ହରମୁଜକୁ ନେଇ ନିଜ ଆଭିମୁଖ୍ୟରେ କୋହଳ କଲା ଇରାନ, ଶତ୍ରୁ ଛଡ଼ା ସମସ୍ତେ ଯେଇ ପାରିବେ
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ବିଦ୍ୟୁତ କେନ୍ଦ୍ର ଉପରେ ଆକ୍ରମଣ କରିବାକୁ ଧମକ ଦେବା ପରେ ଷ୍ଟ୍ରେଟ୍ ଅଫ ହରମୁଜକୁ ନେଇ ନିଜ ଆଭିମୁଖ୍ୟରେ କୋହଳ କରିଛି ଇରାନ। ଏହି ଜଳପଥ ଦେଇ ସମସ୍ତେ ଜାହାଜ ନେଇପାରିବେ ହେଲେ ଶତ୍ରୁ ରାଷ୍ଟ୍ର ସହ ଜଡ଼ିତ ଜାହାଜ ଛଡ଼ାଯିବନି ବୋଲି ଇରାନ କହିଛି। ଇରାନ ସମ୍ଭବତଃ ଆମେରିକା ଓ ଇସ୍ରାଏଲର ଜାହାଜ ନ ଛାଡ଼ିବାକୁ ଚେତାବନୀ ଦେଇଥାଇପାରେ ବୋଲି ଜଣେ ବରିଷ୍ଠ ଜାତିସଂଘ ଅଧିକାରୀ ସୂଚନା ଦେଇଛନ୍ତି।ଏହା ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ଧମକ ଦେଇଥିଲେ। ୪୮ ଘଣ୍ଟା ଭିତରେ ଷ୍ଟ୍ରେଟ୍ ଅଫ ହରମୁଜ ନ ଖୋଲିଲେ ଆମେ ତୁମ ପାୱାର ପ୍ଲାଣ୍ଟ ଉପରେ ଆଟାକ କରିଦେବୁ ବୋଲି ଟ୍ରମ୍ପ ଧମକ ଦେଇଥିଲେ। ଏହାପରେ ଇରାନ ପକ୍ଷରୁ ଏହି ସୂଚନା ମିଳିଛି।
ଅନ୍ତର୍ଜାତୀୟ ସାମୁଦ୍ରିକ ସଂଗଠନର ଇରାନ ପ୍ରତିନିଧି ଅଲି ମୁସାଭି ରବିବାର କହିଛନ୍ତି ଯେ “ଇରାନର ଶତ୍ରୁ” ସହିତ ଜଡିତ ନଥିବା ଜାହାଜଗୁଡ଼ିକ ତେହେରାନ ସହିତ ସୁରକ୍ଷା ଏବଂ ନିରାପତ୍ତା ବ୍ୟବସ୍ଥାର ସମନ୍ୱୟ କରି ହରମୁଜ ଦେଇ ଯାଇପାରିବେ। ସେ ଆହୁରି କହିଛନ୍ତି ଯେ ତେହେରାନ ଉପସାଗରରେ ସାମୁଦ୍ରିକ ସୁରକ୍ଷା ଏବଂ ନାବିକମାନଙ୍କୁ ସୁରକ୍ଷା ପାଇଁ ଜାତିସଂଘ ସଂସ୍ଥା ସହିତ ସହଯୋଗ କରିବାକୁ ପ୍ରସ୍ତୁତ ଅଛି। ଇରାନ ବିରୁଦ୍ଧରେ ଇସ୍ରାଏଲୀ ଏବଂ ଆମେରିକାର ଆକ୍ରମଣ ପରେ ହର୍ମୁଜ ଜଳପଥରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ସେ ତର୍କ ଦେଇଛନ୍ତି।
ଏନେଇ ମୌସାଭୀ କହିଛନ୍ତି “ଇରାନ ପ୍ରଥମେ କୂଟନୀତିକୁ ପ୍ରାଥମିକତା ଦିଏ । ତଥାପି, ଆକ୍ରମଣକୁ ସମ୍ପୂର୍ଣ୍ଣ ବନ୍ଦ କରିବା ଓ ପାରସ୍ପରିକ ବିଶ୍ୱାସ ଏବଂ ଆତ୍ମବିଶ୍ୱାସ ଅଧିକ ଗୁରୁତ୍ୱପୂର୍ଣ୍ଣ।”
ଇରାନ ଉପରେ ଆମେରିକା ଓ ଇସ୍ରାଏଲ ଆକ୍ରମଣ କରିବା ପରେ ଫେବୃଆରୀ ୨୮ ତାରିଖରେ ଇରାନ ଷ୍ଟ୍ରେଟ୍ ଅଫ୍ ହରମୁଜ ବନ୍ଦ କରିଦେଇଥିଲା। ଆମେରିକା ଓ ଇସ୍ରାଏଲ୍ର ପାର୍ଟନରମାନେ ଏହି ରାସ୍ତା ଦେଇ ଗୋଟିଏ ଲିଟର ବି ତେଲ ନେଇପାରିବେ ନାହିଁ ବୋଲି ଇରାନ କହିଥିଲା। ଏହି ଜଳପଥ ଦେଇ ବିଶ୍ୱ ତୈଳ ଓ ଗ୍ୟାସର୍ ଏକ ପଞ୍ଚମାଂଶ ଭାଗ ବ୍ୟବସାୟ ହୋଇଥାଏ। ଭାରତ ନିଜ ଆବଶ୍ୟକତାର ୬୦ ପ୍ରତିଶତରୁ ଅଧିକ ତୈଳ ଓ ଗ୍ୟାସ ଏହି ଜଳପଥ ଦେଇ ଆମଦାନୀ କରେ। ଇରାନ ଭୟରେ ଜାହାଜ ଗୁଡ଼ିକ ହରମୁଜ ପାଖକୁ ଆସୁ ନଥିବାରୁ ବିଶ୍ୱ ସମେତ ଭାରତରେ ସ୍ଥିତି ସଂଘାତିକ ହୋଇଛି। ହେଲେ ଏବେ ଇରାନ ହରମୁଜ ଅନ୍ୟମାନଙ୍କ ପାଇଁ ଖୋଲିଥିବା ବେଳେ ଭାରତ ହୁଏତ ଏଥିରୁ ଫାଇଦା ନେଇପାରେ।