ମାଳଦ୍ଵୀପ ରାଷ୍ଟ୍ରପତି ମହମ୍ମଦ ମୋଇଜୁ ପାଞ୍ଚ ଦିନିଆ ଚୀନ ଗସ୍ତ ସାରି ଫେରିଲେ
ମାଳଦ୍ଵୀପ ରାଷ୍ଟ୍ରପତି ମହମ୍ମଦ ମୋଇଜୁ ପାଞ୍ଚ ଦିନିଆ ଚୀନ ଗସ୍ତରେ ଯିବା ପରେ ତାଙ୍କ ଦେଶର ବିରୋଧୀ ଦଳ ତାଙ୍କ ପଛରେ ପଡ଼ିଛି । ତାଙ୍କୁ ଶାସନରୁ ହଟାଇବା ପାଇଁ ବିରୋଧୀ ଦଳ ଏବେ ଆଲୋଚନା ଆରମ୍ଭ କରିଛି । ତାଙ୍କର ତିନି ଜଣ ମନ୍ତ୍ରୀ ଭାରତର ପ୍ରଧାନମନ୍ତ୍ରୀଙ୍କ ଉପରେ ଘୃଣା ମନ୍ତବ୍ୟ ଦେବା ପରେ ସରକାରରୁ ବାଦ ପଡ଼ିଛନ୍ତି । ସେପଟେ ହଜାର ହଜାର ଭାରତୀୟ ଭାରତ ମହାସାଗର ମଧ୍ୟରେ ଥିବା ଆମର ଏହି ପଡୋଶୀ ରାଷ୍ଟ୍ରକୁ ଯିବାକୁ ଆଉ ଚାହୁଁନାହାଁନ୍ତି। ଭାରତରେ ଆରମ୍ଭ ହୋଇଯାଇଛି ‘ବୟକଟ ମାଳଦ୍ଵୀପ’ ଅଭିଯାନ। ଏଥିପାଇଁ ଗତ 6 ଦିନରେ ମାଳଦ୍ଵୀପର ଆତିଥ୍ୟ ଶିଳ୍ପ ପ୍ରାୟ ଦୁଇ ଶହ କୋଟି ଟଙ୍କାର କ୍ଷତି କରିସାରିଲାଣି। ହୋଟେଲମାନଙ୍କରେ ପୂର୍ବରୁ ସଂରକ୍ଷିତ ୧୦,୫୦୦ରୁ ଅଧିକ କୋଠରୀ ଓ ଆଗୁଆ ବିମାନ ଟିକେଟ ଫେରେଇ ନେଲେଣି ଭାରତୀୟ ପର୍ଯ୍ୟଟକ। ଆଗକୁ ଏହା ବଢ଼ିବ ସିନା, କମିବାର ସମ୍ଭାବନା ନାହିଁ। ମାଳଦ୍ବୀପ ରାଷ୍ଟ୍ରପତି ଚୀନର ରାଜଧାନୀ ବେଜିଂରେ ପହଞ୍ଚି ରାଷ୍ଟ୍ରପତି ଜି ଜିନପିଙ୍ଗଙ୍କୁ ଭେଟି ପର୍ଯ୍ୟଟନ ସହଯୋଗ ସମେତ ୨୦ଟି ଗୁରୁତ୍ୱପୂର୍ଣ୍ଣ ଚୁକ୍ତିନାମାରେ ସ୍ୱାକ୍ଷର କରି ଫେରିଛନ୍ତି ।