ବ୍ରିଟେନ ରାଣୀଙ୍କୁ କରୋନା ପଜିଟିଭ୍

ମେଟ୍ରୋ ଟିଭି ଓଡିଶା (୨୧ .୨.୨୦୨୨) :

ବ୍ରିଟେନ ରାଣୀ ଏଲିଜାବେଥ୍ ଦ୍ୱିତୀୟ କରୋନା ପଜିଟିଭ୍ ବାହାରିଛନ୍ତି। ରବିବାର ବକିଙ୍ଗହମ୍ ପ୍ୟାଲେସରୁ ଜାରି ଏକ ବିବୃତ୍ତିରେ ଏହା ନିଶ୍ଚିତ କରାଯାଇଛି। ବିବୃତ୍ତିରେ କୁହାଯାଇଛି, ‘୯୫ ବର୍ଷୀୟା ରାଣୀ ଏଲିଜାବେଥଙ୍କଠାରେ ବର୍ତ୍ତମାନ କରୋନା ଭାଇରସ୍‌ର ହାଲୁକା ଲକ୍ଷଣ ଦେଖିବାକୁ ମିଳିଛି। ତାଙ୍କ ସ୍ୱାସ୍ଥ୍ୟ ଉପରେ ତୀକ୍ଷ୍ଣ ନଜର ରଖାଯାଉଛି’। ଏହା ପୂର୍ବରୁ ପ୍ରିନ୍ସ ଚାର୍ଲ୍ସ ଏବଂ ତାଙ୍କ ପତ୍ନୀ ‘ଡଚେଜ୍‌ ଅଫ୍ କର୍ଣ୍ଣୱାଲ୍’ କାମିଲା ପାର୍କର ମଧ୍ୟ କୋଭିଡ୍‌-୧୯ ପଜିଟିଭର ଶିକାର ହୋଇଥିଲେ।

ଏହାର ସୂଚନା ମଧ୍ୟ ରୟାଲ ପ୍ୟାଲେସ ପକ୍ଷରୁ ଜାରି ବୟାନରେ ଦିଆଯାଇଥିଲା।ବ୍ରିଟେନ ରାଣୀ ପ୍ରିନ୍ସ ଚାର୍ଲ୍ସଙ୍କ ସହ ୱିଣ୍ଡସର୍ କ୍ୟାସଲ ବାସଭବନରେ କିଛି ସମୟ ବିତାଇଥିଲେ, ଯାହା ପରଠାରୁ ହିଁ ରାଣୀ ଏଲିଜାବେଥ୍ କରୋନା ହେବା ଆଶଙ୍କା ମଧ୍ୟରେ ଥିଲେ। ବକିଙ୍ଗହମ୍ ପ୍ୟାଲେସ୍ ଏକ ବିବୃତ୍ତି ଜାରି କରି କହିଛି ଯେ ୯୫ ବର୍ଷୀୟା ରାଣୀ ବର୍ତ୍ତମାନ ନିଜ ୱିଣ୍ଡସର୍ ପ୍ୟାଲେସରେ ହିଁ ଅଛନ୍ତି ଏବଂ ଆସନ୍ତା କିଛି ଦିନ ପର୍ଯ୍ୟନ୍ତ ସେ କେବଳ ହାଲୁକା କାର୍ଯ୍ୟ କରିବେ। ସେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ହିଁ କାର୍ଯ୍ୟ କରିବେ। କହି ରଖୁଛୁ କି, ବ୍ରିଟେନରେ କରୋନା ଭାଇରସ୍‌ରେ ସଂକ୍ରମିତ ହୋଇଥିବା କୌଣସି ବି ବ୍ୟକ୍ତିଙ୍କ ପାଇଁ ବର୍ତ୍ତମାନ ନିର୍ଦ୍ଦେଶାବଳୀ ଅନୁସାରେ ୧୦ ଦିନ ଆଇସୋଲେଶନରେ ରହିବାକୁ ପଡିବ।

ଏଲିଜାବେଥ୍ ଫେବୃଆରୀ ୬ରେ ନିଜ ଶାସନର ପ୍ଲାଟିନମ୍ ଜୁବୁଲି ପାଳନ କରିଛନ୍ତି। ତାଙ୍କ ଶାସନକୁ ୭୦ ବର୍ଷ ବିତି ଗଲାଣି। ତିନି ମାସ ମଧ୍ୟରେ ପ୍ରଥମ ଥର ପାଇଁ ରାଣୀଙ୍କୁ ଏହି ଅବସରରେ ଦେଖିବାକୁ ମିଳିଥିଲା। ରାଣୀଙ୍କୁ ପ୍ରଥମ ଭ୍ୟାକ୍ସିନ ଡୋଜ୍‌ ଜାନୁଆରୀ ୨୦୨୧ରେ ଲଗାଯାଇଥିଲା। ଏହାପରେ ବାକି ସମସ୍ତ ଡୋଜ ନିୟମ ଅନୁଯାୟୀ ଦିଆଯାଇଥିଲା। ଗତ ବର୍ଷ ଅକ୍ଟୋବରରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେବେଠାରୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଥିବା କୁହାଯାଇଛି। କରୋନା କାଳରେ ରାଣୀ ପ୍ରଥମ ଥର ପଜିଟିଭ୍‌ ବାହାରିଛନ୍ତି। ତେବେ ପ୍ରିନ୍ସ ଚାର୍ଲ୍ସ ଦୁଇଥର ସଂକ୍ରମିତ ହୋଇଛନ୍ତି। ଏହା ପୂର୍ବରୁ ସେ ୨୦୨୦ରେ ସଂକ୍ରମିତ ହୋଇଥିଲେ। କରୋନା ରିପୋର୍ଟ ଆସିବା ପରଠାରୁ ପ୍ରିନ୍ସ ଚାର୍ଲ୍ସ ସେଲ୍ଫ ଆଇସୋଲେଶନରେ ରହୁଛନ୍ତି।