ଆମେରିକା ପାଇଁ ଦିନକୁ ଦିନ ଅଡୁଆ ବଢିବାରେ ଲାଗିଛି , ପ୍ରଥମ ଥର ପାଇଁ ଦେଶର ଋଣ ୪୦ ଟ୍ରିଲିୟନ ଡଲାର ଟପିଛି
ଆମେରିକା ପାଇଁ ଦିନକୁ ଦିନ ଅଡୁଆ ବଢିବାରେ ଲାଗିଛି । ପ୍ରଥମ ଥର ପାଇଁ ଦେଶର ଋଣ ୪୦ ଟ୍ରିଲିୟନ ଡଲାର ଟପିଛି । ବୁଧବାର ସାମ୍ନାକୁ ଆସିଥିବା ଏକ ରିପୋର୍ଟରେ ଏହି ତଥ୍ୟ ମିଳିଛି । ରିପୋର୍ଟରେ ଜଣା ପଡିଛି ଯେ, ଡୋନାଲ୍ଡ ଟ୍ରମ୍ପ୍ ଏବଂ ଜୋ ବାଇଡେନଙ୍କ କାର୍ଯ୍ୟକାଳରେ ଋଣ ଭାର ସବୁଠୁ ଅଧିକ ହୋଇଛି । ଯାହା ପ୍ରାୟ ଦୁଇ ଗୁଣ ବଢିଛି । ଆମେରିକା ସରକାର ଋଣ ଭାରର ଅଧିକାଂଶ ପ୍ରତିରକ୍ଷା, ସାମାଜିକ ସୁରକ୍ଷା ଏବଂ ମେଡିକାଲ ଭଳି ଯୋଜନାରେ ଖର୍ଚ୍ଚ କରୁଛନ୍ତି । ସବୁଠାରୁ ବଡ଼ କଥା ହେଲା ଯେ, ଆମେରିକାର ଋଣ ପ୍ରତି ୫ ମାସରେ ୧ ଟ୍ରିଲିୟନ ଡଲାର ବଢୁଛି ।
ନ୍ୟୁଜ୍ ଏଜେନ୍ସି ରୟଟର୍ସ ଅନୁସାରେ, ଗତ କିଛି ମାସ ହେଲା ଆମେରିକାର ଜାତୀୟ ଋଣ ବୃଦ୍ଧି ପାଇଛି । ଅକ୍ଟୋବରରେ ଏହା ୩୮ ଟ୍ରିଲିୟନ ଥିଲା । ମାସ ପରେ ପରେ ଏହା ୩୯ ଟ୍ରିଲିୟନ ହୋଇଯାଇଥିଲା । ଏବେ ଏହା ୪୦ ଟ୍ରିଲିୟନ ହୋଇଯାଇଛି । ଅର୍ଥାତ ୧୦ ମାସରେ ଦୁଇ ଟ୍ରିଲିୟନ ବୃଦ୍ଧି ପାଇଛି । ଯାହାର ପ୍ରଭାବ ଆଗାମୀ ଦିନରେ ଆମେରିକାର ବଜେଟ୍ ଉପରେ ପଡିବ । ଋଣ ସୁଝିବାରେ ଅଧିକ ଅର୍ଥ ଖର୍ଚ୍ଚ ହେବ ।
ୟୁଏସ ଅର୍ଥ ବିଭାଗର କହିବାନୁସାରେ, ମଙ୍ଗଳବାର ସୁଦ୍ଧା ୪୦.୦୪୭ ଟ୍ରିଲିୟନ ଋଣ ରେକର୍ଡ ହୋଇଛି । ଏଥିରେ ଜନତାଙ୍କ ପାଖରେ ଥିବା ୩୨.୨୬୬ ଟ୍ରିଲିୟନ ଡଲାରର ସରକାରୀ ସିକ୍ୟୁରିଟି ଏବଂ ୭.୭୮୨ ଟ୍ରିଲିୟନ ଡଲାରରେ ଅଣ ସରକାରୀ ଋଣ ରହିଛି । ସାମାଜିକ ଯୋଜନା କାରଣରୁ ଋଣ ଭାର ଅଧିକ ହେଉଛି । ଯାହା ଟ୍ୟାକ୍ସରୁ ମିଳୁଥିବା ରାଜସ୍ୱରୁ ମଧ୍ୟ ବେଶି ।
୪୦ ଟ୍ରିଲିୟନର ଋଣ ଭାର ପଛରେ ଅନେକ ସରକାରୀ ଖର୍ଚ୍ଚ ସାମିଲ ଅଛି । ଆମେରିକା ପ୍ରତିରକ୍ଷା କ୍ଷେତ୍ରରେ ଅଧିକ ବ୍ୟୟ କରୁଛି । ଏହାସହ ଜନ କଲ୍ୟାଣକାରୀ ଯୋଜନାରେ ମଧ୍ୟ ଅଧିକ ଟଙ୍କା ଖର୍ଚ୍ଚ ହେଉଛି ।ପୁରୁଣା ଋଣ ସହ ବର୍ତ୍ତମାନର ଋଣ ଭାର ଆମେରିକା ଉପରେ ବୋଝ ହେଲାଣି । ଗୋଟିଏ ଦିଗରେ ସରକାର ପ୍ରତିରକ୍ଷା ଖର୍ଚ୍ଚ ବୃଦ୍ଧି କରିବାକୁ ବାଧ୍ୟ । ଅନ୍ୟ ଦିଗରେ ସାଧାରଣ ଲୋକଙ୍କ ପାଇଁ ଦରଦାମ୍ ବୃଦ୍ଧି କମାଇବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ।
ରିପୋର୍ଟରେ ଆହୁରି କୁହାଯାଇଛି ଯେ, ସରକାରୀ ଖର୍ଚ୍ଚରେ ଅତିରିକ୍ତ ଖର୍ଚ୍ଚକୁ ହ୍ରାସ କରାଯାଉଛି । ଠକେଇ ଏବଂ ଅପବ୍ୟବହାର ରୋକିବାକୁ ଧ୍ୟାନ ଦିଆଯାଉଛି । ଏହାସହ ଆର୍ଥିକ ବିକାଶକୁ ଦ୍ରୁତ କରିବା ପାଇଁ ପ୍ରୟାସ ହେଉଛି । ସେ ଯାହା ହେଉନା କାହିଁକି ଆଗାମୀ ଦିନରେ ଆମେରିକା ଏକ ବଡ ବିପଦର ସାମ୍ନା କରିବାକୁ ଯାଉଛି ।