୧୫ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
ରାଜ୍ୟର ବିଭିନ୍ନ ସ୍ଥାନରେ କୋହଲା ପାଗ। ଆଜି ବି ଲାଗିରହିବ ବର୍ଷା। ଆଜି ପାଇଁ ୧୫ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। କଳାହାଣ୍ଡି, କନ୍ଧମାଳ, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଜିଲ୍ଲାରେ ଆଜି ଓ ଆସନ୍ତାକାଲି ସକାଳ ସୁଦ୍ଧା ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ସେହିପରି କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଗତକାଲି ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ଓ ପବନ ହୋଇ ବ୍ୟାପକ କ୍ଷତି ଘଟିଥିଲା।
ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ଉତ୍ତର, ଆଭ୍ୟନ୍ତରୀଣ ଏବଂ ଉପକୂଳବର୍ତ୍ତୀ ଜିଲାର କିଛି ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବିଜୁଳି ଘଡଘଡି ସହ ଝଡବର୍ଷାର ସମ୍ଭାବନା ରହିଛି। ଏଥିପାଇଁ ସତର୍କ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଜିଲାପାଳମାନେ ଏଥିପ୍ରତି ସତର୍କ ରହିବାକୁ ଏସଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦେଶ ଦିଆଯାଇଛି। ଶନିବାର ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଚାନ୍ଦବାଲି, କଟକ, ଭୁବନେଶ୍ବର, ଭଦ୍ରକ, ଗଞ୍ଜାମ, ଝାରସୁଗୁଡା, ଯାଜପୁର, ଢେଙ୍କାନାଳ, ଜଗତସିଂହପୁର କେନ୍ଦ୍ରାପଡା, ଖୋର୍ଦ୍ଧା ଏବଂ ନୟାଗଡ ଜିଲାର ବିଭିନ୍ନ ଅଞ୍ଚଳରେ ବିଜୁଳି ଘଡଘଡି ସହ ଝଡବର୍ଷା ହୋଇଛି। ଗତ ୨୪ଘଣ୍ଟାରେ ବାରିପଦାରେ ସର୍ବାଧିକ ୧୨୩.୪ମି.ମି. ବର୍ଷା ହୋଇଥିବା ବେଳେ ଆଜି ଛତ୍ରପୁରରେ ସବୁଠୁ ଅଧିକ ୬୨.୮ମି.ମି. ବର୍ଷା ହୋଇଛି। କଟକରେ ୨୧.୨ମି.ମି, ବାଲେଶ୍ବର ୧୫ମି.ମି. ଚାନ୍ଦବାଲି ୧୬.୪ମି.ମି. ଗୋପାଳପୁର ୧୪.୨ମି.ମି ଏବଂ ଭୁବନେଶ୍ବରରେ ୩ମି.ମି. ବର୍ଷା ହୋଇଛି। ଅଧିକାଂଶ ଅଞ୍ଚଳରେ ଦିନ ତାପମାତ୍ରା ୨୩ ଡିଗ୍ରୀ ତଳକୁ ଖସିବା ସହିତ ଦିନରେ ଶୀତ ଅନୁଭୂତ ହୋଇଛି। ବାଲେଶ୍ବରରେ ଦିନ ତାପମାତ୍ରା ୨୨.୪ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ କଟକ ୨୬, ଭୁବନେଶ୍ବର ୨୫.୪, ବାରିପଦା ୨୩, ଭଦ୍ରକ, ଯାଜପୁର, ଢେଙ୍କାନାଳ ଏବଂ କେନ୍ଦ୍ରାପଡାରେ ଦିନ ତାପମାତ୍ରା ୨୪ ଡିଗ୍ରୀ ରହିଥିଲା। ଗଞ୍ଜାମ ଜିଲାରେ କାଳବୈଶାଖୀ ପ୍ରଭାବରେ ଗଛଡାଳ ଭାଙ୍ଗି ପଡିଥିବା ବେଳେ ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ଜଳମଗ୍ନ ପରିସ୍ଥିତି ସୃଷ୍ଟି ହୋଇଛି।