ବର୍ଷକରେ ଗାଜା ପାଲଟିଲା ଭୂତ ସହର
ଇସ୍ରାଏଲ୍-ହମାସ୍ ର ଆକ୍ରମଣ ପରେ ଏବେ ଗାଜା ଆଉ ସହର ହୋଇନାହିଁ । ଅନେକ ଅଟ୍ଟାଳିକା ଧ୍ବଂସ ହେବା ପରେ ଆଉ ଯେଉଁ ଘର ରହିଛି ସେଠାରେ କେହି ରହୁନାହାଁନ୍ତି । ପାଣି ନାହିଁ, ବିଜୁଳି ନାହିଁ । କେବଳ ଭୂତ ସହର କୁହାଯାଉଛି ଗାଜାକୁ । ଭଂଗା ଘର ତଳେ ହଜାର ହଜାର ଶବ ପୋତି ହୋଇ ରହିଛି । କୁହାଯାଉଛି ଆହୁରି ତିନି ବର୍ଷ ଲାଗିବ ଶବ କାଢ଼ିବାକୁ । ଇସ୍ରାଏଲ୍ର ଆକ୍ରମଣରେ ଗାଜା ବର୍ଷକ ମଧ୍ୟରେ ଏକପ୍ରକାର ଧ୍ୱଂସସ୍ତୂପରେ ପରିଣତ ହୋଇ ଭୂତ ସହର ହୋଇଛି ।
ଗାଜାର ଚାରିଆଡ଼େ ବିଲ୍ଡିଂଗୁଡ଼ିକର ଧ୍ୱଂସାବଶେଷର ପାହାଡ଼ ଛିଡ଼ାହୋଇଛି। ସହରଗୁଡ଼ିକର ରାସ୍ତାଘାଟ ଆବର୍ଜନାପୂର୍ଣ୍ଣ ହୋଇଥିବାବେଳେ କେତେକ ଅଞ୍ଚଳରେ ମୃତକମାନଙ୍କ କଙ୍କାଳ ପଡ଼ିରହିଛି। ଗତବର୍ଷ ଅକ୍ଟୋବର ୭ରେ ଗାଜାର ହମାସ୍ ଆତଙ୍କବାଦୀମାନେ ଅଚାନକ ଇସ୍ରାଏଲ୍ ଉପରେ ଆକ୍ରମଣ କରି ୧,୨୦୦ ଲୋକଙ୍କୁ ମାରିବା ସହ ୨୫୦ ଜଣଙ୍କୁ ପଣବନ୍ଦୀ କରିନେଇଥିଲେ। ଏହାର ଜବାବରେ ଇସ୍ରାଏଲ୍ ଗାଜା ଉପରେ ଆକ୍ରମଣ କରି ପୁରା ସହରକୁ ସମତଳ କରିଦେଇଛି । ବଙ୍କର ନଷ୍ଟ କରିବାରୁ ରାସ୍ତା ବି ନାହିଁ ।
ବର୍ଷେ ହେଲା ଚାଲିଥିବା ଯୁଦ୍ଧରେ ପାଖାପାଖି ୪୨ ହଜାର ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ସେଥିରୁ ଅର୍ଦ୍ଧାଧିକ ହେଉଛନ୍ତି ମହିଳା ଓ ଛୋଟ ପିଲା। ଯୁଦ୍ଧ ଯୋଗୁ ଅନେକ ଲକ୍ଷ ଲୋକ ଘରଦ୍ୱାର ହରାଇଛନ୍ତି। ଅନେକେ ବିଭିନ୍ନ ଆଶ୍ରୟ ସ୍ଥଳରେ ମୁଣ୍ଡ ଗୁଞ୍ଜିଥିବାବେଳେ ବହୁ ଲୋକ ଦେଶ ଛାଡ଼ି ପଳାଇଛନ୍ତି। ଯୁଦ୍ଧବିରତି ପାଇଁ ଆମେରିକା ଓ ଅନ୍ୟ ଆଞ୍ଚଳିକ ଶକ୍ତି ଅନେକ ଉଦ୍ୟମ କରି ବିଫଳ ହୋଇଛନ୍ତି। ଯୁଦ୍ଧ ବନ୍ଦ ହେବା ପରିବର୍ତ୍ତେ ଲେବାନନ୍କୁ ବ୍ୟାପିଛି। ଇସ୍ରାଏଲର କ୍ରମାଗତ ଆକ୍ରମଣରେ ଇରାନ ସମର୍ଥତ୍ତ ହେଜବୋଲ୍ଲା ଆତଙ୍କବାଦୀ ସଂଗଠନର ମୁଖ୍ୟ ସମେତ ଅନେକ କମାଣ୍ଡର ଏବଂ ବହୁ ଲୋକ ମୃତାହତ ହେଲେଣି।
ଯୁଦ୍ଧର ବର୍ଷପୂର୍ତ୍ତିରେ ହମାସ୍ ତେଲ୍ ଆଭିଭ୍ ଉପରେ ସୋମବାର ଅନେକ ରକେଟ୍ ମାଡ଼ କରିଛି। ଇସ୍ରାଏଲ୍ର ହଇଫା ସହରରେ ରକେଟ୍ ମାଡ଼ କରି ଚାଲିଛି । ମୃତ୍ୟୁ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ଇସ୍ରାଏଲୀ ସେନା ଲେବାନନ୍ର ଦକ୍ଷିଣ ଭାଗରେ ବୋମାମାଡ଼ କରିଛି।