ପୁଣିଥରେ ଚର୍ଚ୍ଚାରେ ପଞ୍ଜାବ ରିଅର୍ଗାନାଇଜେସନ ଆଇନ,କାହିଁକି ଚଣ୍ଡିଗଡ଼କୁ ନିଜର କହୁଛନ୍ତି ପଞ୍ଜାବ?

why-punjab-haryana-and-himachal-stake-claim-to-chandigarh

ମେଟ୍ରୋ ଓଡିଶା (୨୮.୩.୨୦୨୨) :

ପୁଣିଥରେ ଚର୍ଚ୍ଚାରେ ପଞ୍ଜାବ ରିଅର୍ଗାନାଇଜେସନ ଆଇନ। ଗତକାଲି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଚଣ୍ଡିଗଡ଼ରେ କାମ କରୁଥିବା ସମସ୍ତ କର୍ମଚାରୀଙ୍କୁ କେନ୍ଦ୍ରୀୟ କର୍ମଚାରୀ ଭାବେ ବିବେଚନା କରାଯିବ ବୋଲି ଘୋଷଣା କରିଥିଲେ। ଏହି ନିୟମ ଆଜିଠାରୁ କାର୍ଯ୍ୟକାରୀ ମଧ୍ୟ ହୋଇଛି। ଶ୍ରୀ ଶାହଙ୍କ ଏହି ଘୋଷଣା ପରେ ପଞ୍ଜାବ ରିଅର୍ଗାନାଇଜେସନ ଆଇନ ପୁଣିଥରେ ଗଣମାଧ୍ୟମର ଶିରୋନାମା ପାଲଟିଛି। ଚଣ୍ଡିଗଡ଼କୁ ପଞ୍ଜାବ, ହରିଆଣା ଓ ହିମାଚଳ ପ୍ରଦେଶ ନିଜର ବୋଲି ଦାବି କରୁଛନ୍ତି। ଏପରି ସ୍ଥିତିରେ କେନ୍ଦ୍ରର ନୂଆ ଘୋଷଣା ନୂଆ ଟ୍ୱିଷ୍ଟ ଆଣିଛି।ପଞ୍ଜାବ ସରକାର ଦାବି କରିଛନ୍ତି ଯେ ଚଣ୍ଡିଗଡ଼ ସବୁବେଳେ ପଞ୍ଜାବର ଅବିଚ୍ଛେଦ୍ୟ ଅଙ୍ଗ। ୧୯୮୫ରେ ରାଜୀବ ଲୋଙ୍ଗୱାଲ ଚୁକ୍ତି ଅନୁସାରେ ବିଭିନ୍ନ ରାଜନୀତିକ ଦଳ କରୁଥିବା ଦାବିରେ ସତ୍ୟତା ରହିଛି। ଅକାଳୀ ଦଳ କହିଛି ଯେ ପଞ୍ଜାବର ଅଧିକାରକୁ ସଙ୍କୁଚିତ କରିବା ପାଇଁ ଏପରି ବ୍ୟବସ୍ଥା ହୋଇଛି। କାରଣ ରବିବାର ଯାଏ ଚଣ୍ଡିଗଡ଼ର ସରକାରୀ କର୍ମଚାରୀମାନେ ପଞ୍ଜାବ ସିଭିଲ ସର୍ଭିସ ନିୟମ ଅନୁସାରେ କାର୍ଯ୍ୟ କରୁଥିଲେ। ଏବେ ସେମାନେ କେନ୍ଦ୍ର ଅଧୀନକୁ ଚାଲି ଯାଇଛନ୍ତି।

୧୯୬୬ ମସିହା ସେପ୍ଟେମ୍ବର ୧୮ରେ ପଞ୍ଜାବ ରିଅର୍ଗାନାଇଜେନସ ଆଇନ ପାରିତ ହୋଇଥିଲା। ପଞ୍ଜାବ ଓ ହରିଆଣା ରାଜ୍ୟ ଭାବେ ମାନ୍ୟତା ପାଇବ ସହ ଚଣ୍ଡିଗଡ଼ କେନ୍ଦ୍ର ଶାସିତ ଅଞ୍ଚଳ ହୋଇଥିଲା। ସେହିପରି ପାହାଡ଼ିଆ ଅଞ୍ଚଳଗୁଡ଼ିକ ହିମାଚଳ ପ୍ରଦେଶ ପାଖକୁ ଯିବା ପରେ ଏହି ଆଇନ କାର୍ଯ୍ୟକାରୀ ହୋଇଥିଲା।ପଞ୍ଜାବ ରିଅର୍ଗାନାଇଜେସନ ଆଇନ ଅନୁଯାୟୀ, ଚଣ୍ଡିଗଡ଼ରେ ୬୦% କର୍ମଚାରୀ ପଞ୍ଜାବର ଓ ୪୦% ହରିଆଣାର କାର୍ଯ୍ୟ କରିବେ। ସେହିପରି ଚଣ୍ଡିଗଡ଼ ଗୋଟିଏ ବିବାଦୀୟ ଅଞ୍ଚଳ ଭାବେ ଦୀର୍ଘଦିନରୁ ରହି ଆସିଥିବା କଂଗ୍ରେସ ନେତା ସୁଖପାଲ ସିଂହ ଖଇରା କହିଛନ୍ତି। ସମାନ ଆଇନ ବଳରେ ପଞ୍ଜାବ ବ୍ୟତୀତ ହରିଆଣା ମଧ୍ୟ ଚଣ୍ଡିଗଡ଼ ଉପରେ ନିଜର ଅଧିକାର ଜାହିର କରୁଛି। ହରିଆଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂହ ହୁଡ୍ଡା କହିଛନ୍ତି, “ଚଣ୍ଡିଗଡ଼ ସବୁବେଳେ ହରିଆଣାର ଓ ଏହା ହରିଆଣାର ଗୋଟିଏ ଅଂଶ।” ଚଣ୍ଡିଗଡ଼ ଅମ୍ବାଲାର ଗୋଟିଏ ଅଂଶ ହୋଇଥିବାରୁ ଏହା ଉପରେ ହରିଆଣାର ଅଧିକାର ରହିଥିବା ବିଭିନ୍ନ ରାଜନୀତିକ ଦଳର ନେତାମାନେ ମଧ୍ୟ କହିଛନ୍ତି।୨୦୧୧ ସେପ୍ଟେମ୍ବର ୨୭ରେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ଆଧାର କରି ହିମାଚଳ ପ୍ରଦେଶ ମଧ୍ୟ ଚଣ୍ଡିଗଡ଼କୁ ନିଜର କହୁଛି। ପଞ୍ଜାବ ରିଅର୍ଗାନାଇଜେସନ ଆଇନ ୧୯୬୬ ଅନୁଯାୟୀ ଚଣ୍ଡିଗଡ଼ର ୭.୧୯% ଅଞ୍ଚଳ ଉପରେ ହିମାଚଳର ପ୍ରଦେଶର ଅଧିକାର ଥିବା ସୁପ୍ରିମକୋର୍ଟ କହିଥିବା ରାଜ୍ୟ ସରକାର କହୁଛନ୍ତି। ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟ ରାମ ଠାକୁର ମଧ୍ୟ ଭାକ୍ରାନଙ୍ଗଳ ବିଦ୍ୟୁତ ପ୍ରକଳ୍ପ ଉତ୍ପାଦିତ ବିଦ୍ୟୁତ ଶକ୍ତିର ୭.୧୯ ପ୍ରତିଶତ ଦାବି କରିଛନ୍ତି।