ଖୁବ ଶୀଘ୍ର ଆସିବ ନୂଆ ପେନସନ୍ ସ୍କିମ୍

new-pension-scheme-news

ମେଟ୍ରୋ ଟିଭି ଓଡିଶା (୨୧ .୨.୨୦୨୨) :

ନୂଆ ପେନସନ ଆଣିବା ଲାଗି କର୍ମଚାରି ଭବିଷ୍ୟନିଧି ପାଣ୍ଠି ସଙ୍ଗଠନ (ଇପିଏଫ୍‌ଓ) ଏବେ ଯୋଜନା କରୁଛି । ୧୫ ହଜାର ଟଙ୍କାରୁ ଅଧିକ ବେତନ ଲାଭ କରୁଥିବା ଏବଂ ବାଧ୍ୟତାମୂଳକ ଭାବେ କର୍ମଚାରୀ ପେନସନ ସ୍କିମ ୧୯୯୫ (ଇପିଏସ୍‌-୯୫) ପରିସରରେ ଆସୁ ନ ଥିବା କର୍ମଚାରୀଙ୍କ ଲାଗି ଏହା କାର୍ଯ୍ୟକାରି କରାଯିବାକୁ ବିଚାର କରାଯାଉଛି ।

ବର୍ତ୍ତମାନ ସଙ୍ଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ବେସିକ ୱେଜ (ବେସିକ ପେ ସହ ମହଙ୍ଗା ଭତ୍ତା) ଚାକିରିରେ ଯୋଗଦେବା ସମୟରେ ୧୫ ହଜାର ଟଙ୍କା ଯାଏ ହୋଇଥିଲେ ଇପିଏସ୍‌-୯୫ ଅଧିନରେ ଆସିବାର ନିୟମ ରହିଛି । ପ୍ରକ୍ରିୟା ସହ ଜଡିତ ଜଣେ ଅଧିକାରୀ କହିଛନ୍ତି ଯେ, ଇପିଏଫଓ ସଦସ୍ୟଙ୍କ ଦ୍ୱାରା ଅଧିକ ଯୋଗଦାନ କ୍ଷେତ୍ରରେ ଅଧିକ ପେନସନ ନେବା ଲାଗି ଚାହିଦା ବଢ଼ୁଛି । ଏହାକୁ ବିଚାର କରି ଏକ ନୂଆ ପେନସନ ପ୍ରଡକ୍ଟ ଆଣିବା ଦିଗରେ ଏବେ ବିଚାର ବିମର୍ଷ ଜାରି ରହିଛି । ସାଧାରଣ ହାରାହାରି ବେତନ ୧୫ ହଜାର ଟଙ୍କାରୁ ଉଦ୍ଧ୍ୱର୍ ରହିଥିବା ବ୍ୟକ୍ତି ବିଶେଷଙ୍କ କ୍ଷେତ୍ରରେ ଏହା ଲାଗୁ ହୋଇ ପାରିବ । ଅଧିକାରୀ ଜଣକ ପୁଣି କହିଛନ୍ତି ଯେ, ଏହି ପ୍ରସ୍ତାବ ଇପିଏଫ୍‌ଓର ସର୍ବୋଚ୍ଚ ନୀତି ନିର୍ଦ୍ଧାରଣକାରୀ ସଂସ୍ଥା କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ (ସିବିଟି) ବୈଠକରେ ଆଲୋଚନା ପାଇଁ ଉପସ୍ଥାପନ କରାଯିବ । ମାର୍ଚ୍ଚ ୧୧ ଏବଂ ୧୨ରେ ଗୌହାଟିଠାରେ ଏହି ବୈଠକ ବସୁଛି । ଏହି ବୈଠକରେ ଇପିଏଫ୍‌ଓ ଗଠନ କରିଥିବା ପେନସନ ସଂକ୍ରାନ୍ତ ଏକ ଉପ କମିଟି ମଧ୍ୟ ଏହାର ରିପୋର୍ଟ ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି । ଏହି କମିଟିକୁ ୨୦୨୧ ନଭେମ୍ବରରେ ଗଠନ କରାଯାଇଥିଲା । ଏବେ ୧୫ ହଜାର ଟଙ୍କାରୁ ଉଦ୍ଧ୍ୱର୍ ବେତନ ଲାଭ କରୁଥିବା ଇପିଏଫ୍‌ଓ ହିତାଧିକାରୀମାନେ ଇପିଏସ୍‌-୯୫ ଆଧାରରେ ୮.୩୩% ହାରରେ ଯୋଗଦାନ ରଖୁଛନ୍ତି ।

ଫଳରେ ଯୋଗଦାନ କମ୍‌ ଥିବାରୁ ପେନସନ ମଧ୍ୟ କମ୍‌ ହେଉଛି । ୨୦୧୪ରେ ଇପିଏଫ୍‌ଓ ଏହାର ସ୍କିମରେ ପରିବର୍ତ୍ତନ କରିବା ସହ ମାସିକ ପେନସନ ଲାଭ ପାଇଁ ହାରାହାରି ବେତନ ୧୫ ହଜାର ଟଙ୍କା କରିଥିଲା । ଚାକିରିରେ ଯୋଗଦେବା ସମୟରେ କେବଳ ଏହି ସୀମା ଲାଗୁ ହୋଇଥାଏ । ୨୦୧୪ ସେପ୍ଟେମ୍ବର ପହିଲାରୁ ଏହାକୁ ୬,୫୦୦ ଟଙ୍କାରୁ ପରିବର୍ତ୍ତନ କରାଯାଇ ସୀମାରେ ବୃଦ୍ଧି କରାଯାଇଥିଲା । ଦରଦାମ ଏବଂ ସଙ୍ଗଠିତ କ୍ଷେତ୍ରର ପେ ରିଭିଜନ ଭଳି ବିଭିନ୍ନ ଦିଗକୁ ବିଚାର କରି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିଲା ।

ବେସିକ ୱେଜର ସୀମାକୁ ୨୫ ହଜାର ଟଙ୍କାକୁ ବୃଦ୍ଧି କରିବା ଲାଗି ପରେ ପ୍ରସ୍ତାବ ଦିଆଯାଇଥିଲା । ମାତ୍ର ଏହି ପ୍ରସ୍ତାବକୁ ମଞ୍ଜୁରି ମିଳି ପାରି ନ ଥିଲା । ଆକଳନ ମୁତାବକ, ପେନସନ ପାଇବା ଯୋଗ୍ୟ ଦେୟରେ ବୃଦ୍ଧି ହେଲେ ସଙ୍ଗଠିତ କ୍ଷେତ୍ରରେ କାର୍ଯ୍ୟରତ ଅଧିକ ୫୦ ଲକ୍ଷ କର୍ମଚାରି ଇପିଏସ୍‌-୯୫ ପରିସରକୁ ଆସିପାରିବେ ।