ଦିନରେ ହେବ ପ୍ରବଳ ଗରମ, ସନ୍ଧ୍ୟାରେ ହେବ ବର୍ଷା
ଦିନରେ ହେବ ପ୍ରବଳ ଗରମ । ସନ୍ଧ୍ୟାରେ ହେବ ବର୍ଷା । ଏନେଇ ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ଆସନ୍ତା ୫ ଦିନ ରାଜ୍ୟରେ ଏଭଳି ସ୍ଥିତି ଲାଗି ରହିବ । ରାଜ୍ୟରେ ବଢିବ ଆଦ୍ରତା । ବଢିବ ଗୁଳୁଗୁଳି, ଶିଝିବ ଓଡ଼ିଶା । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପୁରୀ, ଗଞ୍ଜାମ, ଗଜପତି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଗରମ ଏବଂ ଆର୍ଦ୍ର ପରିସ୍ଥିତି ଜାରି ରହିବାର ସମ୍ଭାବନା ରହିଛି । ଏହି ସବୁ ଜିଲ୍ଲା ଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ସେହିଭଳି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପୁରୀ, ଜଗତସିଂହପୁର, ଗଞ୍ଜାମ, ଗଜପତି, ନୂଆପଡ଼ା ଓ ନବରଙ୍ଗପୁରର କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ସହ ବିଜୁଳି ଘଡ଼ଘଡ଼ି ଓ ଘଣ୍ଟା ପ୍ରତି ୩୦ ରୁ ୪୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି । ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଏହିଭଳି ସ୍ଥିତି ଲାଗି ରହିବ ବୋଲି ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର ।
ଆସନ୍ତା ୬ ତାରିଖରେ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମାଲକାନଗିରି, ରାୟଗଡ଼ା, କୋରାପୁଟ, ନୂଆପଡ଼ା, ନବରଙ୍ଗପୁର, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ ଏବଂ ମୟୂରଭଞ୍ଜ ଜିଲ୍ଲାର କେତେକ ସ୍ଥାନରେ ବଜ୍ରପାତ ସହ ଘଡ଼ଘଡ଼ି ଏବଂ ଘଣ୍ଟାପ୍ରତି ୩୦-୪୦ କିମି ବେଗରେ ପବନ ବହିବା ସମ୍ଭାବନା ରହିଛି ।