ଇସ୍ରାଏଲ ଏକ ଘରିଆ
ଗାଜାରେ ଚାଲିଥିବା ହିଂସା ଏବଂ ମାନବାଧିକାର ଉଲ୍ଲଂଘନ ପାଇଁ ସମଗ୍ର ବିଶ୍ୱରେ ଇସ୍ରାଏଲ ବିରୁଦ୍ଧରେ ସମାଲୋଚନା ନିରନ୍ତର ବୃଦ୍ଧି ପାଉଛି। ଏବେ ସ୍ଲୋଭେନିଆ ଏକ ବଡ଼ ଏବଂ କଠୋର ପଦକ୍ଷେପ ନେଇଛି। ଇସ୍ରାଏଲ ସହିତ ଯେକୌଣସି ପ୍ରକାରର ଅସ୍ତ୍ରଶସ୍ତ୍ର କାରବାରକୁ ସ୍ଲୋଭେନିଆ ସମ୍ପୂର୍ଣ୍ଣ ନିଷିଦ୍ଧ କରିଛି। ଏହା ସହିତ,ସ୍ଲୋଭେନିଆ ୟୁରୋପୀୟ ସଂଘର ପ୍ରଥମ ଦେଶ ଭାବେ ଗାଜା ଯୁଦ୍ଧ ଆଧାରରେ ଇସ୍ରାଏଲ ସହିତ ‘ଅସ୍ତ୍ରଶସ୍ତ୍ର ବାଣିଜ୍ୟ’ ବନ୍ଦ କରିଛି।
ସ୍ଲୋଭେନିଆର ପ୍ରଧାନମନ୍ତ୍ରୀ ରବର୍ଟ ଗୋଲୋବ ପୂର୍ବରୁ ସୂଚାଇ ଦେଇଥିଲେ ଯେ, ଯଦି ୟୁରୋପୀୟ ସଂଘ ଏକ ସାଧାରଣ ମତ ଗ୍ରହଣ ନ କରେ, ତେବେ ତାଙ୍କ ଦେଶ ନିଜ ସ୍ତରରେ ଏକ କଠୋର ନିଷ୍ପତ୍ତି ନେବ। ଏବେ ସେ ଏହାକୁ କାର୍ଯ୍ୟକାରୀ କରି ଇସ୍ରାଏଲକୁ ଏକ ଦୃଢ଼ କୂଟନୈତିକ ବାର୍ତ୍ତା ଦେଇଛନ୍ତି।
ସରକାରଙ୍କ ଦ୍ୱାରା ଜାରି ବିବୃତିରେ ଏହା କୁହାଯାଇଛି।
ୟୁରୋପୀୟ ସଂଘ ଭିତରେ ଆଭ୍ୟନ୍ତରୀଣ ମତଭେଦ ମିଳିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କଷ୍ଟକର କରିଛି। କିନ୍ତୁ ଗାଜାର ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର ହେବାରେ ଲାଗିଛି। ଲୋକଙ୍କ ପାଖରେ ପିଇବା ପାଣି ନାହିଁ,ଖାଦ୍ୟ ନାହିଁ, ସ୍ୱାସ୍ଥ୍ୟ ସେବା ନାହିଁ। ହଜାର ହଜାର ଲୋକ ଧ୍ୱଂସାବଶେଷ ତଳେ ଚାପି ହୋଇ ମୃତ୍ୟୁବରଣ କରୁଛନ୍ତି।