ମେଟ୍ରୋ ଟିଭି ଓଡିଶା (୨୫.୬.୨୦୨୨)
ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ସମ୍ପର୍କରେ ବିବାଦୀୟ ଟିପ୍ପଣୀ ଦେଇ ଅଡ଼ୁଆରେ ପଡ଼ିଛନ୍ତି ଫିଲ୍ମ ନିର୍ମାତା ରାମ ଗୋପାଲ ବର୍ମା। ଏନେଇ ତେଲାଙ୍ଗାନା ବିଜେପିର ବରିଷ୍ଠ ନେତା ଜି ନାରାୟଣ ରେଡ୍ଡୀ ଅବିଡ୍ସ ପୋଲିସ ଷ୍ଟେସନରେ ଲିଖିତ ଅଭିଯୋଗ କରିଛନ୍ତି। ଶ୍ରୀ ବର୍ମା ଟ୍ୱିଟ ଯୋଗେ ଶ୍ରୀମତୀ ମୁର୍ମୁଙ୍କ ପ୍ରତି ବିବାଦୀୟ ମନ୍ତବ୍ୟ ଦେଇଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି। ପୋଲିସ ଷ୍ଟେସନର ଇନ୍ସପେକ୍ଟର ବି ପ୍ରସାଦ ରାଓ କହିଛନ୍ତି, “ଆମେ ଅଭିଯୋଗ ପାଇଛୁ ଓ ଏହାର ଆଇନଗତ ବିଚାର ପାଇଁ ପ୍ରକ୍ରିୟା ଆରମ୍ଭ କରିଛୁ।

ଆମେ ଆଇନଗତ ମତାମତ ପାଇବା ପରେ ହିଁ ରାମ ଗୋପାଲ ବର୍ମାଙ୍କ ବିରୋଧରେ ଅନୁସୂଚିତ ଜାତି ଓ ଜନଜାତି ଆଇନ ବଳରେ ମାମଲା କରିବୁ। ବର୍ତ୍ତମାନ ଅଭିଯୋଗର ଯାଞ୍ଚ କରାଯାଉଛି।” ରାମ ଗୋପାଳ ବର୍ମା ଟ୍ୱିଟ କରି କହିଥିଲେ ଯେ “ଯଦି ଦ୍ରୌପତି ରାଷ୍ଟ୍ରପତି ହେବେ, ତା’ହେଲେ ପାଣ୍ଡବ କିଏ | ଆଉ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, କେଉଁମାନେ କୌରବ| ” ଶ୍ରୀ ବର୍ମାଙ୍କ ଏପରି ଟ୍ୱିଟକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ଶ୍ରୀ ରେଡ୍ଡୀ ତାଙ୍କ ଅଭିଯୋଗରେ କହିଛନ୍ତି ଯେ ରାମ ଗୋପାଲ ବର୍ମା ଏପରି ଅଶୋଭନୀୟ ବୟାନ ଦେଇ ଜଣେ ବରିଷ୍ଠ ଆଦିବାସୀ ମହିଳା ରାଜନେତାଙ୍କୁ ଅପମାନିତ କରିଛନ୍ତି। ତେଣୁ ପୋଲିସ ତୁରନ୍ତ ତାଙ୍କ ବିରୋଧରେ ଏସସି/ଏସଟି ଆଇନ ବଳରେ ମାମଲା ରୁଜୁ କରି କଠୋର ଦଣ୍ଡ ଦେଉ। ଟ୍ୱିଟକୁ ନେଇ ବିବାଦ ବଢ଼ୁଥିବାରୁ ଶ୍ରୀ ବର୍ମା ପୁଣି ଟ୍ୱିଟ କରି ସଫେଇ ଦେଇଛନ୍ତି। ସେ କହିଛନ୍ତି, “କେବଳ ମଜା ପାଇଁ ଏପରି ଟ୍ୱିଟ କରିଥିଲି। ଏହା ପଛରେ ଆଉ କୌଣସି ମନ୍ଦ ଉଦ୍ଦେଶ୍ୟ ନଥିଲା। ମହାଭାରତରେ ଦ୍ରୌପଦୀ ଚରିତ୍ରକୁ ମୁଁ ବହୁତ ପସନ୍ଦ କରେ। ତେବେ ଦ୍ରୌପଦୀ ନାଁଟି ସେବେଠାରୁ ବିରଳ ହୋଇଥିବାରୁ ମୁଁ ଏବେ କେବଳ ଉକ୍ତ ଚରିତ୍ରକୁ ମନେପକାଇଥିଲି ଓ ମୋ ମତାମତ ଦେଇଥିଲି। କିନ୍ତୁ ମୁଁ କାହାର ଭାବାବେଗକୁ ଆଘାତ ଦେବାକୁ ଆଦୌ ଚାହିଁ ନଥିଲି।”