ଜଳବାୟୁ ପରିବର୍ତ୍ତନ ପ୍ରଭାବ: ଦୈନିକ କ୍ଷତି ୨୦୨ ନିୟୁତ ଡଲାର

ଜଳବାୟୁ ପରିବର୍ତ୍ତନ ପ୍ରଭାବ: ଦୈନିକ କ୍ଷତି ୨୦୨ ନିୟୁତ ଡଲାର

ମେଟ୍ରୋଟିଭିଓଡିଶା(୨୯.୪.୨୦୨୨)

ବିଶ୍ୱରେ ଜଳବାୟୁ ପରିବର୍ତ୍ତନ ଘାତକ ସାବ୍ୟସ୍ତ ହେବାକୁ ଯାଉଛି। ଏହାର ପ୍ରଭାବରେ ୨୦୫୦ ସୁଦ୍ଧା ସମୁଦାୟ ବିଶ୍ୱର ଜିଡିପି ପ୍ରାୟ ୪% କ୍ଷତି ସହିତ ବୋଲି ଏକ ଆକଳନରୁ ଜଣାଯାଇଛି। ବାଂଲାଦେଶ, ଭାରତ, ପାକିସ୍ତାନ ଏବଂ ଶ୍ରୀଲଙ୍କାରେ ଜଳବାୟୁ ପରିବର୍ତ୍ତନ କାରଣରୁ ଏକାଥିକ ବନାଗ୍ନି, ବନ୍ୟା, ଭୀଷଣ ଝଡବାତ୍ୟା ଏବଂ ଜଳାଭାବ ଭଳି ସଙ୍କଟ ଦେଖାଦେବ। ଏହାଦ୍ୱାରା ସମୁଦାୟ ଦକ୍ଷିଣ ଏସିଆ ଜିଡିପିର ୧୦ରୁ ୧୮% ପ୍ରଭାବିତ ହେବା ଆଶଙ୍କା ରହିଛି। ବିଶେଷକରି ବିଶ୍ୱର ଦରିଦ୍ର ରାଷ୍ଟ୍ରଗୁଡିକ ଏହାଦ୍ୱାରା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେବେ ବୋଲି ୧୩୫ଟି ରାଷ୍ଟ୍ରକୁ ନେଇ କରାଯାଇଥିବା ଆକଳନ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି।

ଏସିଆ, ମଧ୍ୟପ୍ରାଚ୍ୟ ଏବଂ ଉତ୍ତର ଆଫ୍ରିକା ସହିତ ଉପ ସାହାରା ଅଞ୍ଚଳରେ ଥିବା ଆଫ୍ରିକୀୟ ରାଷ୍ଟ୍ରଗୁଡିକ ବିପୁଳ କ୍ଷୟକ୍ଷତିର ସମ୍ମୁଖୀନ ହେବେ। ପୂର୍ବ ଏସିଆ ଏବଂ ପ୍ରଶାନ୍ତ ମହାସାଗରୀୟ ରାଷ୍ଟ୍ରଗୁଡିକ ଉପରେ ସମପରିମାଣରେ ପ୍ରଭାବ ପଡ଼ିବ ଏବଂ ଏହା ମୁଖ୍ୟତଃ ଝଡବାତ୍ୟା, ବନ୍ୟା ଭଳି ରୂପରେ ସଂଘଟିତ ହେବ। ସେଥିପାଇଁ ଏହିସବୁ ଦରିଦ୍ର ରାଷ୍ଟ୍ରଗୁଡିକୁ ଧନୀ ରାଷ୍ଟ୍ରଙ୍କ ପକ୍ଷରୁ ସହାୟତା ଯୋଗାଇ ଦିଆଯିବାର ଆବଶ୍ୟକତା ରହିଛି ବୋଲି ଏସ୍‍ଆଣ୍ଡପିର ବରିଷ୍ଠ ବିଶ୍ଳେଷକ ରବର୍ଟୋ ସିଫନ-ଆରେଭେଲୋ କହିଛନ୍ତି। ସେ କହିଛନ୍ତି ଯେ ବୃହତ ସେବା କ୍ଷେତ୍ର ଅପେକ୍ଷା କୃଷି ଭଳି କ୍ଷେତ୍ର ଉପରେ ଅଧିକ ନିର୍ଭରଶୀଳ ରାଷ୍ଟ୍ରଗୁଡିକ ବିଶେଷ କ୍ଷତିଗ୍ରସ୍ତ ହେବା ଅନୁମାନ କରାଯାଉଛି। ଅଧିକାଂଶ ରାଷ୍ଟ୍ରରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଏବଂ ତଦ୍‍ଜନିତ କ୍ଷୟକ୍ଷତି ମଧ୍ୟ ପରିଲକ୍ଷିତ ହେବାକୁ ଲାଗିଲାଣି। ଗତ ୧୦ ବର୍ଷ ମଧ୍ୟରେ ଝଡବାତ୍ୟା, ବନାଗ୍ନି ଓ ବନ୍ୟା ଭଳି ବିପର୍ଯ୍ୟୟ ବୃଦ୍ଧିପାଇବାରେ ଲାଗିଛି ଏବଂ ଏଥିଯୋଗୁଁ ବିଶ୍ୱସ୍ତରରେ ପ୍ରତିବର୍ଷ ଜିଡିପିର ପ୍ରାୟ ୦.୩% କ୍ଷତି ଘଟୁଛି। ବିଶ୍ୱ ପାଣିପାଗ ସଂଗଠନ ମଧ୍ୟ କହିଛି ଯେ ପାଣିପାଗ, ଜଳବାୟୁ ଥବା ଜଳ ସମ୍ପର୍କିତ ବିପର୍ଯ୍ୟୟ କାରଣରୁ ବିଶ୍ୱରେ ଗତ ୫୦ ବର୍ଷ ଧରି ପ୍ରତିଦିନ ହାରାହାରି ୧୧୫ ଜଣଙ୍କର ମୃତ୍ୟୁଘଟୁଛି ଏବଂ ଦୈନିକ ୨୦୨ ନିୟୁତ ଡଲାରରୁ ଅଧିକ କ୍ଷତି ଘଟୁଛି।