ରାଜ୍ୟବାସୀଙ୍କୁ ଧର୍ଯ୍ୟର ସହ ବାତ୍ୟା ମୁକାବିଲା କରିବା ପାଇଁ ଆହ୍ୱାନ ଦେଲେ ମନମୋହନ ସାମଲ

 ସେବା, ସହାୟତା, ରିଲିଫ କାର୍ଯ୍ୟରେ ପ୍ରଶାସନ ଓ ସରକାରଙ୍କୁ ସହଯୋଗ କରିବାକୁ କାର୍ଯ୍ୟକର୍ତାମାନେ ନିୟୋଜିତ ହେବେ

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ‘ଦାନା’ ଭୀଷଣ ବାତ୍ୟା ରୂପ ନେଇ ୨୪ ତାରିଖ ମଧ୍ୟରାତ୍ରିରେ ଓଡ଼ିଶା ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ସମୟରେ ପବନର ବେଗ ଘଂଟା ପ୍ରତି ୧୦୦ରୁ ୧୨୦ କିମି ରହିବା ସହିତ ଅତି ପ୍ରବଳ ବର୍ଷା ହେବା ଆକଳନ କରାଯାଇଛି । ଦାନା ବାତ୍ୟା ପ୍ରଭାବରେ ବିଶେଷ ଭାବେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ଖୋର୍ଦ୍ଧା, କଟକ, ପୁରୀ, ନୟାଗଡ, କେନ୍ଦୁଝର, ମୟୁରଭଂଜ ସମେତ ରାଜ୍ୟର ଅନ୍ୟ ଜିଲ୍ଲାଗୁଡ଼ିକ ପ୍ରଭାବିତ ହେବ । ଏହି ସମୟରେ ଭୟଭୀତ ନହୋଇ ଧର୍ଯ୍ୟର ସହ ବାତ୍ୟା ପରିସ୍ଥିତିର ମୁକାବିଲା ପାଇଁ ଓଡିଶାବାସୀଙ୍କୁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ପରାମର୍ଶ ଦେଇଛନ୍ତି ।

ଶ୍ରୀ ସାମଲ କହିଛନ୍ତି, ସମ୍ଭାବ୍ୟ ବାତ୍ୟା ପରିସ୍ଥିତିର ସଫଳ ମୁକାବିଲା ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ବିଭନ୍ନ ପଦକ୍ଷେପ ନିଆଯାଇଛି । ବାତ୍ୟାବେଳେ ଜିରୋ କାଜୁଆଲିଟି ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଥିବାବେଳେ ସେବା, ସହାୟତା, ରିଲିଫ କାର୍ଯ୍ୟରେ ପ୍ରଶାସନ ଓ ସରକାରଙ୍କୁ ପୂର୍ଣ୍ଣ ସହଯୋଗ କରିବାକୁ କାର୍ଯ୍ୟକର୍ତାମାନଙ୍କୁ ଆହ୍ୱାନ ଦେଇଛନ୍ତି । ବାତ୍ୟା ପୂର୍ବରୁ ଜନସାଧାରଣ ଓ ପ୍ରାଣୀ ସଂପଦକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ, ଶୁଖିଲା ଓ ରନ୍ଧା ଖାଦ୍ୟ ବଂଟନ, ବୃଦ୍ଧବୃଦ୍ଧା, ଗର୍ଭବତୀ ମହିଳା ଓ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ସୁବିଧା ଯୋଗାଇ ଦେବା କାର୍ଯ୍ୟରେ ପ୍ରଶାସନ ଓ ସରକାରଙ୍କୁ କାର୍ଯ୍ୟକର୍ତାମାନେ ସହଯୋଗ କରିବେ । ସେହିପରି ବାତ୍ୟା ପରେ ପୁନରୁଦ୍ଧାର କାର୍ଯ୍ୟରେ ବିଜେପି କାର୍ଯ୍ୟକର୍ତାମାନେ କାର୍ଯ୍ୟ କରିବାକୁ ରାଜ୍ୟ ସଭାପତି ଶ୍ରୀ ସାମଲ ଆହ୍ୱାନ ଦେଇଛନ୍ତି ।