ନେପାଳରେ ଭାରତୀୟମାନଙ୍କ ପାଇଁ ଏକ ଆଡ୍ଭାଇଜରି ଜାରି କରିଛି ଏମ୍ଇଏ
ନେପାଳରେ ଓଲି ସରକାରଙ୍କ ବିରୋଧରେ ଯୁବକଙ୍କ ଅକ୍ରୋଶ ଭାବ ଥମିବାର ନାଁ ଧରୁନାହିଁ। ହିଂସକ ପ୍ରଦର୍ଶନ ମଧ୍ୟରେ ଏବେ ସୁଦ୍ଧା ଓଲି ସରକାରରେ ୫ ଜଣ ଇସ୍ତଫା ଦେଇ ସାରିଲେଣି। ଏପରି ଖରାପ ଅବସ୍ଥା ଭିତରେ ଭାରତୀୟ ବୈଦେଶିକ ମନ୍ତ୍ରାଳୟ (ଏମ୍ଇଏ) ନେପାଳରେ ଭାରତୀୟମାନଙ୍କ ପାଇଁ ଏକ ଆଡ୍ଭାଇଜରି ଜାରି କରିଛି। ଏମ୍ଇଏ ନେପାଳରେ ଥିବା ଭାରତୀୟଙ୍କୁ ସତର୍କ ରହିବାକୁ, ଅନାବଶ୍ୟକ ଯାତ୍ରା ନକରିବାକୁ ଓ ସ୍ଥାନୀୟ ଅଧିକାରୀଙ୍କ ନିର୍ଦ୍ଦେଶ ମାନିବାକୁ ପରାମର୍ଶ ଦେଇଛି।
ଉଲ୍ଲେଖଯୋଗ୍ୟ, ସରକାରଙ୍କ ଦ୍ୱାରା ଲଗାଯାଇଥିବା ସୋସିଆଲ ମିଡିଆ ନିଷେଧାଦେଶକୁ ନେଇ ହଜାର ହଜାର ନେପାଳୀ ଯୁବକ ସୋମବାର ରାଜରାସ୍ତାକୁ ଓହ୍ଲାଇଥିଲେ, ଯାହାକୁ ଜେନ୍-ଜି (୧୯୯୫-୨୦୧୦ ମଧ୍ୟରେ ଜନ୍ମିତ) ବିପ୍ଳବ ଭାବରେ ଦେଖାଯାଉଛି। ଅନେକ ଯୁବ ବିକ୍ଷୋଭକାରୀଙ୍କ ପାଇଁ ଏହି ନିଷେଧାଦେଶ ସରକାରଙ୍କ ପ୍ରତି ଅସନ୍ତୋଷର ଏକ ଲମ୍ବା ତାଲିକାର ବ୍ରେକିଂ ପଏଣ୍ଟ ଥିଲା। ବିଶ୍ଳେଷକଙ୍କ ମତରେ ତଥାକଥିତ ‘ଜେନ୍ ଜି ବିପ୍ଳବ’ର ମୂଳରେ ଦୁର୍ନୀତି ଓ ଅର୍ଥନୈତିକ ଅସମାନତା ବୃଦ୍ଧିକୁ ନେଇ ଗଭୀର ନିରାଶା ରହିଛି। ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଅଣପଞ୍ଜୀକୃତ ସୋସିଆଲ ମିଡିଆ ପ୍ଲାଟ୍ଫର୍ମ ଉପରେ ନିଷେଧାଦେଶକୁ ସମର୍ଥନ କରି କହିଛନ୍ତି ଯେ, ଦେଶକୁ ଦୁର୍ବଳ କରିବାର କୌଣସି ପ୍ରୟାସକୁ ବରଦାସ୍ତ କରାଯିବ ନାହିଁ। ଦେଶର ସ୍ୱାଧୀନତା ହାତଗଣତି ବ୍ୟକ୍ତିଙ୍କ ଚାକିରି ହରାଇବା ଅପେକ୍ଷା ଅଧିକ। ଆଇନ ଓ ସମ୍ବିଧାନକୁ ଅବମାନନା କରିବା ଏବଂ ଜାତୀୟ ସମ୍ମାନ, ସ୍ୱାଧୀନତା ଓ ସାର୍ବଭୌମତ୍ୱକୁ ଅସମ୍ମାନ କରିବା କିପରି ଗ୍ରହଣୀୟ ହୋଇପାରେ ବୋଲି ସେ ପ୍ରଶ୍ନ କହିଛନ୍ତି।