ଇରାନର ଗୁରୁତ୍ୱପୂର୍ଣ୍ଣ ଖାର୍ଗ ଦ୍ୱୀପରେ ଭୟଙ୍କର ମିସାଇଲ୍ ଆକ୍ରମଣ କଲେ ଆମେରିକା
ଖାର୍ଗ ଦ୍ୱୀପରେ ଆକ୍ରମଣ । ଇରାନର ଗୁରୁତ୍ୱପୂର୍ଣ୍ଣ ଖାର୍ଗ ଦ୍ୱୀପରେ ଭୟଙ୍କର ମିସାଇଲ୍ ଆକ୍ରମଣ ହୋଇଛି । ଏଠାରେ ଗୋଟିଏ ପରେ ଗୋଟିଏ ମିସାଇଲ ଆକ୍ରମଣ ହୋଇଥିବା ସ୍ଥାନୀୟ ଗଣମାଧ୍ୟମ ପ୍ରକାଶ କରିଛି ।
ରିପୋର୍ଟ ଅନୁସାରେ, ଇରାନର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ ତଥା ପ୍ରମୁଖ ବାଣିଜ୍ୟ କେନ୍ଦ୍ର ଖାର୍ଗରେ ଆକ୍ରମଣ କରାଯାଇଛି । ଆମେରିକା ଏବଂ ଇସ୍ରାଏଳ ମିଳିତ ଭାବେ ଏହାକୁ ଟାର୍ଗେଟ୍ କରିଥିବା କୁହାଯାଉଛି । ଫଳରେ ସାରା ବିଶ୍ୱରେ ତୈଳ କାରବାର ପ୍ରଭାବିତ ହେବାର ଆଶଙ୍କା ଦେଖାଦେଇଛି । ଏଠାରୁ ଇରାନ ନିଜର ତୈଳ ରପ୍ତାନୀ କରିଥାଏ ।
ଧମକ ଦେଇଥିଲେ ଟ୍ରମ୍ପ୍
ଗତ ସପ୍ତାହରେ ଟ୍ରୁଥ୍ ସୋସିଆଲରେ ପୋଷ୍ଟ କରି ଟ୍ରମ୍ପ କହିଥିଲେ ଯେ, ‘ଇରାନରେ ଆମର ସାମରିକ ଅଭିଯାନ ବନ୍ଦ କରିବା ପାଇଁ ଆମେରିକା ଏକ ନୂତନ ଏବଂ ଅଧିକ ବୁଦ୍ଧିମାନ ଶାସକଙ୍କ ସହିତ ଆଲୋଚନା କରୁଛି। ଆଲୋଚନା ଯଥେଷ୍ଟ ଅଗ୍ରଗତି ହୋଇଛି । କିନ୍ତୁ ଯଦି କୌଣସି କାରଣରୁ, ଶୀଘ୍ର ଏକ ଚୁକ୍ତିନାମା ନହୁଏ ଏବଂ ହର୍ମୁଜ୍ ପ୍ରଣାଳୀ ତୁରନ୍ତ ଖୋଲା ନଯାଏ, ତେବେ ଆମେ ଇରାନରେ ଶକ୍ତି କେନ୍ଦ୍ର, ତୈଳ କୂପ, ଖାର୍ଗ ଦ୍ୱୀପ ଧ୍ୱଂସ କରିଦେବୁ ।’
ପୂର୍ବରୁ ହୋଇଛି ଆଟାକ୍
ଯୁଦ୍ଧ ଆରମ୍ଭ ହେବାର କିଛି ଦିନ ପରେ ଆମେରିକା ଇରାନର ଖାର୍ଗ ଦ୍ୱୀପ ର ନିକଟବର୍ତ୍ତୀ ଅଞ୍ଚଳରେ ବୋମା ମାଡ଼ କରିଥିଲା । ଖାର୍ଗ ଦ୍ୱୀପ ଆଖପାଖରେ ଥିବା ସାମରିକ ଘାଟିଗୁଡ଼ିକୁ ଟାର୍ଗେଟ କରିଥିଲା ଆମେରିକା। ଖାର୍ଗ ଦ୍ୱୀପ ଇରାନ ଏବଂ ଏହାର ଅର୍ଥନୀତି ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଇରାନର ତୈଳ ବାଣିଜ୍ୟର ୯୦ ପ୍ରତିଶତ ଖାର୍ଗ ଦ୍ବୀପରୁ ହୋଇଥାଏ । ଇରାନର ସର୍ବବୃହତ୍ତମ ତୈଳ ରପ୍ତାନୀ କେନ୍ଦ୍ର ଖାର୍ଗ ଦ୍ୱୀପରେ ଅବସ୍ଥିତ।