କାଲିଫର୍ଣ୍ଣିଆରେ ଭୟଙ୍କର ଜଙ୍ଗଲ ନିଆଁରେ ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି
କାଲିଫର୍ଣ୍ଣିଆରେ ଅଗ୍ନି ବିପର୍ଯ୍ୟୟ ଭୟଙ୍କର ହେଉଛି । ଥମିବା ବଦଳରେ ନୂଆ ଅଞ୍ଚଳକୁ ଗ୍ରାସୁଛି ଜଙ୍ଗଲ ନିଆଁ । ବଢ଼ୁଛି ଲସ୍ ଏଞ୍ଜେଲସ୍ ପାଇଁ ଅଗ୍ନି ବିପତ୍ତି । ଜୁନୁଆରୀ ୭ରେ ଆରମ୍ଭ ହୋଇଥିଲା ଜଙ୍ଗଲ ନିଆଁ । ଏବେ ୩୬ ହଜାର ଏକର ଜଙ୍ଗଲକୁ ଜାଳି ପୋଡି ପାଉଁଶ କରି ଦେଲାଣି । ଗୋଟିଏ ପରେ ଗୋଟିଏ ଜନବସତିକୁ ମଧ୍ୟ ନିଆଁ ବ୍ୟାପିବାରେ ଲାଗିଛି । ୧୨ ହଜାରରୁ ଅଧିକ ଘର ଜଳି ଗଲାଣି । ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି । ବହୁ ବଣ୍ୟଜନ୍ତୁ ଜଙ୍ଗଲ ନିଆଁରେ ଜଳି ଗଲେଣି । ପ୍ରାୟ ୨ଲକ୍ଷ ଲୋକ ଘରଦ୍ବାର ଛାଡ଼ି ପଳାଇଲେଣି । ଅନେକ ହଲିଉଡ୍ ତାରକା ଘର ଛାଡ଼ିଛନ୍ତି । କିଛି ସହର ସଂପୂର୍ଣ୍ଣ ଜଳି ଗଲାଣି । ୧୨ ଲକ୍ଷ କୋଟିର ସଂପତ୍ତି ପାଉଁଶ ହୋଇ ଗଲାଣି । ଜଙ୍ଗଲ ନିଆଁକୁ ଇନ୍ଧନ ଦେଉଛି ସାଉଥ ଅନା ୱିଣ୍ଡ । ଏହି ପବନ ନିଆଁକୁ ବ୍ୟାପିବାରେ ସହାୟତା କରୁଛି। ଦକ୍ଷିଣ ଲସ୍ ଏଞ୍ଜେଲସ୍ ର ଶୁସ୍କ ଅଞ୍ଚଳରୁ ଆସୁଥିବା ଏହି ପବନ ନିଆଁକୁ ଅଧିକ ଭୟଙ୍କର କରିଛି ।
ଏହି ଭୟଙ୍କର ଅଗ୍ନିକାଣ୍ଡ ହଲିଉଡ ହିଲ୍ସରେ ପହଞ୍ଚିଥିବା ବେଳେ ଅନେକ ଆମେରିକୀୟ ଚଳଚ୍ଚିତ୍ର ବ୍ୟକ୍ତିତ୍ୱଙ୍କ ଘରେ ମଧ୍ୟ ନିଆଁ ଲାଗିଯାଇଛି |ସେପଟେ ନିଆଁ ଲିଭାଇବା ପାଇଁ ଚାଲିଥିବା ପ୍ରୟାସ ମଧ୍ୟରେ ପାଣି ଅଭାବ ଏକ ବଡ଼ ପ୍ରସଙ୍ଗ ପାଲଟିଛି । ଆକାଶ ମାର୍ଗରୁ ପାଣି ବର୍ଷା କରାଯାଉଛି । ୩୦ ହେଲିକପ୍ଟର ଆକାଶରୁ ପାଣି ବୃଷ୍ଟି କରୁଛନ୍ତି । ନିଆଁ ଆୟତ୍ତ କରିବା ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ପାଲଟିଛି ।