
ଯୁଦ୍ଧ ଭୟରେ ଆଫଗାନିସ୍ଥାନ ରାଷ୍ଟ୍ରପତି ଅସରଫ ଗନି ଟଙ୍କା ଧରି ଦେଶ ଛାଡି ଯାଇଥିବା ଖବର ଆପଣମାନେ ସମସ୍ତେ ପଢ଼ିଥିବେ ଶୁଣିଥିବେ । ଏବେ ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋଟବାୟ ରାଜପକ୍ଷେଙ୍କ ମଧ୍ୟ ସମାନ ଅବସ୍ଥାରେ ଲୋକଙ୍କୁ ଡରି ରାଷ୍ଟ୍ରପତି ଭବନ ଛାଡି ପଳାୟନ କରିଛନ୍ତି । ଆଫଗାନିସ୍ଥାନରେ ତାଲିବାନକୁ ଡରି ରାଷ୍ଟ୍ରପତି ଦେଶ ଛାଡି ୟୁଏଇ ପଳାୟନ କରିଥିଲେ । ଏବେ ଦେଶରେ ଆର୍ଥିକ ପରିସ୍ଥିତିକୁ ସମ୍ଭାଳି ନପାରି ଲୋକଙ୍କୁ ସାମନା ନକରି କେଉଁଆଡେ ପଳାୟନ କରିଛନ୍ତି ରାଷ୍ଟ୍ରପତି ।
ସେତେବେଳେ ଦେଖାଯାଇଥିବା ତାଲିବାନ ସମର୍ଥକମାନେ କିପରି ରାଷ୍ଟ୍ରପତି ଭବନରେ ପଶି ସେଲଫି ନେଇଥିଲେ । ଖାଇବା ପିଇବା କରୁଥିଲେ । ଆଫଗାନିସ୍ଥାନର ରାଷ୍ଟ୍ରପତି ଲୁଚି ପଳାଇବାକୁ ନେଇ ବିଶ୍ବବାସୀ ତାଙ୍କୁ ସମାଲୋଚନା କରିଥିଲେ । ତେବେ ସେ କହିଥିଲେ ଏପରି ଦେଶନଛାଡିଥିଲେ କାବୁଲରେ ରକ୍ତ ବୋହିଥାନ୍ତା । ସେହିଭିଳ ଗତକାଲି ଶ୍ରୀଲଙ୍କାରେ ସେପରି ଦୃଶ୍ୟ ବିଶ୍ବବାସୀ ଦେଖିଛନ୍ତି ।
କଲମ୍ବୋସ୍ଥିତ ରାଷ୍ଟ୍ରପତି ଭବନରେ ଆନ୍ଦୋଳନକାରୀମାନେ ପ୍ରବଶ କରି ଅନେକ ସଂପତ୍ତି ନଷ୍ଟ କରିଛନ୍ତି । ଆଲମାରୀ ଭାଙ୍ଗି କୋଟି କୋଟି ଟଙ୍କା ନେଇଯାଇଛନ୍ତି । ଯାହା ସବୁ କରୁଛନ୍ତି ତାହାର ଭିଡିଓ ଭାଇରାଲ ହେବାରେ ଲାଗିଛି । ଆନ୍ଦୋଳନକାରୀମାନେ ରାଷ୍ଟ୍ରପତି ଭବନରେ ପଶି ଖାଇବା ପିଇବା ସହ ସୁଇମିଂଙ୍ଗ ପୁଲରେ ଗାଧୋଇଛନ୍ତି । ବେଡରୁମରେ ପଶି ନାଚୁଛନ୍ତି । ରୋଷେଇ ଘରେ ପଶି ଖାଉଛନ୍ତି । ଏସବୁ ଦୃଶ୍ୟ ଏକ ଗଣତନ୍ତ୍ର ଦେଶ ପ୍ରତି ବେଶ ଅପମାନଜନକ । ଦେଶର ସର୍ବୋଚ୍ଚ ପଦବୀରେ ଥିବା ରାଷ୍ଟ୍ରପତିଙ୍କ ପାଇଁ ଜନସାଧାରଣଙ୍କ ଏଭଳି ବ୍ୟବହାର ଅନେକ ପ୍ରଶ୍ନ ସୃଷ୍ଟି କରୁଛି ।
ଶ୍ରୀଲଙ୍କାର ସାମ୍ପ୍ରତିକ ପରିସ୍ଥିତି ପାଇଁ, ଏହାର ଭୁଲ ନୀତିରୁ ଉତ୍ପନ୍ନ ଖରାପ ଆର୍ଥିକ ଅବସ୍ଥା ଦାୟୀ । ଭାରତ ସହିତ ଏହାକୁ ସନ୍ତୁଳିତ କରି ଚୀନ୍ ଉପରେ ଅଧିକ ନିର୍ଭର କରିବା ତାଙ୍କ ପାଇଁ ଭାରୀ ହୋଇଗଲା । ଆଇଏମଏଫ ଅପେକ୍ଷା ଶ୍ରୀଲଙ୍କା ଚୀନ୍ ଠାରୁ ଅଧିକ କରଜ ନେଇଛି। ଏହି କାରଣରୁ ସେ ଋଣ ଜାଲରେ ଫସି ଯାଇଛି । ଶ୍ରୀଲଙ୍କାର ଋଣ ଜିଡିପିର ପ୍ରାୟ 125% କୁ ବୃଦ୍ଧି ପାଇଛି। ଏହାର ମୁଦ୍ରା ମଧ୍ୟ 75 ପ୍ରତିଶତ ହ୍ରାସ ପାଇଛି। ତେବେ ସବୁଠୁ ବଡ଼ କଥା ହେଲେ ସମାଧାନ ବଦଳରେ ଲୋକଙ୍କୁ ଦମନ କରିବାକୁ ଚେଷ୍ଟା କରାଯିବାରୁ ଲୋକେ ରାଜରାସ୍ତାକୁ ଆସିବାକୁ ନିଷ୍ପତ୍ତି ନେଇଥିଲେ ।
ଶ୍ରୀଲଙ୍କା ଏତେ ଋଣ ନେଇ ଯେଉଁଥିରେ ବିନିଯୋଗ କରିଥିଲା ସେଥିରୁ କିଛି ରିଟର୍ଣ୍ଣ ଆସିଲା ନାହିଁ । କରୋନା ଯୋଗୁ ବିଦେଶୀ ଭଣ୍ଡାରଗୁଡ଼ିକ ଶେଷ ହୋଇଯାଇଥିଲା । କୋଭିଡ ଭୟରେ ପର୍ଯ୍ୟଟନ ବନ୍ଦ ହୋଇଗଲା । ଲୋକମାନେ ଭାରତ, ୟୁରୋପ, ବ୍ରିଟେନରୁ ଆସିବା ବନ୍ଦ କରିଦେଲେ । ଋଷ ଏବଂ ୟୁକ୍ରେନରୁ ଆସୁଥିବା ଲୋକମାନେ ମଧ୍ୟ ଯୁଦ୍ଧ ହେତୁ ଆସିବା ବନ୍ଦ କରିଦେଇଥିଲେ। ଅଧିକ ମୁଦ୍ରାସ୍ଫୀତି ଏବଂ ସମ୍ବଳ ଅଭାବରୁ ଲୋକଙ୍କ ଖାଇବା ପିଇବା କଷ୍ଟକର ହୋଇଗଲା । ଆର୍ଥିକ ସଙ୍କଟ ଶେଷରେ ଏକ ରାଜନ ତିକ ସଙ୍କଟରେ ପରିଣତ ହେଲା ।
ରାଷ୍ଟ୍ରପତିଙ୍କ ଇସ୍ତଫା ଦାବି କରିବା ମାନେ ନୁହଁ ରାଷ୍ଟ୍ରପତି ଭବନରେ ପଶି ଏବରି ବ୍ୟବହାର ଆଚରଣ କରିବା । ତେବେ ଏସବୁ ଘଟୁଛି ଶ୍ରୀଲଙ୍କାରେ । ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଂଘେ ଙ୍କ ଇସ୍ତଫା ଘୋଷଣା ପରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନରେ ନିଆଁ ଲଗାଇଦେଇଥିଲେ ପ୍ରଦର୍ଶନକାରୀ ।
ଏସବୁ ଘଟଣା ସେଠାକାର ସେନା ଦେଖୁଥିବାବେଳ ନିରବ ରହିଛି । ଜନସାଧାରଣ ସରକାର ବିରୋଧରେ ରାଜରାସ୍ତାକୁ ଆସିବାର ମୁଖ୍ୟ କାରଣ ହେଉଛି ଦରଦାମ ବୃଦ୍ଧି । କାରଣ ସରକାର ଦରଦାମ ବୃଦ୍ଧି ଉପରେ ନିୟନ୍ତ୍ରଣ ଲଗାଇପାରିନଥିଲେ । ଯାହାର ଫଳ ସ୍ବରୂପ ଶ୍ରୀଲଙ୍କାର ଆର୍ଥୀକ ସ୍ଥିତି ଦିନକୁ ଦିନ ତଳକୁ ଯିବାରେ ଲାଗିଲା । ଆଉ ଏବେ ତାହା ସରକାରଙ୍କ ହାତରୁ ଚାଲିଯାଇଛି । ଦେଶରେ ଅରାଜକତା ଦେଖାଦେଇଛି । ଆଇନ କାନୁନକୁ ଲୋକେ ନିଜ ହାତକୁ ନେଇଛନ୍ତି । ଚୋରି, ହତ୍ୟା , ଡକାୟତି ବଢ଼ିଯାଇଛି । ଯେପରି ଲାଗୁଚି କେହି କାହା ନିୟନ୍ତଣରେ ନାହାଁନ୍ତି । ଏଭଳି ସମୟରେ ଭାରତ ଶ୍ରୀଲଙ୍କାକୁ ମାନବିୟ ସହାୟତା ମଧ୍ୟ ପ୍ରଦାନ କରୁଛି । ଖାଦ୍ୟ ସହ ମେଡିସିନ ପଠାଉଛି ଭାରତ । ରୋଗୀଙ୍କ ମେଡିସିନ ଅଭାବ ନହେବ ପାଇଁ ଭାରତ ସହାୟତାର ହାତ ବଢ଼ାଇଛି । ତେବେ ଆଗକୁ ଦେଖିବାକୁ ବାକି ରହିଲା ଶ୍ରୀଲଙ୍କାରେ କଣ ଘଟୁଛି ।