ବଦଳିବ ରାଜନୈତିକ ଦୃଶ୍ୟପଟ୍ଟ, ନୀତିଶ ହେବେ ଆଉଟ୍, ତେଜସ୍ୱୀ ଧରିବେ ରାଜ୍ୟର ଡୋରୀ

ବଦଳିବ ରାଜନୈତିକ ଦୃଶ୍ୟପଟ୍ଟ, ନୀତିଶ ହେବେ ଆଉଟ୍, ତେଜସ୍ୱୀ ଧରିବେ ରାଜ୍ୟର ଡୋରୀ

ମେଟ୍ରୋଟିଭିଓଡିଶା(୨୪.୪.୨୦୨୨)

୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଦେଶର ଗୋଟିଏ ପରେ ଗୋଟିଏ ରାଜ୍ୟରେ ରାଜନୈତିକ ଝଡ଼ ଦେଖିବାକୁ ମିଳିଲାଣି । ବଡ଼ ବଡ଼ ଦଳମାନେ ଫାଇନାଲ୍ ମ୍ୟାଚ ପୂର୍ବରୁ ନିଜର ବ୍ୟାଟିଂ ଓ ବୋଲିଂକୁ ଶକ୍ତିଶାଳୀ କରିବାକୁ ଗେମ୍ ପ୍ଲାନ୍ ଆରମ୍ଭ କରିଦେଲେଣି । ତେବେ ଏହା ମଧ୍ୟରେ ବିହାରର ରାଜନୈତିକ ପରିସ୍ଥିତି ସରଗରମ୍ ହୋଇଉଠିଛି । ନିକଟରେ ବିହାର ବିଧାନସଭା ଉପନିର୍ବାଚନରେ ଆଜେଡି ବିଜୟଲାଭ କରିଥିବା ବେଳେ ଜେଡିୟୁ ଏହି ଫଳାଫଳକୁ ନେଇ ଖୁସି ମନାଇଥିଲା । ତେବେ ବିହାରର ଏନଡିଏ ମେଣ୍ଟର ସହଯୋଗୀ ଥିବା ଜେଡିୟୁ ବିଜେପିର ପରାଜୟରେ ଖୁସି ମନାଇବା ସମସ୍ତଙ୍କୁ ଚକିତ କରିଦେଇଥିଲା । ନିକଟରେ ଆରଜେଡି ନେତା ତେଜସ୍ୱୀ ଯାଦବଙ୍କ ଇଫତାର ପାର୍ଟିରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଯୋଗଦେବା ନିଆଁରେ ଘିଅ ଢାଳିବା ସଦୃଶ ହୋଇଛି ।

ଅନ୍ୟପଟେ ଆରଜେଡି ରାଜ୍ୟରେ ସରକାର ଗଠନ କରିବାକୁ ଯାଉଛି ବୋଲି କହିଛନ୍ତି ତେଜପ୍ରତାପ ଯାଦବ । ତେବେ ଯଦି ଏପରି କିଛି ଘଟେ, ତେବେ ବିହାରରେ ଖୁବଶୀଘ୍ର ବିଜେପି-ଜେଡିୟୁ ମେଣ୍ଟର ପତ୍ତନ ଘଟିବ ଆଉ ନୂଆ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବେ । ଗତ ବିଧାନସଭା ନିର୍ବାଚରେ ଆରଜେଡି ସର୍ବାଧିକ ଆସନ ଅକ୍ତିଆର କରିଥିଲେ ହେଁ ସରକାର ଗଠନରୁ ବଞ୍ଚିତ ହୋଇଥିଲା । ନୀତିଶ ସୁଚତୁର ଗୋଟି ଚାଳନା କରି ବିଜେପି ସହ ମେଣ୍ଟ କରି ମୁଖ୍ୟମନ୍ତ୍ରୀ ହୋଇଥିଲେ । ତେବେ ଜେଡିୟୁଠାରୁ ବିଜେପି ଅଧିକ ସିଟ୍ ହାସଲ କରିଥିବାରୁ ଅଧିକାଂଶ ସମୟରେ ବିଜେପି ନେତାମାନେ ନୀତିଶଙ୍କୁ ଅପମାନିତ କରୁଥିବା କିଛି ନେତା କହିଥିଲେ ।

ନୀତିଶ ମୁଖ୍ୟମନ୍ତ୍ରୀ ଆସନରେ ବସିଥିଲେ ହେଁ ସବୁେଳେ ବିଜେପି ନିଜର ବଡ଼ଭାଇ ପଣିଆ ଦେଖାଇ ନୀତିଶଙ୍କୁ ଗୌଣ କରିଦେଉଥିଲା । ତେଣୁ ନୀତିଶ ବିଜେପି ଟ୍ରାପରୁ ମୁକୁଳିବାକୁ ଯେ ତ୍ରାହିତ୍ରାହି ଡାକୁଥିଲେ ଏବେ ତାହା ସ୍ପଷ୍ଟ ହୋଇଛି । ଯଦିଓ ଏହି ଇଫତାର ପାର୍ଟିର ରାଜନୀତି ସହ କିଛି ସମ୍ପର୍କ ନାହିଁ ବୋଲି ନୀତିଶ ସ୍ପଷ୍ଟ କରିଛନ୍ତି, ତେବେ ରାଜନୀତିରେ କିଛି ବି ଅସମ୍ଭବ ନୁହେଁ । ନୀତିଶ ଚାଚାଙ୍କ ସହିତ ରାଜନୀତି ବିଷୟରେ ଆଲୋଚନା ହୋଇଥିବା ତେଜପ୍ରତାପ କହିଥିବାରୁ ଖୁବଶୀଘ୍ର ରାଜ୍ୟରେ ପଲିଟିକାଲ ଗେମ୍ ଚେଞ୍ଜ ହେବାକୁ ଯାଉଛି ବୋଲି ଚର୍ଚ୍ଚା ଆରମ୍ଭ ହୋଇଗଲାଣି ।