ନିଜ ସ୍ବର ନରମ କରିଛନ୍ତି ଟ୍ରମ୍ପ, ପ୍ରତିବନ୍ଧକ ଦୂର କରିବା ଲାଗି ଭାରତ ଓ ଆମେରିକା ଆଲୋଚନା ଜାରି
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚଢ଼ା ଶୁଳ୍କ ଲଗାଇ ଭାରତକୁ ଦବାଇବା ପ୍ରୟାସରେ ବିଫଳ ହେବା ପରେ ନିଜ ସ୍ବର ନରମ କରିଛନ୍ତି। ଜିଦ୍ରେ ଅଟଳ ଥିବା ଭାରତକୁ ମନାଇବା ଲାଗି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିଛନ୍ତି। ଟ୍ରମ୍ପ ସୋସିଆଲ୍ ମିଡିଆ ମାଧ୍ୟମରେ ଜଣାଇଛନ୍ତି ଯେ ଦୁଇ ଦେଶ ଭିତରେ ଥିବା ବାଣିଜ୍ୟ ପ୍ରତିବନ୍ଧକ ଦୂର କରିବା ଲାଗି ଭାରତ ଓ ଆମେରିକା ଆଲୋଚନା ଜାରି ରଖିଥିବା ଜଣାଇ ମୋତେ ଖୁସି ଲାଗୁଛି। ଆଗାମୀ ସପ୍ତାହରେ ମୁଁ ମୋ ପ୍ରିୟ ମିତ୍ର ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କଥା ହେବାକୁ ବେଶ୍ ଉତ୍ସାହିତ। ଦୁଇ ସଫଳ ଦେଶ ଏକ ନିର୍ଣ୍ଣାୟକ ନିଷ୍ପତ୍ତିରେ ପହଞ୍ଚିବାରେ କୌଣସି ସମସ୍ୟା ହେବ ନାହିଁ ବୋଲି ମୋର ବିଶ୍ବାସ ରହିଥିବା ଟ୍ରମ୍ପ କହିଛନ୍ତି। ରୁଷ୍ଠାରୁ ତେଲ କିଣୁଥିବାରୁ ଯେଉଁ ଭାରତକୁ କିଛି ଦିନ ତଳେ ସେ ‘ମୃତ ଅର୍ଥନୀତି’ କହି ତାଚ୍ଛଲ୍ୟ କରିଥିଲେ, ଏବେ ସେହି ଦେଶକୁ ସଫଳ ବୋଲି ଟ୍ରମ୍ପ କହିଛନ୍ତି।