ଗାଜାରେ ଇସ୍ରାଏଲ୍‌ର ଏୟାରଷ୍ଟ୍ରାଇକ୍‌ ଏବଂ ଗୁଳିମାଡ଼ ୪୪ ମୃତ

ଗାଜାରେ ଶନିବାର ସକାଳେ ଇସ୍ରାଏଲ୍‌ର ଏୟାରଷ୍ଟ୍ରାଇକ୍‌ ଏବଂ ଗୁଳିମାଡ଼ରେ ୪୪ ଜଣଙ୍କ ମୃତ୍ୟୁ ଘଟିଛି। ଯୁଦ୍ଧ ବନ୍ଦ ପାଇଁ ଅନ୍ତର୍ଜାତୀୟ ଚାପ ବଢ଼ୁଥିବାବେଳେ ଯୁଦ୍ଧ ଜାରି ରଖିବା ଜିଦ୍‌ରେ ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ଅଟଳ ରହିଛନ୍ତି। କେନ୍ଦ୍ରୀୟ ଓ ଉତ୍ତର ଗାଜାରେ ଶନିବାର ଭୋର ସମୟରେ ଏୟାରଷ୍ଟ୍ରାଇକ୍‌ ହୋଇଥିଲା। ନୁସେଇରାତ ଶରଣାର୍ଥୀ କ୍ୟାମ୍ପ୍‌ରେ ଥିବା ଏକ ଘର ଉପରେ ଆକ୍ରମଣ ହେବାରୁ ଗୋଟିଏ ପରିବାରର ୯ ଜଣ ପ୍ରାଣ ହରାଇଛନ୍ତି। ଶୁକ୍ରବାର ଜାତିସଂଘ ସାଧାରଣ ପରିଷଦ (ୟୁଏନ୍‌ଜିଏ)ର ୮୦ତମ ଅଧିବେଶନରେ ନେତାନ୍ୟାହୁଙ୍କ ଭାଷଣର କିଛି ଘଣ୍ଟା ପରେ ଏହି ଆକ୍ରମଣ ହୋଇଛି। ଗାଜାରେ ଧ୍ୱଂସକାରୀ ଯୁଦ୍ଧ ଜାରି ରହିବ ଏବଂ ହମାସ୍‌ ବିରୋଧରେ ଆମେ ଆମ କାମ ଶେଷ କରିବୁ ବୋଲି ନେତାନ୍ୟାହୁ କହିଥିଲେ। ପାଲେଷ୍ଟିନୀୟ ରାଷ୍ଟ୍ରକୁ ଫ୍ରାନ୍ସ, ବ୍ରିଟେନ ସମେତ ଅନେକ ଦେଶ ସ୍ବୀକୃତି ପ୍ରଦାନ କରିଥିବାରୁ ନେତାନ୍ୟାହୁ ଏହାର ନିନ୍ଦା କରିଥିଲେ। ପାଲେଷ୍ଟିନୀୟ ରାଷ୍ଟ୍ରକୁ ଇସ୍ରାଏଲ୍‌ ସ୍ବୀକୃତି ଦେବା ଅତ୍ୟନ୍ତ ପାଗଳାମି ହେବ ବୋଲି ସେ କହିଥିଲେ। ଯୁଦ୍ଧ ବନ୍ଦ ପାଇଁ ଚାପ ବଢ଼ିବା ସହ ଇସ୍ରାଏଲ୍‌ ଏକପ୍ରକାର ଏକଘରିକିଆ ହୋଇଯାଇଛି। ପାଲେଷ୍ଟାଇନ୍‌ ରାଷ୍ଟ୍ରକୁ ସମର୍ଥନ କରୁଥିବା ଦେଶ ସଂଖ୍ୟା ବଢ଼ିଚାଲିଛି। ଯୁଦ୍ଧବିରତି ଲାଗି ଇସ୍ରାଏଲ୍‌ ଉପରେ ଚାପ ପକାଇବାକୁ ସେମାନେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ପ୍ରଭାବିତ କରିବାକୁ ଉଦ୍ୟମ ଚଳାଇଛନ୍ତି।

Leave a comment