ଆସନ୍ତା ୫ ଦିନ ଅଗ୍ନିବର୍ଷା ନେଇ ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ

ଆକାଶରୁ ହେବ ଅଗ୍ନିବର୍ଷା। ସାରା ରାଜ୍ୟରେ ଦିନ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଥିବାବେଳେ ଆସନ୍ତା ୫ ଦିନ ଅଗ୍ନିବର୍ଷା ନେଇ ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏହି ସମୟରେ ତାପମାତ୍ରା ୨ରୁ ୪ ଡିଗ୍ରୀ ବୃଦ୍ଧି ପାଇବ। ସୋମବାର ବୌଦ୍ଧରେ ସର୍ବାଧିକ ତାପମାତ୍ରା ସର୍ବାଧିକ ୩୯.୨ ଡିଗ୍ରୀ ରେକର୍ଡ଼ ହୋଇଛି। ଆସନ୍ତା ୫ ଦିନ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ତା’ଠାରୁ ଊର୍ଦ୍ଧ୍ବରେ ରହିବା ସମ୍ଭାବନା ରହିଛି। ବିଶେଷକରି ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ ବୌଦ୍ଧ, ସୁବର୍ଣ୍ଣପୁର, ବଲାଙ୍ଗୀର, କଳାହାଣ୍ଡି, ସମ୍ବଲପୁର ଏବଂ ଝାରସୁଗୁଡ଼ା ଜିଲାକୁ ହିଟ୍ ୱେଭ୍ ଚେତାବନୀ ରହିଛି। ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ଝାଞ୍ଜି ପ୍ରବାହିତ ହୋଇପାରେ। ଏହି ୫ ଦିନ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନାହିଁ। ସୋମବାର ବଲାଙ୍ଗୀରରେ ୩୭.୪ ଡିଗ୍ରୀ, ମାଲକାନଗିରିରେ ୩୭.୨, ଝାରସୁଗୁଡ଼ା ଓ ଭବାନୀପାଟଣାରେ ୩୭ ଡିଗ୍ରୀ ଲେଖାଏଁ, ହୀରାକୁଦରେ ୩୬.୭, ସୁନ୍ଦରଗଡ଼ରେ ୩୬.୫, ସମ୍ବଲପୁରରେ ୩୬.୪, ବରଗଡ଼ରେ ୩୬.୨, ଅନୁଗୋଳରେ ୩୬.୧ ଏବଂ ଖୋର୍ଦ୍ଧା ଓ ସୁବର୍ଣ୍ଣପୁରରେ ୩୬ ଡିଗ୍ରୀ ଲେଖାଏଁ ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଥିଲା।