ଭାରତ ଓ ମରିସସ୍ ସମ୍ପର୍କକୁ ନିବିଡ କରିବା ଲାଗି ଦୁଇ ଦେଶ ମଧ୍ୟରେ ୮ଟି ବୁଝାମଣା ସ୍ବାକ୍ଷର
ଭାରତ ଓ ମରିସସ୍ ସମ୍ପର୍କକୁ ନିବିଡ କରିବା ଲାଗି ଦୁଇ ଦେଶ ମଧ୍ୟରେ ୮ଟି ବୁଝାମଣା ସ୍ବାକ୍ଷର ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମରିସସ୍ ଗସ୍ତ ଅବସରରେ ବୁଧବାର ଦୁଇଦେଶ ମଧ୍ୟରେ ବାଣିଜ୍ୟ ଓ ସାମୁଦ୍ରିକ ସୁରକ୍ଷା ସମ୍ପର୍କିତ ଦ୍ବିପାକ୍ଷିକ ବୁଝାମଣା ସ୍ବାକ୍ଷର ହୋଇଛି। ବୁଝାମଣା ଅନୁଯାୟୀ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ କାରବାର ଲାଗି ନିଜ ନିଜର ଜାତୀୟ ମୁଦ୍ରାକୁ ବ୍ୟବହାର କରିବେ। ଏଥିପାଇଁ ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ମରିସସ୍ ଓ ରିଜର୍ଭ ବ୍ୟାଙ୍କ ଇଣ୍ଡିଆ ମଧ୍ୟରେ ବୁଝାମଣା ସ୍ବାକ୍ଷର ହୋଇଛି। ଏହା ସହିତ ଦୁଇ ଦେଶ ପରସ୍ପରର ସାମୁଦ୍ରିକ ସୂଚନା ଆଦାନ ପ୍ରଦାନ କରିବେ। ଅର୍ଥ ଫେରଫେର ଭଳି ଅପରାଧକୁ ମିଳିତ ଭାବେ ଦମନ କରିବେ। ଏମଏସ୍ଏମଇ କ୍ଷେତ୍ରରେ ପରସ୍ପରର ସହଯୋଗ କରିବେ। ଭାରତର ନୌସେନା ଓ ମରିସସ୍ ପୁଲିସ ବାହିନୀ, ଫାଇନାନ୍ସିଆଲ କମିସନ ଅଫ୍ ମରିସସ୍ ଓ ଭାରତର ପ୍ରବର୍ତ୍ତନ ନିର୍ଦେଶାଳୟ ଆଦି ଦୁଇ ଦେଶର ବିଭିନ୍ନ ବିଭାଗ ମଧ୍ୟରେ ୮ଟି ବୁଝାମଣା ସ୍ବାକ୍ଷର ହୋଇଛି।
ମରିସସ୍ ପ୍ରତିପକ୍ଷ ନବୀନଚନ୍ଦ୍ର ରାମଗୁଲାମଙ୍କ ସହ କଥାବାର୍ତ୍ତା କାଳରେ ମୋଦୀ ଭାରତର ଗ୍ଲୋବାଲ ସାଉଥ ଭିଜନ ସମ୍ପର୍କରେ କହିଥିଲେ। ଏହି ଗ୍ଲୋବାଲ ସାଉଥକୁ ମହାସାଗର ଭାବେ ନାମକରଣ କରାଯାଇଛି। ଏହି ଭିଜନ ଜରିଆରେ ସମସ୍ତ ଅଞ୍ଚଳରେ ସୁରକ୍ଷା ଓ ବିକାଶକୁ ଗୁରୁତ୍ବ ଦିଆଯାଉଛି। ମୋଦୀ କହିଥିଲେ ଯେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ)କୁ ମାନବଜାତିର ବିକାଶ ଦିଗରେ ଉପଯୋଗ କରିବେ। ମରିସସ୍ର ନୂଆ ପାର୍ଲାମେଣ୍ଟ ଭବନ ନିର୍ମାଣରେ ଭାରତ ସହଯୋଗ କରିବ। ମରିସସ୍ର ଉପକୂଳ ସୁରକ୍ଷା ଦିଗରେ ଭାରତ ସର୍ବଦା ସହଯୋଗ କରିବ। ମୋଦୀ ଓ ରାମଗୁଲାମ ବୁଧବାର ମରିସସର ରେଡୁଇଟ୍ ଠାରେ ଅଟଳ ବିହାରୀ ବାଜପେୟୀ ଇନଷ୍ଟିଚ୍ୟୁଟ୍ ଅଫ୍ ପବ୍ଲିକ୍ ସର୍ଭିସ୍ ଆଣ୍ଡ ଇନୋଭେସନକୁ ମିଳିତ ଭାବେ ଉଦ୍ଘାଟନ କରିଥିଲେ। ଭାରତ-ମରିସସ୍ ବିକାଶ ଭାଗିଦାରୀ ଅଧୀନରେ କାର୍ଯ୍ୟକାରୀ ହୋଇଥିବା ଏହି ଐତିହାସିକ ପ୍ରକଳ୍ପ ମରିସସରେ ଦକ୍ଷତା ବିକାଶ ପାଇଁ ଭାରତର ପ୍ରତିବଦ୍ଧତାକୁ ଦର୍ଶାଉଛି। ୨୦୧୭ର ଏକ ବୁଝାମଣାପତ୍ର ଅଧୀନରେ ୪.୭୪ ନିୟୁତ ଡଲାର ଅନୁଦାନ ଏହାକୁ ନିର୍ମାଣ କରାଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆଇଟିଇସି ଏବଂ ଭାରତ ସରକାରଙ୍କ ସ୍କଲାରସିପ୍ ଲାଭ କରିଥିବା ପୂର୍ବତନ ଛାତ୍ରଛାତ୍ରୀଙ୍କ ସହ ମଧ୍ୟ ଆଲୋଚନା କରିଥିଲେ, ଯେଉଁମାନେ ପୂର୍ବରୁ ଭାରତରେ ପ୍ରଶିକ୍ଷଣ ଏବଂ ଶିକ୍ଷା ଲାଭ କରିଛନ୍ତି। ଏହି ଦକ୍ଷତା ବୃଦ୍ଧି ଦୁଇ ଦେଶ ମଧ୍ୟରେ ଲୋକଙ୍କ ମଧ୍ୟରେ ସମ୍ପର୍କକୁ ଆହୁରି ସୁଦୃଢ଼ କରିଛି।