ଆଫଗାନିସ୍ତାନ ରାଜଧାନୀ କାବୁଲରେ ଗ୍ୟାସ୍ ସିଲିଣ୍ଡରରେ ବିସ୍ଫୋରଣ – ୮ ମୃତ
ଆଫଗାନିସ୍ତାନ ରାଜଧାନୀ କାବୁଲରେ ଗ୍ୟାସ୍ ସିଲିଣ୍ଡରରେ ବିସ୍ଫୋରଣ ଯୋଗୁ ୮ ଜଣଙ୍କ ମୃତ୍ୟୁ ହୋଇଛି। ଗଭର୍ଣ୍ଣରଙ୍କ କାର୍ଯ୍ୟାଳୟ ରବିବାର ଏହି ସୂଚନା ଦେଇଛି। ଦୁର୍ଘଟଣା ପୋଲିସ ଡିଷ୍ଟ୍ରିକ୍ଟ ୨୧ରେ ହୋଇଛି। ପରିବାର ଶୀତରୁ ରକ୍ଷା ପାଇବା ପାଇଁ ଗ୍ୟାସ ହିଟର ଉପଯୋଗ କରୁଥିଲେ। ଗ୍ୟାସ ଲିକ୍ କାରଣରୁ ସିଲିଣ୍ଡରରେ ବିସ୍ଫୋରଣ ହୋଇଥିବା ପ୍ରାଥମିକ ଯାଞ୍ଚରୁ ଜଣାପଡିଛି। ଆଫଗାନିସ୍ତାନରେ ଆଧୁନିକ ହିଟିଂ ଉପକରଣର ମିଳୁ ନାହିଁ। ଏଣୁ ଲୋକେ ଶୀତ ଋତୁରେ ଘରକୁ ଉଷୁମ କରିବାକୁ ଗ୍ୟାସ୍ ହିଟର ଅଥବା ଚୁଲିର ବ୍ୟବହାର କରୁଛନ୍ତି।
ଏହା ପୂର୍ବରୁ ଫେବୃଆରୀ ୫ ତାରିଖ ଦିନ ଖୋସ୍ତ ପ୍ରାନ୍ତରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଯୋଗୁ ୩ ଜଣ ମହିଳାଙ୍କ ମୃତ୍ୟୁ ହୋଇଥିଲା। ପ୍ରାନ୍ତିୟ ପୋଲିସ ମୁଖପାତ୍ର ତାହିର ଏହରାର କହିଛନ୍ତି ଯେ ଏହି ଦୁର୍ଘଟଣାରେ ଜଣେ ଲୋକ ଗୁରୁତର ଆହତ ହୋଇଛି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପରିବାର ଶୀତରୁ ରକ୍ଷା ପାଇବା ପାଇଁ ଗ୍ୟାସ ହିଟର ବ୍ୟବହାର କରୁଥିଲେ। ତେବେ ଟାଙ୍କିରେ ଲିକ୍ ଥିବା ସେମାନେ ଜାଣି ନଥିଲେ।
କିଛି ସପ୍ତାହ ପୂର୍ବରୁ ନଙ୍ଗରହର ପ୍ରାନ୍ତ ସ୍ପିନଘର ଜିଲ୍ଲାରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ହେବା ଯୋଗୁ ୨ ଜଣ ମହିଳାଙ୍କ ମୃତ୍ୟୁ ହୋଇଥିଲା ଓ ୨ ଜଣ ପିଲା ପୋଡି ହୋଇ ଆହତ ହୋଇଥିଲେ। ଜିଲ୍ଲାରେ ଜାନୁୟାରୀ ୧୪ ତାରିଖ ଦିନ ଏକ ହୋଟେଲରେ ଗ୍ୟାସ୍ ଲିକ୍ ହେବା ଯୋଗୁ ୧୪ ଜଣ କର୍ମଚାରୀ ପୋଡି ହୋଇ ଆହତ ହୋଇଥିଲେ। ପୋଲିସ ଯାଞ୍ଚ ପରେ ଏହି ଘଟଣା ପାଇଁ ହୋଟେଲ କର୍ମଚାରୀଙ୍କୁ ଦୋଷୀ କରାଯାଇଥିଲା।