ରାଜ୍ୟରେ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା
ରାଜ୍ୟରେ ଏବେ ଏବେ ଏକ ଲଘୁଚାପର ପ୍ରକୋପ କମିଥିବା ବେଳେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ମୁଣ୍ଡ ଟେକିଲାଣି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗର ଅଞ୍ଚଳରେ ଏକ ଉପର ବାୟୁମଣ୍ଡଳସ୍ତରୀୟ ଘୂର୍ଣ୍ଣିବଳୟ ରହିଛି। ଏହାର ପ୍ରଭାବରେ ଦକ୍ଷିଣପୂର୍ବ ଓ ସଂଲଗ୍ନ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି।
ଏହା ଧୀରେଧୀରେ ପଶ୍ଚିମ-ଉତ୍ତରପଶ୍ଚିମ ଆଡ଼କୁ ଗତ କରିବା ସହ ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଏକ ସ୍ପଷ୍ଟଚିହ୍ନିତ ଲଘୁଚାପର ରୂପ ନେବ। ତେବେ ଏହା ପରେ ଏହା କେତେ ଘନୀଭୂତ ହେବ ଓ କେଉଁ ରୂପ ନେବ ସେ ନେଇ ସ୍ପଷ୍ଟ ଚିତ୍ର ଆସିନଥିବା ବେଳେ ଲଘୁଚାପ ସୃଷ୍ଟି ପରେ ହିଁ ଏହା କହିହେବ। ତେବେ ଲଘୁଚାପ ପ୍ରଭାବରେ ରାଜ୍ୟରେ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ରହିଛି। ବିଶେଷ କରି ଉପକୂଳ ଓ ଦକ୍ଷିଣରେ ଅଧିକ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।
ଆସନ୍ତାକାଲି ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର ଓ ନୟାଗଡ଼ ଆଦି ଜିଲ୍ଲାର କିଛି କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ସେହିଭଳି ଶନିବାର ବର୍ଷାର ପରିମାଣ ବଢ଼ିବ। ଉପକୂଳ ସହ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ମଧ୍ୟ ଭଲ ବର୍ଷା ହେବ। ତେବେ ଲଘୁଚାପ ସୃଷ୍ଟି ପରେ ହିଁ ଏହାର ତୀବ୍ରତା ସ୍ପଷ୍ଟ ହେବ। ରାଜ୍ୟକୁ ଏବେ ସାମୁଦ୍ରିକ ବଙ୍ଗୋପସାଗରୀୟ ପବନ ପ୍ରବାହ ଜାରି ରହିଛି। ବର୍ଷା ସମ୍ଭାବନା ବି ରହୁଛି। ଏଣୁ ଉତ୍ତରା ଥଣ୍ଡା ପବନ ପ୍ରବାହ ବାଧାପ୍ରାପ୍ତ ହୋଇଛି। ଆସନ୍ତାକାଲି ରାଜଧାନୀ ଭୁବନେଶ୍ବରର ପାଗ ଆଂଶିକ ମେଘୁଆ ସହ ସକାଳୁ କୁହୁଡ଼ି ପଡ଼ିବ। ସର୍ବାଧିକ ଦିନ ତାପମାତ୍ରା ୩୫ ଡିଗ୍ରି ଓ ସର୍ବନିମ୍ନ ରାତ୍ରି ତାପମାତ୍ରା ୨୪ ଡିଗ୍ରି ମଧ୍ୟରେ ରହିବ।