ବିଶ୍ୱରେ ସବୁଠୁ ଖୁସି ଦେଶ ଫିନଲ୍ୟାଣ୍ଡ୍
ବିଶ୍ୱରେ ସବୁଠୁ ଖୁସି ଦେଶ ହେଉଛି ଫିନଲ୍ୟାଣ୍ଡ୍ । ଏହି ଦେଶ କ୍ରମାଗତ ଭାବେ ୮ ବର୍ଷ ହେଲା ବିଶ୍ୱ ଖୁସି ରାଙ୍କିଙ୍ଗରେ ଶୀର୍ଷ ସ୍ଥାନ ବଜାୟ ରଖୁଛି । ଜାତିସଂଘର ଅନ୍ତର୍ଜାତୀୟ ଖୁସି ଦିବସରେ ପ୍ରକାଶିତ ବିଶ୍ୱ ଖୁସି ତାଲିକାରୁ ଏହା ଜଣାଯାଇଛି। ଏହି ରାଙ୍କିଙ୍ଗରେ ଭାରତ ୧୧୮ତମ ସ୍ଥାନରେ ରହିଛି । ଫିନଲ୍ୟାଣ୍ଡ୍ ପଛକୁ ଡେନ୍ମାର୍କ, ଆଇସ୍ଲାଣ୍ଡ୍, ସ୍ୱିଡେନ ଏବଂ ନେଦର୍ଲ୍ୟାଣ୍ଡ୍ ଯଥାକ୍ରମେ ଦ୍ୱିତୀୟରୁ ପଞ୍ଚମ ସ୍ଥାନ ମଧ୍ୟରେ ରହିଛନ୍ତି । ବିଶ୍ୱ ଖୁସି ରିପୋର୍ଟରେ ଏହି ଦେଶଗୁଡ଼ିକ ଭଲ ପ୍ରଦର୍ଶନ କରିଛନ୍ତି । ଆଶ୍ଚର୍ଯ୍ୟର ବିଷୟ ହେଲା କୋଷ୍ଟାରିକା ଏବଂ ମେକ୍ସିକୋ ଶୀର୍ଷ ୧୦ଟି ଖୁସି ଦେଶ ତାଲିକା ମଧ୍ୟରେ ସ୍ଥାନ ପାଇଛନ୍ତି । କୋଷ୍ଟାରିକା ଷଷ୍ଠ ସ୍ଥାନରେ ଥିବାବେଳେ ମେକ୍ସିକୋ ୧୦ମ ସ୍ଥାନରେ ରହିଛି । ସେହିପରି ନରୱେ ସପ୍ତମ, ଇସ୍ରାଏଲ ଅଷ୍ଟମ, ଲକ୍ଜେମବର୍ଗ ନବମ ସ୍ଥାନରେ ରହିଛି । ଅନ୍ୟପକ୍ଷରେ ଯୁକ୍ତରାଷ୍ଟ୍ର ଆମେରିକାର ସ୍ଥାନ ୨୪କୁ ହ୍ରାସ ପାଇଛି, ବ୍ରିଟେନ୍ ୨୩ ତମ ସ୍ଥାନରେ ରହିଛି।
ଭାରତ ଏହି ତାଲିକାରେ ୨୦୨୪ରେ ୧୨୬ତମ ସ୍ଥାନରେ ରହିଥିଲା । ଚଳିତବର୍ଷ ୮ଟି ସ୍ଥାନ ଉପରକୁ ଉଠିଥିଲେ ମଧ୍ୟ ଭାରତ ଏବେ ବି ସଂଘର୍ଷ ଦେଇ ଗତି କରୁଥିବା ରାଷ୍ଟ୍ର ୟୁକ୍ରେନ, ମୋଜାମ୍ବିକ୍ ଏବଂ ଇରାକ ଭଳି ଦେଶଠାରୁ ପଛରେ ରହିଛି । ଆମର ପଡ଼ୋଶୀ ଦେଶଗୁଡ଼ିକର ରାଙ୍କିଙ୍ଗକୁ ବିଚାରକୁ ନେଲେ ଜଣାଯାଇଛି ଯେ, ନେପାଳ ୯୨ତମ, ପାକିସ୍ତାନ ୧୦୯ତମ, ଚୀନ ୬୮ତମ ସ୍ଥାନରେ ରହି ଭାରତଠାରୁ ଆଗରେ ରହିଛନ୍ତି । ଶ୍ରୀଲଙ୍କା ଓ ବାଂଲାଦେଶ ଆମଠାରୁ ପଛରେ ଅର୍ଥାତ୍ ଯଥାକ୍ରମେ ୧୩୩ତମ ଏବଂ ୧୩୪ତମ ସ୍ଥାନରେ ରହିଛନ୍ତି । ଅନ୍ୟପକ୍ଷରେ ଆଫଗାନିସ୍ତାନ ବିଶ୍ୱର ଖୁସି ରାଙ୍କିଙ୍ଗରେ ସବୁଠୁ ପଛରେ (୧୪୭ତମ) ରହିଛି । ଆଫଗାନିସ୍ତାନର ମହିଳାମାନେ ବିଭିନ୍ନ କ୍ଷେତ୍ରରେ ସଂଘର୍ଷ କରୁଥିବାରୁ ଆଫଗାନିସ୍ତାନ ପଛରେ ପଡ଼ିଛି । ସେମାନଙ୍କ ଜୀବନ କଷ୍ଟକର ହୋଇପଡ଼ିଛି ।