ଆସନ୍ତା ୨ ଦିନରେ ସାରା ଦେଶରୁ ବିଦାୟ ନେବ ମୌସୁମୀ
ରାଜ୍ୟରୁ ମୌସୁମୀ ବିଦାୟ ନେବା ପ୍ରକ୍ରିୟା ଜାରି ରହିଛି। ଆଜି ରାଜ୍ୟର କିଛି ଅଞ୍ଚଳରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଫେରିଯାଇଛି। ଆସନ୍ତା ୨ ଦିନରେ ସମ୍ପୂର୍ଣ୍ଣ ଓଡ଼ିଶାରୁ ମୌସୁମୀ ଫେରିଯିବାକୁ ପରିବେଶ ଅନୁକୂଳ ହେଉଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, କେବଳ ଓଡ଼ିଶା ନୁହେଁ, ଆସନ୍ତା ୨ ଦିନରେ ସାରା ଦେଶରୁ ମୌସୁମୀ ବିଦାୟ ନେବା ପାଇଁ ପାଣିପାଗ ଅନୁକୂଳ ହେବାରେ ଲାଗିଛି।
ଏହି ସମୟରେ ଦକ୍ଷିଣ ଉପଦ୍ବୀପ ଏବଂ ଦକ୍ଷିଣ ତଥା ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ପୂର୍ବ ଓ ଉତ୍ତରପୂର୍ବ ବାୟୁ ଚଳନ ଆରମ୍ଭ ହୋଇଯିବ। ଫଳରେ ଦକ୍ଷିଣ-ପୂର୍ବ ଉପଦ୍ବୀପ ଅଞ୍ଚଳରେ ଉତ୍ତର-ପୂର୍ବ ମୌସୁମୀ ବାୟୁ ଯୋଗୁଁ ବର୍ଷା ଆରମ୍ଭ ହୋଇଯିବ। ଆସନ୍ତାକାଲି କୋରାପୁଟ ଓ ମାଲକାନଗିରି ଜିଲ୍ଲାର କିଛି କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ରାଜ୍ୟର ପାଗ ଏବେ ମୁଖ୍ୟତଃ ଶୁଖିଲା ରହିବ। ଆସନ୍ତାକାଲି ରାଜଧାନୀ ଭୁବନେଶ୍ବରର ପାଗ ଆଂଶିକ ମେଘୁଆ ରହିବ। ସର୍ବୋଚ୍ଚ ତାପମାତ୍ରା ୩୩ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୨୩ ଡିଗ୍ରି ମଧ୍ୟରେ ରହିବ।