ଆଜି ବିଶ୍ଵ ପାଣିପାଗ ଦିବସ

ଆଜି ବିଶ୍ଵ ପାଣିପାଗ ଦିବସ World-Meteorological-Day-Date-Theme-Slogans-Meaning-History-Significance

ମେଟ୍ରୋ ଟିଭି ଓଡିଶା (୨୩ .୩ . ୨୦୨୨) :

ଜଳବାୟୁ ପରିବର୍ତ୍ତନର ସର୍ବାଧିକ ପ୍ରଭାବ ଓଡ଼ିଶା ଉପରେ ପଡୁଛି। ପୃଥିବୀ ପୃଷ୍ଠରେ ଉଷ୍ମତା ବୃଦ୍ଧି ପାଇବା ଯୋଗୁଁ ସମୁଦ୍ର ଜଳସ୍ତର ବଢ଼ୁଛି। ଜଳସ୍ତର ବୃଦ୍ଧି ପାଇବାରୁ ଉପକୂଳବର୍ତ୍ତୀ ଜିଲାଗୁଡିକ ଅଧିକ ପ୍ରଭାବିତ ହେଉଛି। ସମୁଦ୍ର ଉପକୂଳବର୍ତ୍ତୀ ଗାଁ ଗୁଡିକ ସମୁଦ୍ର ମଧ୍ୟରେ ଲୀନ ହୋଇଯାଇଛି। ଜଳବାୟୁ ପରିବର୍ତ୍ତନ କେନ୍ଦ୍ରାପଡା ଜିଲାକୁ ସର୍ବାଧିକ ପ୍ରଭାବିତ କରିଛି। ସମୁଦ୍ର ଜଳ ପତ୍ତନ ବୃଦ୍ଧି ହେତୁ କେନ୍ଦ୍ରାପଡା ଜିଲାର ସାତଭାୟାର ସାତଟି ଗାଁ ସମୁଦ୍ର ଭିତରେ ନିଜର ସ୍ଥିତି ହରାଇ ସାରିଲାଣି।

୧୯୩୦ ମସିହା ସରକାରଙ୍କ ଜମି ରେକର୍ଡ ତଥ୍ୟ କହୁଛି, ଏହି ଅଞ୍ଚଳ ଜମିର କ୍ଷେତ୍ରଫଳ ୩୨୦ ବର୍ଗ କି.ମି ଥିଲା; କିନ୍ତୁ ୨୦୦୦ ମସିହା ବେଳକୁ ୧୫୫ ବର୍ଗ କି.ମିକୁ ହ୍ରାସ ପାଇଛି। ଅର୍ଥାତ ୧୬୫ ବର୍ଗ କି.ମି ଜମି ସମୁଦ୍ର ଭିତରକୁ ଚାଲି ଯାଇଛି। ଯାହାର ହିସାବ ରାଜ୍ୟ ସରକାରଙ୍କ ପାଖରେ ନାହିଁ। ୧୯୮୦ ଦଶକ ପ୍ରାରମ୍ଭରେ ଜିଲାର ଗୋବିନ୍ଦପୁର, ମହନିପୁର ଓ କୁଆନ୍ୱିଓରା ଗ୍ରାମ ସମୁଦ୍ରରେ ଅଦୃଶ୍ୟ ହୋଇଛି। ୧୯୯୦ ଦଶକ ମଧ୍ୟ ଭାଗରେ ଖରିକୁଲା ଓ ସରପଡା ଗାଁ ସମୁଦ୍ରରେ ବୁଡିଥିବା ଜଣାପଡିଛି। କେବଳ କେନ୍ଦ୍ରାପଡା ଜିଲାର ଉପକୂଳବର୍ତ୍ତୀ ଗାଁ ସମୁଦ୍ରରେ ନିଜର ସ୍ଥିତି ହରାଇଛି ତା’ନୁହେଁ ବରଂ ପୁରୀ ଜିଲାର କେତେକ ଗାଁ ମଧ୍ୟ ସମୁଦ୍ର ମଧ୍ୟରେ ଲିଭିଛି। ଜିଲାର ଅସ୍ତରଙ୍ଗ ବ୍ଲକର କାନାରପୁର, ଚନ୍ଦ୍ରଭାଗାଠାରୁ ପ୍ରାୟ ୧୫ କିଲୋମିଟର ମଧ୍ୟରେ ଥିବା ଉଦୟକାନ, ଚେନୁ, ତାଣ୍ଡାହାର, କଲାମାକାନି ଓ କାଟାକାନା ଗାଁର କିଛି ଅଂଶ ସମୁଦ୍ରରେ ମିଶି ଗଲାଣି। ଯେଉଁ ଅଂଶଗୁଡିକ ବାକି ରହିଛି ହୁଏତ ଆଉ କିଛି ବର୍ଷପରେ ସମୁଦ୍ର ଗର୍ଭକୁ ଚାଲିଯିବ। ଆଇପିସିସି ପ୍ରକାଶ କରିଥିବା ବିବରଣୀ ତଥ୍ୟାନୁଯାୟୀ, ୨୦୫୦ ସୁଦ୍ଧା ଓଡ଼ିଶାର ପାରାଦ୍ୱୀପ ସହର ସମ୍ପୂର୍ଣ୍ଣ ସମୁଦ୍ର ଭିତରକୁ ଚାଲିଯିବ। ସହର ଉପରେ ୩ ଫୁଟର ଲୁଣି ପାଣି ଜୁଆର ଖେଳିବ।ଶୀତ ଋତୁ ଉପରେ ଜଳବାୟୁ ପରିବର୍ତ୍ତନ ମଧ୍ୟ ପ୍ରଭାବ ପକାଉଛି। ବିଗତ ୪ ବର୍ଷ ମଧ୍ୟରେ ଡିସେମ୍ବର, ଜାନୁଆରୀ ଓ ଫେବୃଆରୀ ପ୍ରଥମ ସପ୍ତାହରେ ହାଡ଼ଭଙ୍ଗା ଶୀତ ହୋଇଛି। ଆଭ୍ୟନ୍ତରୀଣ ଓଡ଼ିଶାର ଜିଲାଗୁଡିକରେ ୧୯୬୯ରୁ ୨୦୧୯ ମସିହା ମଧ୍ୟରେ ୫୦ ଦିନ ହାଡ଼ଭଙ୍ଗା ଶୀତ ହୋଇଥିଲା। ୧୯୬୯ରୁ ୨୦୧୯ ମଧ୍ୟରେ ୩୧ ରୁ ୫୦ ଥର ବନ୍ୟା ହୋଇଥିବା ଜିଲାଗୁଡିକ ମଧ୍ୟରେ ବାଲେଶ୍ୱର, କଟକ, ପୁରୀ ଏବଂ କୋରାପୁଟ। କଟକ, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ ଓ ଯାଜପୁର ଜିଲାରେ କମ ସମୟରେ ଅଧିକ ବୃଷ୍ଟିପାତ ହେଉଛି। ତା’ ଛଡା ଜଳବାୟୁ ପରିବର୍ତ୍ତନ ପ୍ରଭାବ ଉପକୂଳ ଜିଲାଗୁଡିକରେ ସିଧାସଳଖ ଦେଖିବାକୁ ମିଳୁଛି।

ଉପକୂଳ ଓଡ଼ିିଶାରେ ଘଣ୍ଟା ପ୍ରତି ପବନର ବେଗ ୧୮୦ କି.ମିରୁ ଅଧିକ ରହୁଛି। ସମୁଦ୍ର ପୃଷ୍ଠର ତାପମାତ୍ରା ବୃଦ୍ଧି ହେତୁ ବାଂଲାଦେଶ ଓ ମିଆଁମାର ପରିବ‌ର୍ତ୍ତ ଓଡ଼ିଶାରେ ଅକ୍ଟେବାର ଓ ନଭେମ୍ବର ପରି ଏପ୍ରିଲ ଓ ମେ’ରେ ମଧ୍ୟ ବାତ୍ୟା ଆସୁଛି। ଜଳବାୟୁ ପରିବର୍ତ୍ତନ ପ୍ରଭାବ କୃଷି ଉପରେ ପଡୁଛି। ମାସକର ବର୍ଷା ଗୋଟିଏ ଦିନରେ ହେଉଛି। ବନ୍ୟା ଓ ବାତ୍ୟା ଯୋଗୁଁ ଫସଲ କ୍ଷତି ଚାଷୀଙ୍କୁ ସହିବାକୁ ପଡୁଛି। ଜଳବାୟୁ ପରିବର୍ତ୍ତନ ଘଟିବାରୁ ଅଦିନରେ ଯାହା ଘଟିବା କଥା ନୁହେଁ ତାହା ଘଟିଛି। ଏହାର ପ୍ରଭାବ ସିଧାସଳଖ ମାନବ ସମାଜ ଉପରେ ପଡୁଛି। ହୃଦରୋଗ, ଶ୍ୱାସରୋଗୀଙ୍କ ସଂଖ୍ୟା ବଢ଼ୁଛି। ମ୍ୟାଲେରିଆ, ଡେଙ୍ଗୁ ମଶା ବଂଶ ବୃଦ୍ଧି ପାଇଁ ଜଳବାୟୁ ସୁହାଉଛି। ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି, ଏବେଠାରୁ ସରକାରଙ୍କୁ ଜଳବାୟୁ ପରିବର୍ତ୍ତନ ପ୍ରତିକୂଳତାକୁ ଲକ୍ଷ୍ୟ କରି ଆଇପିସିସିର ନିୟମାବଳୀକୁ କାର୍ଯ୍ୟକାରୀ କଲେ ଆଗାମୀ ଦିନରେ ଜଳବାୟୁ କ୍ରୁରତାର ମହାବିପଦକୁ ରକ୍ଷା କରାଯାଇ ପାରିବ।