ହର୍ମୁଜ ପ୍ରଣାଳୀ ନିକଟରେ ଏକ ଭାରତୀୟ ଜାହାଜ ଉପରେ ଆକ୍ରମଣ ସମ୍ପର୍କରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦାବି ଉପରେ ଇରାନ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଟ୍ରମ୍ପଙ୍କ ଅଭିଯୋଗକୁ ସମ୍ପୂର୍ଣ୍ଣ ‘ଭିତ୍ତିହୀନ” ବୋଲି ଖାରଜ କରି ଭାରତରେ ଥିବା ଇରାନୀ ଦୂତାବାସ କହିଛି ଯେ, ଆମେରିକା ଜନସାଧାରଣଙ୍କ ଧ୍ୟାନ ହଟାଇବାକୁ ଚେଷ୍ଟା କରୁଛି। ଗୋଟିଏ ସପ୍ତାହରୁ କମ ସମୟ ମଧ୍ୟରେ, ଆମେରିକୀୟ ସେନା ଭାରତୀୟ ନାବିକମାନଙ୍କୁ ନେଇ ଯାଉଥିବା ତିନୋଟି ଜାହାଜ ଉପରେ ଆକ୍ରମଣ କରିଛି, ଯାହା ଫଳରେ ତିନି ଜଣ ଭାରତୀୟ ନାଗରିକଙ୍କ ମୃତ୍ୟୁ ଘଟିଛି।
ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପ୍ରକାଶିତ ଏକ ବିବୃତ୍ତିରେ, ଭାରତରେ ଥିବା ଇରାନୀ ଦୂତାବାସ ଘୋଷଣା କରିଛି ଯେ, ହର୍ମୁଜ ପ୍ରଣାଳୀରେ ଭାରତୀୟ ଜାହାଜ ସମ୍ପର୍କରେ ଟ୍ରମ୍ପଙ୍କ ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ। ଏହା ଭାରତୀୟ ନାବିକଙ୍କ ଜୀବନ ନେଇଥିବା ସମ୍ପ୍ରତିକ ଆକ୍ରମଣରୁ ଧ୍ୟାନ ହଟାଇବା ପାଇଁ ଆମେରିକାର ଏକ ପ୍ରୟାସ।
ଇରାନ ଅଭିଯୋଗ କରିଛି ଯେ ଆମେରିକା ଗୋଟିଏ ସପ୍ତାହ ମଧ୍ୟରେ ତିନୋଟି ଭାରତୀୟ ଜାହାଜକୁ ଟାର୍ଗେଟ କରିଛି, ଯାହା ଫଳରେ ତିନି ଜଣ ନିର୍ଦ୍ଦୋଷ ଭାରତୀୟ ନାବିକଙ୍କ ମୃତ୍ୟୁ ଘଟିଛି। ଦୂତାବାସ ଆମେରିକାର କାର୍ଯ୍ୟଗୁଡ଼ିକୁ କଡ଼ା ସମାଲୋଚନା କରିଛି, ଏହାକୁ ‘କ୍ରୁର’ ଏବଂ ‘ଲଜ୍ଜାଜନକ’ ବୋଲି ବର୍ଣ୍ଣନା କରିଛି।
ପୂର୍ବରୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଥିଲେ ଯେ, ହର୍ମୁଜ ପ୍ରଣାଳୀ ନିକଟରେ ଭାରତୀୟ ନାବିକମାନଙ୍କୁ ନେଇ ଯାଉଥିବା ଜାହାଜ ଉପରେ ଆକ୍ରମଣ ପଛରେ ଇରାନର ହାତ ଅଛି। ସେ ଏହି ଘଟଣାକୁ ‘ସମ୍ପୂର୍ଣ୍ଣ ଭାବରେ ଗ୍ରହଣୀୟ ନୁହେଁ’ ବୋଲି କହିଥିଲେ।
ଓମାନ ଉପକୂଳରେ ହୋଇଥିବା ଆକ୍ରମଣରେ ତିନି ଜଣ ଭାରତୀୟଙ୍କ ମୃତ୍ୟୁ ପରେ, ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓଙ୍କୁ ଫୋନ୍ କରିଛନ୍ତି। ଜୟଶଙ୍କର ଏହି ଫୋନ୍ କଲ୍ରେ କଡ଼ା ପ୍ରତିବାଦ ପ୍ରକାଶ କରିଛନ୍ତି। ଏସମ୍ପର୍କରେ ସୂଚନା ପ୍ରଦାନ କରି ଜୟଶଙ୍କର ସୋସି୍ଆଲ ମିଡିଆ ଏକ୍ସରେ ଲେଖିଛନ୍ତି, ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓଙ୍କ ସହ ମୁଁ କଥା ହୋଇଛି। ମୁଁ ଉପସାଗରରେ ଆମେରିକାର ନୌସେନା ଆକ୍ରମଣ ବିରୋଧରେ ଭାରତର କଡ଼ା ପ୍ରତିବାଦକୁ ଦୋହରାଇଛି, ଯେଉଁଥିରେ ତିନି ଜଣ ଭାରତୀୟ ନାବିକଙ୍କ ମୃତ୍ୟୁ ହୋଇଥିଲା। ବାଣିଜ୍ୟିକ ଜାହାଜ ଚଳାଚଳ ଉପରେ ଏପରି ଘାତକ କାର୍ଯ୍ୟାନୁଷ୍ଠାନ ଗ୍ରହଣୀୟ ନୁହେଁ।