22ରେ ଲଘୁଚାପ ନେବ ବାତ୍ୟା ରୂପ
କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ସମୁଦ୍ରରୁ ବଳ ଗୋଟାଇବ । ଫଳରେ ଏହା ବାତ୍ୟାରେ ପରିଣତ ହୋଇପାରେ । ତେବେ ଏହାର ତୀବ୍ରତା ଓ ଗତିପଥକୁ ନେଇ ବାରମ୍ୱାର ଆକଳନ ପରିବର୍ତ୍ତନ କରୁଛି ଜିଏଫଏସ୍ ମଡେଲ, ଯାହାକୁ ନେଇ ସନ୍ଦେହ ବଢୁଛି ।
ଇସିଏମଡବ୍ଲୁଏଫ ମଡେଲ କେବଳ ଜିଏଫଏସ ମଡେଲ ନୁହେଁ, ଅନ୍ତର୍ଜାତୀୟ ସ୍ତରରେ ପାଣିପାଗକୁ ପୂର୍ବାନୁମାନ କରୁଥିବା ଆଉ ଏକ ସଂସ୍ଥା ସେଣ୍ଟର ଫର ମିଡିୟମ ରେଞ୍ଜ ୱେଦର ଫୋରକାଷ୍ଟ- ଇସିଏମଡବ୍ଲୁଏଫର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ମଡେଲ ମଧ୍ୟ ବାତ୍ୟାକୁ ନେଇ ପୂର୍ବାନୁମାନ କରିଛି । ଆଗାମୀ ୨୨ ତାରିଖରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଏହା ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେବ ବୋଲି ଆକଳନ କରିଛି ଏହି ମଡେଲ । ଏଠାରେ ଆମେ ସ୍ପଷ୍ଟ କରିବାକୁ ଚାହୁଁଛୁ ଯେ, ଏହା କେବଳ ବିଭିନ୍ନ ପାଣିପାଗ ମଡେଲର ଆକଳନ । ବଙ୍ଗୋପସାଗରରେ ବାତ୍ୟାକୁ ନେଇ ପୂର୍ବାନୁମାନ କରୁଥିବା ସବୁଠାରୁ ଭରସାଯୋଗ୍ୟ ସରକାରୀ ପାଣିପାଗ ସଂସ୍ଥା ଆଇଏମଡି ସମ୍ଭାବ୍ୟ ବାତ୍ୟା ନେଇ କୌଣସି ପୂର୍ବାନୁମାନ କରିନାହିଁ । କେବଳ ୨୨ ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସହ ଏହା ଘନୀଭତ ହୋଇପାରେ ବୋଲି କହିଛି ।
ଭାରତୀୟ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ ଆଗାମୀ ୨୦ ତାରିଖରେ ଉତ୍ତର ଆଣ୍ଡାମାନ ସାଗରରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବ । ୨୨ ତାରିଖ ବେଳକୁ କେନ୍ଦ୍ରୀୟ ଏହା ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ରର ରୂପନେବ। ପରବର୍ତ୍ତୀ ସମୟରେ ଏହା ଉତ୍ତର-ପଶ୍ଚିମ ଦିଗରେ ଗତିକରି ଅଧିକ ଘନୀଭୂତ ହେବ । ଏହାର ପ୍ରଭାବରେ ଆଗାମୀ ୨୩ ତାରିଖ ବେଳକୁ ବର୍ଷା ହୋଇପାରେ। ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ କେନ୍ଦ୍ର ।