ଆମେରିକା ଏବଂ ଇସ୍ରାଏଲର ମିଳିତ କ୍ଷେପଣାସ୍ତ୍ର ମାଡ଼ରେ ଆଇଆରଜିସିର ମୁଖପାତ୍ର ଅଲି ମହମ୍ମଦ ନାଇନି ମୃତ
ପଶ୍ଚିମ ଏସିଆରେ ଯୁଦ୍ଧ ଭୟଙ୍କର ରୂପ ନେଇଛି। ଆମେରିକା ଏବଂ ଇସ୍ରାଏଲର ମିଳିତ କ୍ଷେପଣାସ୍ତ୍ର ମାଡ଼ରେ ଇରାନର ଶକ୍ତିଶାଳୀ ସାମରିକ ବାହିନୀ ଆଇଆରଜିସିର ମୁଖପାତ୍ର ଅଲି ମହମ୍ମଦ ନାଇନିଙ୍କ ମୃତ୍ୟୁ ହୋଇଛି। କିଛି ଦିନ ମଧ୍ୟରେ ଏହା ଇରାନ ନେତୃତ୍ୱ ଉପରେ ଚତୁର୍ଥ ବଡ଼ ଆକ୍ରମଣ। ଆମେରିକା-ଇସ୍ରାଏଲ୍ କ୍ଷେପଣାସ୍ତ୍ର ମାଡ଼ରେ ଥରିଲା ତେହେରାନ। ପଶ୍ଚିମ ଏସିଆରେ ଚାଲିଥିବା ଭୟଙ୍କର ଯୁଦ୍ଧ ମଧ୍ୟରେ ଇରାନକୁ ଏକ ବଡ଼ ଝଟକା ଲାଗିଛି। ଆମେରିକା ଏବଂ ଇସ୍ରାଏଲର ମିଳିତ କ୍ଷେପଣାସ୍ତ୍ର ଆକ୍ରମଣରେ ଇରାନର ଶକ୍ତିଶାଳୀ ସାମରିକ ବାହିନୀ ‘ଇସଲାମିକ୍ ରିଭଲ୍ୟୁସନାରୀ ଗାର୍ଡ କର୍ପସ’ର ମୁଖପାତ୍ର ଜେନେରାଲ ଅଲି ମହମ୍ମଦ ନାଇନି ପ୍ରାଣ ହରାଇଛନ୍ତି। ଇରାନର ସରକାରୀ ଗଣମାଧ୍ୟମ ଏହି ଖବରକୁ ନିଶ୍ଚିତ କରିବା ସହ ତାଙ୍କୁ ‘ଶହୀଦ’ ବୋଲି ଘୋଷଣା କରିଛି। ବିଳମ୍ବିତ ରାତିରେ ତେହେରାନ ଏବଂ ଏହାର ଆଖପାଖ ଅଞ୍ଚଳରେ ହୋଇଥିବା ଏୟାରଷ୍ଟ୍ରାଇକ୍ରେ ନାଇନିଙ୍କ ମୃତ୍ୟୁ ହୋଇଛି। ଏହି ଘଟଣା ପରେ ଇରାନ ପକ୍ଷରୁ କଠୋର ପ୍ରତିଶୋଧ ନେବାକୁ ଚେତାବନୀ ଦିଆଯାଇଛି। ଗତ କିଛି ସପ୍ତାହ ମଧ୍ୟରେ ଇରାନର ଏକାଧିକ ଶୀର୍ଷ ନେତା ଓ ସାମରିକ ଅଧିକାରୀଙ୍କୁ ଇସ୍ରାଏଲ୍ ଟାର୍ଗେଟ୍ କରିସାରିଲାଣି।
ସାମରିକ ଉତ୍ତେଜନା ମଧ୍ୟରେ ଇରାନର ଇସଲାମିକ୍ ରିଭଲ୍ୟୁସନାରୀ ଗାର୍ଡ କର୍ପସ ରଣନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ‘ହର୍ମୁଜ ପ୍ରଣାଳୀ’ ଦେଇ ଜାହାଜ ଚଳାଚଳ ପାଇଁ ଏକ ନୂତନ ପଞ୍ଜିକରଣ ବ୍ୟବସ୍ଥା ଆରମ୍ଭ କରିଛି। ଲଏଡସ ଲିଷ୍ଟର ରିପୋର୍ଟ ଅନୁଯାୟୀ, ଇରାନ ଏବେ ଏହି ଜଳପଥରେ “ସିଲେକ୍ଟିଭ୍ ବ୍ଲକେଡ୍” ବା ଚୟନକୃତ କଟକଣା ଲଗାଇବାକୁ ଯାଉଛି। କୁହାଯାଉଛି ନିର୍ଦ୍ଦିଷ୍ଟ ଦେଶକୁ ସୁଯୋଗ ମିଳିବ ଭାରତ, ପାକିସ୍ତାନ, ଇରାକ, ମାଲେସିଆ ଏବଂ ଚୀନ୍ ଭଳି ଦେଶଗୁଡ଼ିକ ଜଳପଥ ଦେଇ ଯାତାୟାତ କରିବା ପାଇଁ ତେହେରାନ ସହ ଆଲୋଚନା କରୁଛନ୍ତି। ଏହି ବ୍ୟବସ୍ଥା ଅଧୀନରେ ଜାହାଜଗୁଡ଼ିକୁ ସେମାନଙ୍କର ସମସ୍ତ କାର୍ଗୋ ଏବଂ ଗନ୍ତବ୍ୟ ସ୍ଥଳ ବିଷୟରେ ସୂଚନା ଦେବାକୁ ପଡ଼ିବ। ରିପୋର୍ଟ ଅନୁସାରେ, ଗୋଟିଏ ଟ୍ୟାଙ୍କର ଏହି ପଥ ଦେଇ ଯିବା ପାଇଁ ପ୍ରାୟ ୨ ମିଲିୟନ ଡଲାର ପ୍ରଦାନ କରିଛି!।ଇରାନ ନୌରୁଜ୍ ବା ପର୍ସିଆନ୍ ନବବର୍ଷ ପାଳନ କରୁଥିବାବେଳେ ଇସ୍ରାଏଲ ତେହେରାନ ଉପରେ ଏୟାର ଷ୍ଟ୍ରାଇକ୍ କରିଛି। ଇରାନର ରାଜଧାନୀ ତେହେରାନର ଚାରିପାଖରେ ଗୁଳିଗୋଳା ବର୍ଷଣର ଶବ୍ଦ ଶୁଣିବାକୁ ମିଳିଛି। ଅନ୍ୟପକ୍ଷରେ ଇରାନ ମଧ୍ୟ ତୀବ୍ର ଆକ୍ରମଣ ଜାରି ରଖିଛି।