ଶେଖ୍ ହସିନାଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ: ବାଂଲାଦେଶ ସାଧାରଣ ନିର୍ବାଚନରେ ବିପୁଳ ବିଜୟ ହାସଲ କରିଥିବାରୁ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଫୋନ କରି ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଗାମୀ ଦିନରେ ପୂର୍ବଭଳି ଦୁଇ ଦେଶ ମଧ୍ୟରେ ସଂପର୍କ ଆହୁରି ସୁଦୃଢ଼ ହେବ ବୋଲି ଦୁଇ ନେତା ଆଲୋଚନା କରିଛନ୍ତି । ଭାରତ ବାଂଲାଦେଶ ସହ ନିଜର ସ୍ଥାୟୀ ଏବଂ ଲୋକାଭିମୁଖୀ ଭାଗିଦାରୀକୁ ସୁଦୃଢ଼ କରିବାକୁ ପ୍ରତିଶ୍ରୁତିବଦ୍ଧ ଥିବା ମୋଦି କହିଛନ୍ତି । ପ୍ରଧାନମନ୍ତ୍ରୀ ଶେଖ୍ ହସିନା ମଧ୍ୟ ବିଜୟ ପରେ ଭାରତକୁ ଏକ ଶକ୍ତିଶାଳୀ ବନ୍ଧୁ ବୋଲି ବର୍ଣ୍ଣନା କରି କହିଛନ୍ତି ଯେ ଦୁଇ ପଡ଼ୋଶୀ ଦ୍ୱିପାକ୍ଷିକ ଭାବେ ଅନେକ ସମସ୍ୟାର ସମାଧାନ କରିଛନ୍ତି । ଆଗାମୀ ଦିନରେ ଅନେକ ସମସ୍ୟା ସମାଧାନ କରିବାକୁ ଦୁଇ ଦେଶ ପ୍ରୟାସ ଜାରି ରଖିବେ ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଏକ୍ସ ରେ ଲେଖି ଜଣାଇଛନ୍ତି ଯେ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ସହ କଥା ହୋଇ ସାଧାରଣ ନିର୍ବାଚନରେ କ୍ରମାଗତ ଚତୁର୍ଥ ଥର ପାଇଁ ଐତିହାସିକ ବିଜୟ ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।