ମେଟ୍ରୋ ଟିଭି ଓଡିଶା (୧୬.୫.୨୦୨୨)
ଆର୍ଥିକ ସଂକଟକୁ ନେଇ ଶ୍ରୀଲଙ୍କାରେ ସରକାର ବିରୋଧୀ ବିକ୍ଷୋଭ ଲାଗି ରହିଥିବାବେଳେ ପରିସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଲୋକଙ୍କ ସରକାରୀ ବିରୋଧୀ ବିକ୍ଷୋଭବେଳେ ଶ୍ରୀଲଙ୍କା ସରକାରରେ ଏକ ଅସ୍ବାଭାବିକ ପରିସ୍ଥିତି ଦେଖିବାକୁ ମିଳିଛି। ବିକ୍ଷୋଭକାରୀମାନେ ରାଷ୍ଟ୍ରପତି ଗୋଟାବୟ ରାଜପକ୍ଷଙ୍କ ଇସ୍ତଫା ଦାବି କରିଥିବାବେଳେ ନୂଆ ପ୍ରଧାନମନ୍ତ୍ରୀ ରନିଲ ବିକ୍ରମସିଂହେ ଏହାକୁ ସମର୍ଥନ କରିଛନ୍ତି। ବିକ୍ଷୋଭକାରୀମାନେ ଅଭିଯୋଗ କରିଛନ୍ତି ଯେ ଦେଶକୁ ଆର୍ଥିକ ସଂକଟରୁ ଉଦ୍ଧାର କରିବା ଦିଗରେ ରାଷ୍ଟ୍ରପତି ରାଜପକ୍ଷ ଉପଯୁକ୍ତ ପଦକ୍ଷେପ ନେବାରେ ବିଫଳ ହୋଇଛନ୍ତି।

ରାଷ୍ଟ୍ରପତି ରାଜପକ୍ଷ ନିଜ ଭାଇ ମହିନ୍ଦା ରାଜପକ୍ଷଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ହଟାଇ ବିକ୍ରମସିଂହେଙ୍କୁ ପ୍ରଧାନମନ୍ତ୍ରୀ ପଦରେ ବସାଇଥିବାବେଳେ ସେ ଏବେ ତାଙ୍କ ପାଇଁ ବିପଦ ଭାବେ ଉଭା ହୋଇଛନ୍ତି। ରିପୋର୍ଟ ଅନୁଯାୟୀ ଶ୍ରୀଲଙ୍କାରେ ଏବେ ‘ଗୋଟା ଗୋ ଗାମା’ ନାମରେ ବିକ୍ଷୋଭ ଚାଲିଛି। ଗୁରୁବାର ବିକ୍ରମସିଂହେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ ପରେ ଶନିବାର ନିଜ ମନ୍ତ୍ରିମଣ୍ଡଳରେ ୪ ମନ୍ତ୍ରୀଙ୍କୁ ସାମିଲ କରିଛନ୍ତି। ବିକ୍ରମସିଂହେ ନିଜ ସରକାର ଗଠନ ପରେ ରାଷ୍ଟ୍ରପତିଙ୍କୁ ବିଦା କରିବାକୁ ଯୋଜନା ଆରମ୍ଭ କରିଛନ୍ତି। ତେବେ ରବିବାର ରାଷ୍ଟ୍ରପତି ରାଜପକ୍ଷ ସମସ୍ତ ସାଂସଦଙ୍କୁ ଏକଜୁଟ୍ ହେବା ପୂର୍ବକ ଦେଶକୁ ଆର୍ଥିକ ସଂକଟରୁ ମୁକ୍ତ ଲାଗି କାର୍ଯ୍ୟ କରିବାକୁ ଆହ୍ବାନ ଦେଇଛନ୍ତି।
ରବିବାର ବୁଦ୍ଧ ପୂର୍ଣ୍ଣିମା ପାଇଁ ଶ୍ରୀଲଙ୍କା ସରକାର ଦେଶରୁ କର୍ଫ୍ୟୁ ଉଠାଇ ଦେଇଥିବାବେଳେ ଲୋକେ ବଡ ଧରଣର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବିକ୍ଷୋଭକୁ ନିୟନ୍ତ୍ରଣ ପାଇଁ ପୁଲିସ ୨୦୦ରୁ ଅଧିକ ଲୋକଙ୍କୁ ଗିରଫ କରିଛି। ଆର୍ଥିକ ସଂକଟରୁ ଉଦ୍ଧାର ପାଇଁ ଭାରତ ସରକାର ଶ୍ରୀଲଙ୍କାକୁ ୪ଲକ୍ଷ ମେଟ୍ରିକ ଟନ୍ ଇନ୍ଧନ ପଠାଇଛନ୍ତି।
ଆର୍ଥିକ ସଂକଟକୁ ନେଇ ଶ୍ରୀଲଙ୍କାରେ ବିକ୍ଷୋଭ ଲାଗି ରହିଥିବାବେଳେ ଦେଶ ବିରୋଧୀ ତତ୍ତ୍ବ ଏଲଟିଟିଇ ସକ୍ରିୟ ହେବାରେ ଲାଗିଛି। ଗତ ମେ ୯ ତାରିଖରେ ଶ୍ରୀଲଙ୍କାରେ ସରକାର ବିରୋଧୀ ବିକ୍ଷୋଭ ବେଳେ ହିଂସାକାଣ୍ଡ ଘଟି ୯ଜଣଙ୍କର ମୃତ୍ୟୁ ହେବା ଓ ଶତାଧିକ ଆହତ ହୋଇଥିଲେ। ବିକ୍ଷୋଭକାରୀମାନେ ୭୮ଜଣ ସାଂସଦଙ୍କ ଘର ପୋଡାଜଳା କରିଥିଲେ। ମେ ୯ ତାରିଖରେ ଘଟିଥିବା ଏହି ହିଂସାକାଣ୍ଡରେ ଏଲ୍ଟିଟିଇ ଉଗ୍ରବାଦୀ ସଂଗଠନର ସମ୍ପୃକ୍ତି ଥିବା ଅଭିଯୋଗ ହୋଇଛି। ଭାରତରେ ପ୍ରକାଶିତ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଶ୍ରୀଲଙ୍କା ହିଂସାକୁ ଏଲଟିଟିଇ ଉସୁକାଉଛି।