ବାୟୁ ପ୍ରଦୂଷଣ ଏକ ବଡ଼ ସ୍ୱାସ୍ଥ୍ୟ ସଙ୍କଟରେ ପରିଣତ ହୋଇଛି, ଯାହା ଭାରତରେ ମୃତ୍ୟୁର ଏକ ପ୍ରମୁଖ କାରଣ – WHO

WHO ସହଯୋଗରେ ପ୍ରସ୍ତୁତ ‘ଦ ଲାନସେଟ୍ କାଉଣ୍ଟଡାଉନ୍ ରିପୋର୍ଟ’ ଅନୁଯାୟୀ, ବାୟୁ ପ୍ରଦୂଷଣ ଏକ ବଡ଼ ସ୍ୱାସ୍ଥ୍ୟ ସଙ୍କଟରେ ପରିଣତ ହୋଇଛି, ଯାହା ଭାରତରେ ମୃତ୍ୟୁର ଏକ ପ୍ରମୁଖ କାରଣ।

ନିକଟରେ ପ୍ରକାଶିତ ଏହି ରିପୋର୍ଟ ଅନୁଯାୟୀ, ୨୦୨୨ ମସିହାରେ ଭାରତରେ କେବଳ PM ୨.୫ ଭଳି କ୍ଷୁଦ୍ର କଣିକା ପ୍ରଦୂଷକର ସଂସ୍ପର୍ଶରେ ଆସି ୧୭ ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। PM ୨.୫ କଣିକାଗୁଡ଼ିକ ଫୁସ୍‌ଫୁସ୍‌ର ଗଭୀରତାକୁ ଯାଇ ଗୁରୁତର ରୋଗ ସୃଷ୍ଟି କରିଥାଏ।

ମାନବ ସୃଷ୍ଟି ବାୟୁ ପ୍ରଦୂଷଣ ହେତୁ ୨୦୨୨ରେ ଭାରତରେ ମୋଟ ୧,୭୧୮,୦୦୦ (୧୭ ଲକ୍ଷ ୧୮ ହଜାର) ରୁ ଅଧିକ ମୃତ୍ୟୁ ଘଟିଛି। ଏହି ସଂଖ୍ୟା ୨୦୧୦ ତୁଳନାରେ ୩୮ ପ୍ରତିଶତ ଅଧିକ, ଯାହା ଗତ ୧୨ ବର୍ଷ ମଧ୍ୟରେ ବାୟୁ ପ୍ରଦୂଷଣର ବଢୁଥିବା ସ୍ତରକୁ ଦର୍ଶାଉଛି।

ଏହି ମୃତ୍ୟୁ ମଧ୍ୟରୁ ପ୍ରାୟ ୪୪ ପ୍ରତିଶତ କୋଇଲା ଏବଂ ତରଳ ଗ୍ୟାସ୍ ବ୍ୟବହାର ଯୋଗୁଁ ହୋଇଛି। କୋଇଲା ବ୍ୟବହାର ଯୋଗୁଁ ଏକାକୀ ୩,୯୪,୦୦୦ ମୃତ୍ୟୁ ଘଟିଛି, ଯେଉଁଥିରୁ ୨,୯୮,୦୦୦ ମୃତ୍ୟୁ କେବଳ ପାୱାର ପ୍ଲାଣ୍ଟରେ କୋଇଲା ବ୍ୟବହାର ଯୋଗୁଁ ହୋଇଛି। ସଡ଼କ ପରିବହନରେ ପେଟ୍ରୋଲ୍ ବ୍ୟବହାର ଯୋଗୁଁ ୨,୬୯,୦୦୦ ମୃତ୍ୟୁ ଘଟିଛି।

ରିପୋର୍ଟରେ ବାୟୁ ପ୍ରଦୂଷଣ ଏବଂ ଜଳବାୟୁ ପରିବର୍ତ୍ତନର ଗମ୍ଭୀର ପ୍ରଭାବ ଉପରେ ଚେତାବନୀ ଦିଆଯାଇଛି। ତାପ ପ୍ରବାହ (Heat Wave): ୨୦୨୪ ରେ ଜଣେ ଭାରତୀୟଙ୍କୁ ହାରାହାରି ପ୍ରାୟ ୨୦ ଦିନ ପର୍ଯ୍ୟନ୍ତ ଲୁ’ ବା ତାପ ପ୍ରବାହର ସାମନା କରିବାକୁ ପଡ଼ିବ, ଯାହାର ଏକ ତୃତୀୟାଂଶ ସିଧାସଳଖ ଜଳବାୟୁ ପରିବର୍ତ୍ତନ ଯୋଗୁଁ ହେବ।

୨୦୨୨ ରେ, ବାୟୁ ପ୍ରଦୂଷଣ ଯୋଗୁଁ ଅକାଳ ମୃତ୍ୟୁର ଆର୍ଥିକ ମୂଲ୍ୟ ପ୍ରାୟ ୩୩୯.୪ ବିଲିୟନ ଡଲାର (ପ୍ରାୟ ₹୨୮ ଲକ୍ଷ କୋଟି) ଥିଲା, ଯାହା ଭାରତର GDP ର ୯.୫ ପ୍ରତିଶତ ସହ ସମାନ।

କୋଲକାତାର ପଲ୍ମୋନୋଲୋଜିଷ୍ଟ୍ ଅରୁପ ହଲଧରଙ୍କ ମତରେ, ୨୦୨୨ରେ ବାୟୁ ପ୍ରଦୂଷଣ ହେତୁ ହୋଇଥିବା ମୃତ୍ୟୁ ସଂଖ୍ୟା ସେହି ବର୍ଷ କୋଭିଡ୍-୧୯ ଯୋଗୁଁ ହୋଇଥିବା ମୃତ୍ୟୁ ସଂଖ୍ୟାର ତିନି ଗୁଣ ଅଧିକ ଥିଲା।

Leave a comment