଖଡ଼ଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଉପରାଷ୍ଟ୍ରପତି ଭେଙ୍କୟା ନାଇଡ଼ୁ ଧନଖଡ଼ଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମେ ଭୋଟ୍‌ ଦେଇଥିବା ସାଂସଦଙ୍କ ମଧ୍ୟରେ ସାମିଲ ଥିଲେ। ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ହ୍ବିଲ୍‌ଚେୟାରରେ ସଂସଦ ଭବନ ପହଞ୍ଚି ମତଦାନ କରିଥିଲେ। ସୋନିଆ ଗାନ୍ଧି ଏବଂ ରାହୁଲ ଗାନ୍ଧି ଅପରାହ୍ନରେ ଭୋଟ୍‌ ଦେଇଥିଲେ। ଟିଏମ୍‌ସି ଭୋଟ୍‌ଦାନରୁ ବିରତ ରହିଥିବା ବେଳେ ଏହାର ୨ ଜଣ ସାଂସଦ (ଶିଶିର ଅଧିକାରୀ, ଦିବ୍ୟେନ୍ଦୁ ଅଧିକାରୀ) ଦଳର ନିଷ୍ପତ୍ତି ବିରୋଧରେ ଯାଇ ଭୋଟ୍‌ ଦେଇଛନ୍ତି।

ଧନଖଡ଼ଙ୍କୁ ମୋଟ ୫୨୮ ଭୋଟ୍‌ ମିଳିଥିବା ବେଳେ ଆଲ୍‌ଭାଙ୍କୁ ୧୮୨ଟି ଭୋଟ୍‌ ମିଳିଛି। ମୋଟ ୭୮୦ ସାଂସଦଙ୍କ ମଧ୍ୟରୁ ୭୨୫ ଜଣ ସାଂସଦ ଭୋଟ୍‌ ଦେଇଥିବା ବେଳେ ୧୫ଟି ଭୋଟ୍‌ ନାକଚ ହୋଇଯାଇଛି।

ନିର୍ବାଚନରେ ୯୨.୯୪ ପ୍ରତିଶତ ମତଦାନ ହୋଇଥିଲା। ସମସ୍ତ ବୈଧ ଭୋଟ୍‌ରୁ ଧନଖଡ଼ ୭୪.୩୬ ପ୍ରତିଶତ ଭୋଟ୍‌ ହାସଲ କରିଛନ୍ତି। ବର୍ତ୍ତମାନର ଉପରାଷ୍ଟ୍ରପତି ଏମ୍‌ ଭେଙ୍କୟା ନାଇଡ଼ୁଙ୍କ କାର୍ଯ୍ୟକାଳ ଅଗଷ୍ଟ ୧୦ରେ ଶେଷ ହେବ।