୫୦ ଦେଶଙ୍କ ଲାଗି ଭିସା ବଣ୍ଡ ବାଧ୍ୟତାମୂଳକ କଲା ଆମେରିକା

ଆମେରିକା ୫୦ ଦେଶଙ୍କ ଲାଗି ଭିସା ବଣ୍ଡ ବାଧ୍ୟତାମୂଳକ କରିଛି। ଏହି ନିୟମ ୨ ଏପ୍ରିଲ ୨୦୨୬ରୁ ଲାଗୁ ହୋଇଯିବ। ଆମେରିକା ବିଦେଶ ବିଭାଗ ସୂଚନା ଅନୁସାରେ ନାଗରିକଙ୍କୁ ବି-୧ (ବିଜନେସ୍) ଓ ବି-୨ (ଟୁରିଷ୍ଟ) ଭିସା ନେବା ପୂର୍ବରୁ ୧୫ ହଜାର ଡଲାରର ବଣ୍ଡ ଜମା କରିବାକୁ ପଡିବ। ଏହି ବଣ୍ଡ ସେହି ଭିସାଧାରୀଙ୍କୁ ଫେରସ୍ତ କରିଦିଆଯିବ ଯେଉଁମାନେ ଭିସା ସର୍ତ୍ତ ପାଳନ କରିବେ ଓ ସମୟରେ ଆମେରିକାରୁ ଫେରିଯିବେ ବା ଆମେରିକା ଯାତ୍ରା ନ କରିବେ।

କାହିଁକି ପଦକ୍ଷେପ ନେଲା ଟ୍ରମ୍ପ ପ୍ରଶାସନ?
ଟ୍ରମ୍ପ ପ୍ରଶାସନ ଏହି ପଦେକ୍ଷେପ ନେବାର ଉଦ୍ଦେଶ୍ୟ ହେଲା ଅବୈଧ ରୂପେ ଭିସା ଅବଧିରୁ ଅଧିକ ସମୟ (ଓଭର ଷ୍ଟେ)କୁ କମ୍ କରିବା । ଆମେରିକୀୟ ଅଧିକାରୀଙ୍କ ଅନୁସାରେ ଏହି କାର୍ଯ୍ୟକ୍ରମରେ ଏ ପର୍ଯ୍ୟନ୍ତ ପାଖାପାଖି ୧ ହଜାର ବିଦେଶୀଙ୍କୁ ଭିସା ଜାରି ହୋଇଛି। ଏଥିରୁ ୯୭% ଲୋକେ ନିର୍ଦ୍ଧାରିତ ସମୟରେ ନିଜ ଦେଶକୁ ଫେରି ଯାଇଛନ୍ତି। ଏହାର ବିପରୀତ ପିଛିଲା ସରକାରଙ୍କ ଅନ୍ତିମ ବର୍ଷ ଏହି ଯୋଜନାରେ ୫୦ ଦେଶଙ୍କ ୪୪ ହଜାରରୁ ଅଧିକ ନାଗରିକ ଭିସା ଅବଧି ଠାରୁ ଅଧିକ ସମୟ ପର୍ଯ୍ୟନ୍ତ ଆମେରିକାରେ ରହିଥିଲେ।

ନିୟମରେ ଯୋଡା ହେଲେ ଏହି ସବୁ ଦେଶ
ଯଦି ବ୍ୟକ୍ତି ଭିସା ସର୍ତ୍ତ ପାଳନ କରି ସଠିକ ସମୟରେ ନିଜ ଦେଶକୁ ଫେରି ଯାଆନ୍ତି ତେବେ ତାଙ୍କ ଭିସା ବଣ୍ଡ ତାଙ୍କୁ ଫେରାଇ ଦିଆଯାଉଛି। ୨ ଏପ୍ରିଲରୁ ଏହି ନୂଆ ନୀତିରେ ୧୨ ନୂଆ ଦେଶ କମ୍ବୋଡିଆ, ଇଥୋପିଆ, ଜର୍ଜିଆ, ଗ୍ରେନେଡା, ଲୋସେଥୋ, ମରିସସ, ମଙ୍ଗୋଲିଆ,ମୋଜାମ୍ବିକ, ନିକାରଗୁଆ, ପାପୁଆ ନ୍ୟୁ ଗିନି, ସେସେଲସ୍ ଓ ଟ୍ୟୁନିସିୟାଙ୍କୁ ସାମିଲ କରାଯିବ। ଏହି ଦେଶମାନେ ସେହି ୩୮ ଦେଶଙ୍କ ମଧ୍ୟରେ ସାମିଲ ହୋଇଯିବେ ଯେଉଁ ଦେଶମାନଙ୍କ ଲାଗି ପୂର୍ବରୁ ଏହି ନିୟମ କାର୍ଯ୍ୟକାରୀ ହେଉଛି। ତେବେ ଏଥିରେ ଭାରତ ଓ ପାକିସ୍ତାନର ନାମ ନାହିଁ।

ଲାଭଦାୟକ ନୀତି
ଟ୍ରମ୍ପ ପ୍ରଶାସନ ଏହି ନୀତିକୁ ଲାଭଦାୟକ ନୀତି ବୋଲି କହିଛି। ଅଧିକାରୀଙ୍କ ଅନୁସାରେ ଆମେରିକାରେ ଅବୈଧ ରୂପେ ରହୁଥିବା ଲୋକଙ୍କୁ ଦେଶରୁ ବାହାରକରିବା ପାଇଁ ୧୮ ହଜାର ଡଲାର ଖର୍ଚ୍ଚ ହେଉଛି। ଏଣୁ ଭିସା ବଣ୍ଡ ଦ୍ୱାରା ଏହି ଫାଲତୁ ଖର୍ଚ୍ଚ ଭରଣା ହୋଇ ପାରୁଛି। ଏହି କାର୍ଯ୍ୟକ୍ରମ ଦ୍ୱାରା ଓଭର ଷ୍ଟେ ହ୍ରାସ ହେବା ଯୋଗୁ ଆମେରିକୀୟ କରଦାତାଙ୍କ ପାଖାପାଖି ବାର୍ଷିକ ୮୦୦ ମିଲିୟନ ଡଲାର ସଞ୍ଚୟ ହୋଇ ପାରୁଛି। ଏହି ନିୟମ ଖାସ କରି ବି-୧ ଓ ବି-୨ ଜରୁରିକାଳୀନ ଭିସା ପାଇଁ ଲାଗୁ ହୋଇଛି। ଏହି ବଣ୍ଡ ଏକ ଆର୍ଥିକ ଗ୍ୟାରେଣ୍ଟି ଭଳି କାମ କରୁଛି, ଯାହା ଦ୍ୱାରା ଲୋକେ ଭିସା ସର୍ତ୍ତ ପାଳନ କରିବେ।

Leave a comment